ଦେଶର ମେଡିକାଲ ପାଠପଢ଼ା ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ନ୍ୟାସନାଲ ମେଡିକାଲ କମିଶନ (NMC) ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସାରା ଦେଶରେ ୧୩,୧୮୬ଟି ନୂଆ MBBS ସିଟ୍କୁ ମଞ୍ଜୁରୀ ଦେଇଛନ୍ତି। ଏହି ବୃଦ୍ଧି ପରେ ଦେଶରେ ମୋଟ ମଞ୍ଜୁରପ୍ରାପ୍ତ MBBS ସିଟ୍ ସଂଖ୍ୟା ୧,୨୭,୦୨୮ ରୁ ବୃଦ୍ଧି ପାଇ ୧,୪୦,୨୧୪ ରେ ପହଞ୍ଚିଛି।ତେବେ ଏହି ନୂତନ ସିଟ୍ଗୁଡ଼ିକ ମଧ୍ୟରୁ ଅଧିକାଂଶ ବେସରକାରୀ ମେଡିକାଲ କଲେଜଗୁଡ଼ିକରେ ବୃଦ୍ଧି ହୋଇଛି। ମୋଟ ବୃଦ୍ଧି ପାଇଥିବା ସିଟ୍ ମଧ୍ୟରୁ ୧୦,୪୦୦ଟି ସିଟ୍ ପ୍ରାଇଭେଟ୍ କଲେଜ ଏବଂ ୨,୭୮୬ଟି ସିଟ୍ ସରକାରୀ ମେଡିକାଲ କଲେଜରେ ଯୋଡ଼ିହୋଇଛି।
ମିଳିଥିବା ସୂଚନା ମୁତାବକ ସିଟ୍ ବୃଦ୍ଧି ମାମଲାରେ ଦେଶର ଶୀର୍ଷ ୫ଟି ରାଜ୍ୟରେ ମୋଟ ୬,୪୪୦ଟି ନୂଆ ସିଟ୍ ଯୋଡ଼ିହୋଇଛି | କର୍ଣ୍ଣାଟକରେ ସର୍ବାଧିକ ୧,୬୫୦ଟି ସିଟ ଯୋଡାଯାଇଥିବାବେଳେ ଏବେ ରାଜ୍ୟରେ ମୋଟ ଏମବିବିଏସ ସିଟ ସଂଖ୍ୟା ୧୫,୭୪୫ରେ ପହଂଚିଛି | ସେହିପରି ଦ୍ଵିତୀୟରେ ତାମିଲନାଡୁରେ ୧,୨୫୦ ସିଟ ଯୋଡାଯାଇଥିବାବେଳେ ଏମବିବିଏସ ସିଟ ସଂଖ୍ୟା ୧୪,୨୯୯ରେ ପହଂଚିଛି | ବିହାରରେ ୧,୨୪୦, ଉତ୍ତର ପ୍ରଦେଶରେ ୧,୨୦୦, ରାଜସ୍ଥାନରେ ୧,୧୦୦ ସିଟ ବୃଦ୍ଧି ପାଇଛି | ତେଲେଙ୍ଗାନାରେ ୧,୦୧୦, ପଶ୍ଚିମବଙ୍ଗରେ ୯୭୫, ମହାରାଷ୍ଟ୍ରରେ ୫୫୦, ଆନ୍ଧ୍ର ପ୍ରଦେଶରେ ୫୨୫ ଏବଂ ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶରେ ୫୨୦-୫୨୦ଟି ସିଟ୍ ବୃଦ୍ଧି ପାଇଛି।ଓଡ଼ିଶା, ଆସାମ ଏବଂ ସିକିମରେ ୧୦୦-୧୦୦ଟି ନୂଆ MBBS ସିଟ୍କୁ ମଞ୍ଜୁରୀ ମିଳିଛି।

