୧୫ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଚରମ ସୀମାରେ ପହଞ୍ଚିବା ଏବଂ ପୁଲିସର କାର୍ଯ୍ୟଦକ୍ଷତା ଉପରେ ଚାରିଆଡ଼ୁ ସମାଲୋଚନା ହେବା ପରେ ଶେଷରେ ରାଜ୍ୟ ପୁଲିସ ମୁଖ୍ୟାଳୟର ଚେତା ପଶିଛି । ବିଗତ କିଛି ମାସ ଧରି ହାଜତ ମୃତ୍ୟୁ, ଭିଡ଼ ହିଂସା ଏବଂ ଅପରାଧୀଙ୍କ ବଢୁଥିବା ଦୌରାତ୍ମ୍ୟକୁ ନେଇ ସରକାରଙ୍କ ଛାଟ ପଡ଼ିବା ପରେ ସ୍ଥିତି ସଜାଡ଼ିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ପୁଲିସ ଡିଜି ୱାଇ.ବି. ଖୁରାନିଆ ।’ବାର୍ଷିକ ବ୍ଲକ ନିରୀକ୍ଷଣ କାର୍ଯ୍ୟକ୍ରମ-୨୦୨୬’ ଅଧୀନରେ ଡିଜି ପାହ୍ୟାରୁ ଆରମ୍ଭ କରି ଆଇଜି ପାହ୍ୟା ପର୍ଯ୍ୟନ୍ତ ୧୫ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଆସନ୍ତା ଜୁଲାଇ ମାସରୁ ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଥାନାଗୁଡ଼ିକର କାର୍ଯ୍ୟକାରିତାର ସମୀକ୍ଷା କରିବେ।
ସୂଚନା ଅନୁସାରେ, କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକ ଏବଂ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ା ଦାୟିତ୍ୱ ଦିଆଯାଇଛି । ସେହିପରି ଅରୁଣ ବୋଥ୍ରା (ଅନୁଗୁଳ), ସୌମେନ୍ଦ୍ର ପ୍ରିୟଦର୍ଶୀ (ଜଗତସିଂହପୁର) ଏବଂ ସଞ୍ଜୟ କୁମାରଙ୍କୁ ସମ୍ବଲପୁର ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଦିଆଯାଇଛି । ଡିଜି ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟରେ ଶେଷ ହେବାକୁ ଯାଉଛି । ଅବସରର ମାତ୍ର ଦୁଇ ମାସ ପୂର୍ବରୁ ଏହି ସକ୍ରିୟତାକୁ ନେଇ ପୁଲିସ ମହଲରେ ଚର୍ଚ୍ଚା ଜୋର ଧରିଛି । ଏତେ ଦିନ ଧରି ତଦାରଖ ଅଭାବରୁ ବ୍ୟବସ୍ଥା ଦିଶାହୀନ ହୋଇଥିବାବେଳେ, ଏହି ଶେଷ ମୁହୂର୍ତ୍ତର ପ୍ରୟାସ କେବଳ କାଗଜପତ୍ରରେ ସୀମିତ ରହିବ ନା ବାସ୍ତବରେ ଆଇନଶୃଙ୍ଖଳାରେ ସୁଧାର ଆଣିବ, ତାହା ଦେଖିବାକୁ ବାକି ରହିଲା ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!