ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ

ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ। ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା ପରେ ଧାମ ଶବ୍ଦ ହଟାଯାଇଛି। ମନ୍ଦିର ଫାଟକରେ ଲେଖାଯାଇଥିବା ଫଳକ କାଢି ନିଆଯାଇଛି। ଜଗନ୍ନାଥ ଧାମ ବଦଳରେ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ଲେଖାଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବା ପାଇଁ ଘୋଷଣା କରିଥିଲେ। ପରିବର୍ତ୍ତନ ପରେ ମୁଖ୍ୟ ମନ୍ଦିରର ନାମ ଶ୍ରୀ ଜଗନ୍ନାଥ ଦେବ ମନ୍ଦିର ଓ ଏହାର ସଂଲଗ୍ନ ପୀଠକୁ ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ଭାବେ ନାମିତ କରାଯିବ ବୋଲି କହିଥିଲେ। ଯଦିଓ ସରକାରୀ ଟଙ୍କାରେ ନିର୍ମିତ ଏହି ଭିତ୍ତିଭୂମିକୁ ଶ୍ରୀଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ଭାବେ ନାମିତ କରାଯାଇଥିଲା, ତଥାପି ଏଥିରେ ଜୋର ଜବରଦସ୍ତ ‘ଧାମ’ ଶବ୍ଦ ଯୋଡା ଯାଇଥିଲା। ଯାହା ଭାରତୀୟ ପରମ୍ପରା ଓ ସଂସ୍କୃତି ପାଇଁ ଆଦୌ ଠିକ୍ ନୁହେଁ । ତେଣୁ ସେହି ସାଂସ୍କୃତିକ କେନ୍ଦ୍ରର ନାମରୁ ‘ଧାମ’ ଶବ୍ଦକୁ ହଟାଇବାକୁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇଥିଲେ। ଏଣିକି ଦୀଘା ମନ୍ଦିରର ଦୈନନ୍ଦିନ ପୂଜା ଏବଂ ଦୈନନ୍ଦିନ ସେବା ଜଗନ୍ନାଥ ମହାପ୍ରଭୁଙ୍କ ପାରମ୍ପରିକ ରୀତିରେ କରାଯିବ ବୋଲି କହିଥିଲେ।
ସୂଚନା ଥାଉକି, ମମତା ବାନାର୍ଜୀ ସରକାର ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ସହ ଏଠାରେ ଜଗନ୍ନାଥ ଧାମ ଲେଖା ଫଳକ ଲଗାଇଥିଲେ। ଯାହାକୁ ଓଡ଼ିଶାରେ ତୀବ୍ର ବିରୋଧ କରାଯାଇଥିଲା। ବିରୋଧୀ ଦଳରେ ଥିବା ସମୟରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଏହି ନାମକରଣକୁ ବିରୋଧ କରିଥିଲେ। ସରକାରକୁ ଆସିବା ପରେ ଶୁଭେନ୍ଦୁ ଧାମ ଶବ୍ଦ ହଟାଇଛନ୍ତି। ଏହି ଘୋଷଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସି ପ୍ରକାଶ କରିଥିଲେ । ସେ ‘ଏକ୍ସ’ ମାଧ୍ୟମରେ ଲେଖିଥିଲେ ଯେ, ଶାସ୍ତ୍ରୀୟ ଓ ପୌରାଣିକ ମାନ୍ୟତା ଅନୁଯାୟୀ, ପୁରୀ ହିଁ ସନାତନ ଧର୍ମର ଅନନ୍ୟ ଏବଂ ଅଦ୍ୱିତୀୟ ‘ଜଗନ୍ନାଥ ଧାମ’ । ପଶ୍ଚିମବଙ୍ଗର ପୂର୍ବତନ ସରକାରଙ୍କ ସନାତନ ପରମ୍ପରା ପ୍ରତି ଥିବା ଅଜ୍ଞତା କାରଣରୁ ଦୀଘା ପ୍ରକଳ୍ପ ପାଇଁ ‘ଜଗନ୍ନାଥ ଧାମ’ ନାମର ଅପପ୍ରୟୋଗ କରାଯାଇଥିଲା । ଓଡ଼ିଶାର ଜନସାଧାରଣଙ୍କ ସ୍ୱାଭିମାନ ରକ୍ଷା ପାଇଁ ମୁଁ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଏହି ସାଂସ୍କୃତିକ ଭ୍ରମକୁ ସଂଶୋଧନ କରିବାକୁ ଅନୁରୋଧ କରିଥିଲି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦୀଘା ପ୍ରକଳ୍ପରୁ ‘ଧାମ’ ଶବ୍ଦକୁ ପ୍ରତ୍ୟାହାର କରିବାକୁ ଐତିହାସିକ ଘୋଷଣା କରିଛନ୍ତି । ସେଥିପାଇଁ ପଶ୍ଚିମବଙ୍ଗର ନୂତନ ସରକାରଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!