ଲଗାଣ ବର୍ଷା ପାଇଁ ବିଦ୍ୟାଳୟ ଦୁଇଦିନ ଛୁଟି ଘୋଷଣା

ରାଜ୍ୟରେ ଗତକାଲି ଠାରୁ ଲଗାଣ ବର୍ଷା ଜାରି ରହିଛି। କନ୍ଧମାଳରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାପାଳ ଆଜି ଠାରୁ ଦୁଇ ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଅର୍ଥାତ ଜୁଲାଇ ୨ ଏବଂ ୩ ତାରିଖରେ କନ୍ଧମାଳ ଜିଲ୍ଲାରେ ସ୍କୁଲ ଛୁଟି ରହିବ। ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି।
ତେବେ ଜିଲ୍ଲାପାଳ ଆଜି ଛୁଟି ଘୋଷଣା କରିବା ପୂର୍ବରୁ ଅନେକ ସ୍କୁଲର ପିଲାମାନେ ଘରୁ ବାହାରି ସାରିଥିଲେ। ‌ଅନେକ ଛାତ୍ରଛାତ୍ରୀ ସ୍କୁଲରେ ପହଞ୍ଚି ସାରିଥିଲା ବେଳେ ଆହୁରି ଅନ୍ୟପିଲାମାନେ ବାଟରେ ଥିଲେ। ଦୁଇ ଦିନିଆ ସ୍କୁଲ ଛୁଟି ଘୋଷଣା ବିଳମ୍ବରେ ହୋଇଥିବା ଯୋଗୁଁ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ବର୍ଷାରେ ଭିଜିଭିଜି କଷ୍ଟରେ ପହଞ୍ଚି ଥିଲେ। ପରେ ବିଦ୍ୟାଳୟରେ ଉପସ୍ଥାନ ପଡ଼ି ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଥିଲା। ଫଳରେ ପିଲାମାନେ ନିରାଶ ହୋଇ ପୁଣି ବର୍ଷାରେ ଭିଜିଭିଜି ନିଜନିଜ ଘରକୁ ଫେରିଥିଲେ।
ଏଠାରେ ପ୍ରଶ୍ନ ଉଠୁଛି ଯଦି ବିଦ୍ୟାଳୟ ଛୁଟି କରିବାର ଥିଲା ତାହାହେଲେ ସମୟ ପୂର୍ବରୁ କାହିଁକି ପିଲାଙ୍କୁ ସୂଚନା ପ୍ରଦାନ କରାଗଲା ନାହିଁ? ପିଲା ଛୁଟି ବିଷୟରେ ଜାଣି ନପାରି ବିଦ୍ୟାଳୟକୁ ଆସି ପୁଣି ଫେରିବା ପୁଣି ଲଗାଣ ବର୍ଷାରେ କଷ୍ଟଦାୟକ। ଆଜି ଛୁଟିର ମାନେ କିଛି ନାହିଁ ବୋଲି ଅଭିଭାବକମାନେ ଅଭିଯୋଗ ଆଣିଛନ୍ତି। 
ଦୁଇ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଥିବା ବେଳେ ଆଜି ଅପରାହ୍ନରେ ଘୁ.ଉଦୟଗିରି କଳିଙ୍ଗା ମୁଖ୍ୟ ରାଜ୍ୟ ରାଜପଥ ସହରର ୧ନଂ ୱାର୍ଡ ପଦାସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବିରାଟକାୟ ଗଛ ରାସ୍ତା ଉପରେ ଉପୁଡ଼ି ପଡିଯାଇଥିଲା। ଫଳରେ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଗାଡ଼ି ମଟର ଅଟକି ରହିଥିଲା।ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତାରୁ ହଟେଇବା ସହ ରାସ୍ତାରେ ଯାତାୟତ ସ୍ୱାଭାବିକ କରିଥିଲେ। ଦୀର୍ଘ ଘଣ୍ଟା ପରେ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିବା ବେଳେ ଗଛ ପଡିବା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ଦୁଇଦିନ ହେଲା ଲଗାଣ ବର୍ଷା ଯୋଗୁଁ ଗରମରୁ ଆସ୍ୱସ୍ତି ମିଳିଥିବା ବେଳେ ଚାଷୀ ନିଜ ଚାଷ କାମ ପାଇଁ ଜମିରେ ପ୍ରସ୍ତୁତି ଆରମ୍ଭ କରିଦେଇଛି।

Post Views58 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!