ଗତ ସପ୍ତାହରେ ମହାରାଷ୍ଟ୍ରର ନବି ମୁମ୍ବାଇରେ ଜଣେ ୨୦ ବର୍ଷର ବାଳିକା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ ଆଜି କହିଛି।
କର୍ଣ୍ଣାଟକର ଗୁଲବାରଗା ଜିଲ୍ଲାରୁ ଅଭିଯୁକ୍ତ ଦାଉଦ ଶେଖଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି। ପୀଡ଼ିତା ଯଶଶ୍ରୀ ସିନ୍ଦେ ନିଖୋଜ ଥିବା ଖବର ପାଇ ପୁଲିସ୍ ଖୋଜିବା ଆରମ୍ଭ କରିଥିଲା। ପରେ ଶନିବାର ଦିନ ନବି ମୁମ୍ବାଇର ୟୁରାନର ଏକ ରେଳ ଷ୍ଟେସନ ନିକଟସ୍ଥ ବୁଦା ଭିତରେ ତାଙ୍କ ମୃତଦେହ ଜବତ କରାଯାଇଥିଲା।
ଅଧିକାରୀଙ୍କ ଅନୁଯାୟୀ, ଶରୀରରେ ଏକାଧିକ ଆଘାତ ଚିହ୍ନ ଏବଂ ଛୁରାମାଡ଼ ହୋଇଥିଲା, ଯାହା ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଦର୍ଶାଇଥିଲା “ଆମର ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରେମ ସମ୍ପର୍କକୁ ନେଇ ଯୁବତୀଙ୍କୁ ହତ୍ୟା କରାଯାଇଛି। ଯୁବତୀଙ୍କ ପ୍ରେମିକ ଏହି ହତ୍ୟାକାଣ୍ଡ ପରେ କେଉଁଆଡ଼େ ନିଖୋଜ ଅଛନ୍ତି। ସେ ପ୍ରାଥମିକ ସନ୍ଦିଗ୍ଧ। ହତ୍ୟା ମାମଲା ରୁଜୁ ହୋଇଛି ଏବଂ ପାଞ୍ଚଟି ପୁଲିସ ଟିମ୍ ତାଙ୍କୁ ଖୋଜିବା ପାଇଁ ଗଠନ କରାଯାଇଛି’’ ବୋଲି ଜଣେ ଅଧିକାରୀ କହିଛନ୍ତି।

