ବିମଲ ଇଲାଇଚି ପ୍ରସ୍ତୁତକାରୀ କମ୍ପାନି ପିଜି ଏଗ୍ରୋ ବା ପିବି ଏଗ୍ରୋ ଏଲଏଲପିକୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ମହାରାଷ୍ଟ୍ର ଏଫଡିଏ ଦ୍ୱାରା ବଲିଉଡ ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ ପଠାଯାଇଥିବା କାରଣ ଦର୍ଶାଅ ନୋଟିସକୁ ଚ୍ୟାଲେଞ୍ଜ କରି କମ୍ପାନୀ ଦାୟର କରିଥିବା ଆବେଦନକୁ କୋର୍ଟ ସୋମବାର ଖାରଜ କରିଦେଇଛନ୍ତି।
ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମାଙ୍କ ପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ଏହି ବିଷୟରେ ଶୁଣାଣି କରିବାର ଆଇନଗତ ଅଧିକାର କ୍ଷେତ୍ର ଦିଲ୍ଲୀ ହାଇକୋର୍ଟ ପାଖରେ ନାହିଁ।
ଏହି ସମ୍ପୂର୍ଣ୍ଣ ମାମଲା ମହାରାଷ୍ଟ୍ର ଏଫଡିଏର କାର୍ଯ୍ୟାନୁଷ୍ଠାନ ସହ ଜଡ଼ିତ ଏବଂ ଘଟଣାଟି ମହାରାଷ୍ଟ୍ରରେ ଘଟିଛି।ତେଣୁ କମ୍ପାନୀ ଆବଶ୍ୟକ କଲେ ବମ୍ବେ ହାଇକୋର୍ଟ କିମ୍ବା ମହାରାଷ୍ଟ୍ରର କୌଣସି ସକ୍ଷମ ଅଦାଲତର ଦ୍ୱାରସ୍ଥ ହେବା ଉଚିତ।
କମ୍ପାନୀର ବ୍ୟବସାୟ ଦିଲ୍ଲୀରୁ ପରିଚାଳିତ ହେଉଛି କିମ୍ବା କମ୍ପାନୀ ଦିଲ୍ଲୀରୁ ବ୍ରାଣ୍ଡ ଆମ୍ବାସାଡର ଚୟନ କରିଛି ବୋଲି ଦିଲ୍ଲୀ ହାଇକୋର୍ଟରେ ମାମଲା ଚାଲିପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।
ମହାରାଷ୍ଟ୍ର ଏଫଡିଏର ଅଭିଯୋଗ ଅନୁଯାୟୀ, ବିମଲ ଇଲାଚିର ବିଜ୍ଞାପନ ପ୍ରକୃତରେ ରାଜ୍ୟରେ ନିଷିଦ୍ଧ ଥିବା ବିମଲ ପାନ ମସାଲାର ପରୋକ୍ଷ ବା ସରୋଗେଟ୍ ବିଜ୍ଞାପନ ଭାବେ କାମ କରୁଛି।

