ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଉପଲକ୍ଷେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧୀନସ୍ଥ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଉପଲକ୍ଷେ ବିଭିନ୍ନ ସଚେତନତାମୂଳକ ଓ ଶିକ୍ଷାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି ଅବସରରେ ବିହନ ବଲ୍ ପ୍ରସ୍ତୁତି( Seed Ball Making ) କାର୍ଯ୍ୟକ୍ରମ, ଓପେନ୍ ହାଉସ୍ କୁଇଜ୍ ପ୍ରତିଯୋଗିତା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଦି ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏହି ସମସ୍ତ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରକୃତି ସଂରକ୍ଷଣ, ଜୈବ ବିବିଧତା ଏବଂ ପରିବେଶ ସୁରକ୍ଷାର ଗୁରୁତ୍ୱ ସମ୍ପର୍କରେ ସଚେତନ ହୋଇଥିଲେ।
କାର୍ଯ୍ୟକ୍ରମ ଅବସରରେ ଆଜି ଏବଂ ପୂର୍ବରୁ ଅନୁଷ୍ଠିତ ଓପେନ୍ ହାଉସ୍ କୁଇଜ୍ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଏହି ଅବସରରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଶ୍ରୀ ଏମ୍. ଏମ୍. ରାଉତ କହିଥିଲେ, “ଛାତ୍ରଛାତ୍ରୀମାନଙ୍କ ମନରେ ପରିବେଶ ପ୍ରତି ଦାୟିତ୍ୱବୋଧ ଓ ସଂରକ୍ଷଣର ମୂଲ୍ୟବୋଧ ସୃଷ୍ଟି କରିବା ହିଁ ଏଭଳି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ଆଜିର ଛୋଟ ଛୋଟ ପଦକ୍ଷେପ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସ୍ଥାୟୀ ପରିବେଶ ଗଢ଼ିବାରେ ସହାୟକ ହେବ।”
ଶେଷରେ ଶ୍ରୀ ରାଉତ ସମସ୍ତଙ୍କୁ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ପ୍ରାକୃତିକ ସମ୍ପଦର ସୁବିଚାରିତ ବ୍ୟବହାର କରିବା ଏବଂ ପରିବେଶ ସୁରକ୍ଷା ପାଇଁ ସକ୍ରିୟ ଭାବେ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ।

Post Views72 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!