ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୧ଟା ୧୦ ମିନିଟ୍ରେ ସେ ବ୍ରହ୍ମପୁର ରେଳଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲେ। ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ରେଳଷ୍ଟେସନରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସୁନ୍ଦର ସାଜସଜ୍ଜା ଏବଂ ପରିଷ୍କାର-ପରିଚ୍ଛନ୍ନତାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ଝଲକ ସ୍ୱରୂପ ବ୍ୟାଘ୍ର ନୃତ୍ୟ, ସଂକୀର୍ତ୍ତନ, ପାରମ୍ପରିକ ନୃତ୍ୟ ପରିବେଷଣ ଏବଂ ଶୁଭ ଶଙ୍ଖଧ୍ୱନି ମଧ୍ୟରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରାଷ୍ଟ୍ରପତି କଳାକାରମାନଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିବା ସହ ସେମାନଙ୍କ ସହ ଫଟୋ ଉଠାଇ ଉତ୍ସାହିତ କରିଥିଲେ।
ରେଳଷ୍ଟେସନ ପରିସରରେ ଉପସ୍ଥିତ ସାଧାରଣ ଜନତା ଓ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ଓ ପ୍ଲାକାର୍ଡ ପ୍ରଦର୍ଶନ କରି ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ। ରାଷ୍ଟ୍ରପତି ମଧ୍ୟ ହାତ ହଲାଇ ସେମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। ବ୍ରହ୍ମପୁର ରେଳଷ୍ଟେସନରେ ସ୍ୱଳ୍ପ ସମୟ ଅବସ୍ଥାନ ପରେ ସେ ତପ୍ତପାଣି ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ତପ୍ତପାଣି ଅଭିମୁଖେ ଯାତ୍ରା କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ବିପୁଳ ସଂଖ୍ୟାରେ ଆବାଳବୃଦ୍ଧବନିତା ଓ ଛାତ୍ରଛାତ୍ରୀମାନେ ତାଙ୍କୁ ଅଭିବାଦନ ଜଣାଇଥିଲେ। ବ୍ରହ୍ମପୁର ସହରର ମିନାକ୍ଷୀ ନଗର ଠାରେ ରାଷ୍ଟ୍ରପତି କୁନିକୁନି ଛୁଆ ତାଙ୍କୁ ଦେଖିବାର ଉତ୍ସାହ ହୃଦୟଙ୍ଗମ କରି ଗାଡିରୁ ଓହ୍ଲାଇ ପିଲାମାନଙ୍କୁ ଚକଲେଟ ବାଣ୍ଟି ଥିଲେ ।

