ନିଜ ଭୁଲ୍ ମାନିଲେ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ଜାତୀୟ ଶିକ୍ଷାନୀତି (ଏନ୍‌ଇପି)-୨୦୨୦ ଲାଗୁ ହେବା ପରେ ସେହି ଅନୁସାରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି। ହେଲେ ଏଥିରେ ଦେଖାଯାଇଥିବା ୧୬୭୮ ତ୍ରୁଟିକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ବୀକାର କରିବା ସହ ଏହା ମୁଦ୍ରଣ ଜନିତ ତ୍ରୁଟି ବୋଲି କହିଛନ୍ତି। ନୂତନ ପାଠ୍ୟପୁସ୍ତକର କେଉଁ ବହିରେ ବନାନ ଭୁଲ୍‌ ତ ପୁଣି କେଉଁଥିରେ ନାମ ଭୁଲ୍‌ ରହିଛି। ସ୍ଥାନର ଚିତ୍ର ଓ ମହାପୁରୁଷଙ୍କ ନାମ ମଧ୍ୟ ଭୁଲ ଲେଖାହୋଇଛି।

ଓଡ଼ିଶାର ବିଧାନସଭା ଲେଖା ହୋଇଥିବାବେଳେ ସେଠାରେ କର୍ନାଟକ ବିଧାନସଭା ଚିତ୍ରକୁ ବହିରେ ଛପାଯାଇଛି। ଭୂଗୋଳ ବହିରେ ଓଡ଼ିଶାର ନିୟମଗିରିକୁ ଝାଡ଼ଖଣ୍ଡର ବୋଲି ଦର୍ଶାଯାଇଛି। ଗଞ୍ଜାମ ଜିଲାକୁ ବ୍ରହ୍ମପୁର ଜିଲା ବୋଲି ଲେଖାଯାଇଛି। ସେହିପରି ଡଙ୍ଗରିଆ ଜନଜାତିକୁ ଡୋଙ୍ଗରିଆ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ଏଭଳି ମୋଟ ୧୬୭୮ଟି ଭୁଲ ରହିଥିବା ବେଳେ କେବଳ ଅଷ୍ଟମ ବହିରେ ସର୍ବାଧିକ

୭୦୫ଟି ଭୁଲ୍‌ ରହିଛି। ଛାତ୍ରୀଛାତ୍ରମାନେ ସରକାରୀ ବହିରୁ କେଉଁ ଶିକ୍ଷା ପାଇବେ ବୋଲି ଅଭିଭାବକ ଓ ଶିକ୍ଷାବିତ୍‌ମାନେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଏସବୁ ତ୍ରୁଟି ସମ୍ପର୍କରେ ସରକାର ଅବଗତ ଅଛନ୍ତି। ଏହାକୁ ସଂଶୋଧନ କରାଯିବ। ସେପର୍ଯ୍ୟନ୍ତ ଶିକ୍ଷକମାନେ ଭୁଲ୍‌ଗୁଡିକୁ ସଂଶୋଧନ କରି ପିଲାଙ୍କୁ ପଢାଇବାକୁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ସଂଶୋଧିତ ତାଲିକା ଅନୁଯାୟୀ ପଢ଼ାଇବାକୁ ନିର୍ଦ୍ଦେଶ ଦେଲା ଓସେପା
ନୂତନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟ ସ୍ବୀକାର କରିଛି।

ପୁସ୍ତକ ପ୍ରସ୍ତୁତ କରିଥିବା ଶିକ୍ଷକ ଶିକ୍ଷା ଓ ଏନ୍‌ସିଇଆର୍‌ଟି ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ତ୍ରୁଟିର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏସବୁ ତ୍ରୁଟି ସମ୍ପର୍କରେ ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଅବଗତ ହେବାପରେ ସଂଶୋଧିତ ତାଲିକା ଅନୁଯାୟୀ ପଢ଼ାଇବାକୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶନାମାରେ ମାଳମାଳ ସାଂଘାତିକ ତ୍ରୁଟିକୁ ଛୋଟିଆ ଭୁଲ୍‌ ବୋଲି ଦର୍ଶାଇଛି, ଯାହାକୁ ନେଇ ଶିକ୍ଷାବିତ୍‌ ଓ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି।

ଛୋଟିଆ ତ୍ରୁଟି ନୁହେଁ, ବରଂ ବୃହତ୍‌ ଅବହେଳା: ଅଭିଭାବକ ମହାସଂଘ ବହିରେ ମାଳମାଳ ତ୍ରୁଟି ବାହାରିବା ପରେ ଓଡ଼ିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି, ଏହା ଛୋଟିଆ ତ୍ରୁଟି ନୁହେଁ, ବରଂ ବୃହତ୍‌ ଅବହେଳା। ମୁଦ୍ରଣ ପୂର୍ବରୁ ପ୍ରୁଫ୍‌ ରିଡିଂ କରାଯାଇ ନାହିଁ।

ପୂର୍ବରୁ ଏପରି ତ୍ରୁଟି ହୋଇଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ସଚେତନ ହୋଇପାରୁନାହିଁ। ବାରମ୍ବାର ଭୁଲ୍‌ ଦୋହରାଉ ଥିବାରୁ ପ୍ରଶାସନିକ ଓ ନେତୃତ୍ୱଜନିତ ଦୁର୍ବଳତା ପଦାରେ ପଡ଼ିଛି। ଏଣୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ସେ ଦାବି କରିଛନ୍ତି।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!