କନ୍ୟା ସନ୍ତାନ ଜନ୍ମ ନେଲେ, ଟଙ୍କା ନିଅନ୍ତିନି ଡାକ୍ତର

କିଛି ଲୋକ ନିଜ କାମ ପାଇଁ ଲୋକଙ୍କ ଭିତରେ ସର୍ବଦା ଛାପ ଛାଡ଼ିଯାଆନ୍ତି । ତାଙ୍କ ମହାନତା ଓ ମାନବତା ଅନେକ ଲୋକଙ୍କୁ ପ୍ରେରଣା ଦେଇଥାଏ । ସେହିପରି ଜଣେ ବ୍ୟକ୍ତି ହେଉଛନ୍ତି ଡାକ୍ତର ଗଣେଶ ରାଖ । ବେଟି ବଚାଓ ବା କନ୍ୟା ରତ୍ନର ସୁରକ୍ଷା ପାଇଁ ସେ ଯେପରି ଏକ ମିଶନରେ ବାହାରିଛନ୍ତି । ଦିନେ କି ମାସେ ନୁହେଁ, ଗତ ୧୦ ବର୍ଷରୁ ଊଦ୍ଧ୍ୱର୍ ହେଲା ସେ ଏହି ଅଭିଯାନ ଜାରି ରଖିଛନ୍ତି । ଦୀର୍ଘ ବର୍ଷ ଧରି ସେ ତାଙ୍କ ହସ୍ପିଟାଲରେ ହଜାର ହଜାର ଶିଶୁ କନ୍ୟାଙ୍କୁ ପ୍ରସବ କରାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ମହିଳା କନ୍ୟା ସନ୍ତାନ ଜନ୍ମ ଦିଅନ୍ତି ସେ ଏ ବାବଦକୁ କୌଣସି ପାଉଣା ନିଅନ୍ତି ନାହିଁ । ଏଥିସହ କନ୍ୟା ସନ୍ତାନ ଜନ୍ମ ହେବା ପରେ ହସ୍ପିଟାଲରେ କେକ୍‌ କଟାଯାଏ ଏବଂ ଏଥିପାଇଁ ଖୁସି ମନାଯାଏ ।
ଏପରି କରିବା ପଛରେ ଏକ ବଡ଼ କାରଣ ରହିଛି । ଡାକ୍ତର ଗଣେଶ ଏହା ପୂର୍ବରୁ କନ୍ୟା ସନ୍ତାନ ଜନ୍ମ ହେବା ପରେ ପରିବାର ଲୋକେ କିପରି ତାଙ୍କୁ ଅବହେଳା କରିଥାନ୍ତି ତାହା ନିଜ ଆଖିରେ ଦେଖିଛନ୍ତି । ଏପରିକି ଅନେକ କନ୍ୟା ସନ୍ତାନଙ୍କୁ ତାଙ୍କ ପରିବାର ଲୋକେ ଦେଖିବାକୁ ମଧ୍ୟ ଆସି ନ ଥାନ୍ତି । କିନ୍ତୁ ପୁତ୍ର ସନ୍ତାନ ଜନ୍ମ ହେଲେ ପରିବାର ଲୋକେ ଖୁସି ହୋଇଥାନ୍ତି । ସେମାନେ ଏଥିଲାଗି ଉତ୍ସବ ପାଳିଥାନ୍ତି । ଏହା ଡାକ୍ତର ଗଣେଶଙ୍କୁ ବେଶ୍‌ ବାଧିଥିଲା । ପରେ ସେ କନ୍ୟାରତ୍ନଙ୍କ ଜନ୍ମର ମହତ୍ତ୍ୱ ଲୋକଙ୍କୁ ବୁଝାଇବା ପାଇଁ ଏବଂ ଏ ଦିଗରେ ସଚେତନତା ବାଣ୍ଟିବା ପାଇଁ ସେ ମିଶନରେ ବାହାରିଥିଲେ । ସେ ନିଷ୍ପତ୍ତି ନେଇଥିଲେ ଯେ ତାଙ୍କ ହସ୍ପିଟାଲରେ ଯେଉଁ ମହିଳା କନ୍ୟା ସନ୍ତାନ ଜନ୍ମ ଦେବେ ତାଙ୍କଠାରୁ ସେ କୌଣସି ପାଉଣା ନେବେ ନାହିଁ । କେବଳ ଏତିକି ନୁହେଁ, ଯେତେ ଦିନ ମା’ ଏବଂ ଶିଶୁ ହସ୍ପିଟାଲରେ ରହିଥାନ୍ତି, ତା’ର ସମ୍ପୂର୍ଣ୍ଣ ଖର୍ଚ୍ଚ ମଧ୍ୟ ହସ୍ପିଟାଲ ଉଠାଇଥାଏ । ଡାକ୍ତର ଗଣେଶ ପୁନେର ବାସିନ୍ଦା । ହଡ଼ପସରରେ ତାଙ୍କ ମ୍ୟାଟରନିଟି ଏବଂ ମଲ୍ଟିଡିସିପ୍ଲିନାରୀ ହସ୍ପିଟାଲ ରହିଛି । ‘ବେଟି ବଚାଓ’ ଅଭିଯାନ ପାଇଁ ଏହି ହସ୍ପିଟାଲ ଏକ ଉଦାହରଣ ସୃଷ୍ଟି କରିଛି । ଡା. ଗଣେଶ ଗତ ୧୦ ବର୍ଷରେ ୨,୪୦୦ରୁ ଅଧିକ ମହିଳାଙ୍କ କନ୍ୟାସନ୍ତାନ ପ୍ରସବ ମାଗଣାରେ କରାଇଛନ୍ତି । କନ୍ୟା ଜନ୍ମ ହେଲେ ଟଙ୍କାଟିଏ ବି ପାଉଣା ସେ କୌଣସି ମହିଳା କିମ୍ବା ତାଙ୍କ ପରିବାରଠାରୁ ନେଇନାହାନ୍ତି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!