ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA) ଏହି ତିନି ଅଭିନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।‘ବିମଲ୍’ ବିଜ୍ଞାପନକୁ ନେଇ ବଲିଉଡ୍ ର ତିନି ଚର୍ଚ୍ଚିତ ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କ ପାଇଁ ବଢ଼ିଲା ଅଡୁଆ। FDAର ଅଭିଯୋଗ ଅନୁଯାୟୀ, ‘ବିମଲ’ ନାଁରେ କେବଳ ଇଲାଇଚିକୁ ପ୍ରମୋଟ୍ କରାଯାଉନି, ବରଂ ବିଜ୍ଞାପନ ମାଧ୍ୟମରେ ରାଜ୍ୟରେ ପାନ ମସଲା ବ୍ରାଣ୍ଡକୁ ପରୋକ୍ଷରେ ପ୍ରଚାର କରାଯାଉଛି।
ପାନ ମସଲା ଓ ଗୁଟଖା ମହାରାଷ୍ଟ୍ରରେ ସଂପୂର୍ଣ୍ଣ ଭାବେ ନିଷିଦ୍ଧ।ରିପୋର୍ଟ ଅନୁସାରେ, FDA ଅଭିନେତାମାନଙ୍କୁ ବିଜ୍ଞାପନ ସମ୍ପର୍କିତ ତଥ୍ୟ ଦେବାକୁ କହିଛି। ଏହା ସହ ବିଜ୍ଞାପନରେ ସେମାନଙ୍କ ଭୂମିକା ଏବଂ ପ୍ରଚାରିତ ବ୍ରାଣ୍ଡର ପ୍ରକୃତ ସ୍ୱରୂପ ସମ୍ପର୍କରେ ମଧ୍ୟ ପ୍ରଶ୍ନ ଉଠାଯାଇଛି। FDA ଏହି ବିଜ୍ଞାପନକୁ ପ୍ରଥମ ଦୃଷ୍ଟିରେ ନିଷିଦ୍ଧ ପାନ ମସଲା ବ୍ରାଣ୍ଡର ପରୋକ୍ଷ ପ୍ରଚାର ଭାବେ ଦେଖୁଛି।
ତେବେ ନୋଟିସ୍ ଜାରି ହେବା ଅର୍ଥ ଅଭିନେତାମାନେ ଦୋଷୀ ପ୍ରମାଣିତ ହୋଇଯାଇଛନ୍ତି ବୋଲି ନୁହେଁ। ସେମାନଙ୍କ ଜବାବ ଏବଂ ତଦନ୍ତ ପରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ।
ରିପୋର୍ଟ ଅନୁଯାୟୀ, ତୁକାରାମ ମୁଣ୍ଢେ ଏକ ନଅ ପୃଷ୍ଠାର ନୋଟିସରେ ସ୍ପଷ୍ଟ କରିଛନ୍ତି ଯେ ‘ବିମଲ ଏଲାଇଚି’ର ବିଜ୍ଞାପନ ସିଧାସଳଖ ‘ବିମଲ ପାନ ମସଲା’ର ବ୍ରାଣ୍ଡିଂକୁ ପ୍ରୋତ୍ସାହିତ କରେ। ଖାଦ୍ୟ ସୁରକ୍ଷା ଏବଂ ମାନକ (FSS) ଆଇନ, 2006 ଅନୁଯାୟୀ ଏପରି ଭ୍ରାମକ ବିଜ୍ଞାପନ ସମ୍ପୂର୍ଣ୍ଣ ବେଆଇନ।

