ନାଲ୍କୋ ଛକ ସ୍ଥିତ କଳିଙ୍ଗ ହସ୍ପିଟାଲ୍ ପକ୍ଷରୁ ସମ୍ପ୍ରସାରଣ ଯୋଜନା ଘୋଷଣା କରାଯାଇଛି। ହସ୍ପିଟାଲ୍ର ଅଧ୍ୟକ୍ଷ ଡ. ଶୀତକଣ୍ଠ ଦାଶଙ୍କ ଦ୍ବାରା ଅନୁଦାନରେ ନୂଆ ଏ୩ ବ୍ଲକ୍ କାର୍ଯ୍ୟକ୍ଷମ କରିବା ପ୍ରକ୍ରିୟା ଜାରି ରହିଛି। ଏହା ଦ୍ବାରା ହସ୍ପିଟାଲ୍ର ଶଯ୍ୟା ସଂଖ୍ୟା ଆଉ ୫୦ ବଢ଼ିବ। ଏଥିରେ ଅତିରିକ୍ତ ଓଟି, କେନ୍ଦ୍ରୀୟ ସେବା ବିଭାଗ, ନୂଆ ଆଇସିୟୁ, ନୂଆ ଗ୍ୟାଷ୍ଟ୍ରୋ ସାଇନ୍ସ, ଡେ କେୟାର ୟୁନିଟ୍, ରିହାବିଲିଟେସନ୍ ଓ ଫିଜିଓଥେରାପି ୟୁନିଟ୍, ପ୍ରିସିସନ୍ ମେଡିସିନ୍ ସେଣ୍ଟର ଭଳି ସୁବିଧାସୁଯୋଗ ରହିଛି। ଏହି ଅବସରରେ ହସ୍ପିଟାଲ୍ର ଅଧ୍ୟକ୍ଷ ଶ୍ରୀ ଦାଶ କହିଛନ୍ତି ଯେ ଆଧୁନିକ ସୁବିଧା ପ୍ରଚଳନ କରିବାକୁ ଆମେ ଉତ୍ସାହିତ, ଯାହା ରୋଗୀମାନଙ୍କୁ ଉଚ୍ଚ ମାନର ସେବା ପ୍ରଦାନ କରିବାରେ ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି। ହସ୍ପିଟାଲ୍ର ପରିଚାଳନା ନିର୍ଦ୍ଦେଶିକା ନୀଲାଞ୍ଜନା ମୁର୍ଖେଜୀ କହିଛନ୍ତି ଯେ ରୋଗୀ ସେବାର ଗୁଣବତ୍ତା ବଢ଼ାଇବା ଏବଂ ବ୍ୟାପକ ସ୍ବାସ୍ଥ୍ୟ ସେବା ପାଇଁ ସମ୍ପ୍ରସାରଣ ଓ ଉନ୍ନତ ସୁବିଧା ବିଷୟରେ ଘୋଷଣା କରି ଆମେ ଆନନ୍ଦିତ। ଏହି ଅବସରରେ ସିୱାଇଏସ୍ଡିର ସହ ପ୍ରତିଷ୍ଠାତା ଜଗଦାନନ୍ଦ ଓ ଆଧ୍ୟାତ୍ମିକ ଲେଖକ ତଥା ଜେକେଯୋଗ ଇଣ୍ଡିଆର ପ୍ରତିଷ୍ଠାତା ଗୁରୁ ସ୍ବାମୀ ମୁକୁନ୍ଦାନନ୍ଦ ଅତିଥି ଭାବେ ଯୋଗ ଦେଇ ହସ୍ପିଟାଲ୍ର ପଦକ୍ଷେପକୁ ପ୍ରଶଂସା କରିଥିଲେ।

