ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୬ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗସ୍ତ ଅବସରରେ ସମଗ୍ର ଜିଲ୍ଲା ଚଳଚଞ୍ଚଳ ହୋଇଉଠିଛି।
ଗଞ୍ଜାମ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଉତ୍ସାହିତ ଥିବାବେଳେ ତାଙ୍କୁ ଏହି କାର୍ଯ୍ୟକ୍ରମରେ ଭବ୍ୟ ସ୍ୱାଗତ କରିବା ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ଶ୍ରୀ ଦାସ କହିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋର୍ଦାର୍ ପ୍ରସ୍ତୁତି ଚାଲିଛି।
ଗୁରୁବାର ଅପରାହ୍ନରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଛତ୍ରପୁର ଗସ୍ତ କରି ତଦାରଖ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ କାର୍ଯ୍ୟକ୍ରମ କିପରି ସଫଳତାର ସହ ଆୟୋଜନ ହେବ ସେ ସମ୍ପର୍କରେ ପଚାରି ବୁଝିଛନ୍ତି।
୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ନିର୍ମାଣ ସରିଥିବା ପ୍ରକଳ୍ପକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଣୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ତାଙ୍କ ଦୃଢ଼ ନେତୃତ୍ୱ ଓ ବିକାଶ ଧାରାକୁ ସାଥ୍ ଦେବା ଲାଗି ବହୁ ସଂଖ୍ୟକ ଲୋକଙ୍କ ସମାଗମ ହେବ।

