ରାଜ୍ୟର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା ହୋଇଛି । । ବିଭାଗୀୟ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଏବଂ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ବିଭାଗୀୟ ସମୀକ୍ଷ କରିଛନ୍ତି । ରାଜ୍ୟର ମାନବ ସମ୍ବଳ ଉପଯୋଗପୂର୍ବକ ଦୃଢ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ଲକ୍ଷ ନେଇ ୨୦୧୧ ମସିହାରେ ସୃଷ୍ଟି କରାଯାଇଥିବା ବିଭାଗ ଆଜି ବିଶ୍ୱସ୍ତରରେ ପରିଚିତ ହୋଇ ପାରିଛି ବୋଲି ମନ୍ତ୍ରୀ କହିଛନ୍ତି । ଓଡ଼ିଶାରେ ଦ୍ରୁତ ବେଗରେ କମୁଛି ବେକାରୀ । ନିଯୁକ୍ତି ଦେବାରେ ଓଡ଼ିଶା ଦେଶରେ ଆଗୁଆ ।
ନିକଟରେ ସିଏମଆଇଇ ରିପୋର୍ଟ ରାଜ୍ୟକୁ ଏହି ସାର୍ଟିଫିକେଟ ଦେଇଛି । ଯେଉଁଥି ପାଇଁ ସ୍କିଲ୍-ଇନ୍-ଓଡିଶା” ଆଜି ବିଶ୍ୱ ବ୍ରାଣ୍ଡ ଭାବେ ପରିଚିତ ହୋଇଛି । ଗତ 4 ବର୍ଷ ମଧ୍ୟରେ ରାଜ୍ୟ ସରକାର , ଦକ୍ଷତା ପ୍ରତିଷ୍ଠାନ ଗୁଡିକରେ ଭିତ୍ତିଭୂମି ସମ୍ପ୍ରସାରଣ ଏବଂ ନବୀକରଣକୁ ପ୍ରାଥମିକତା ଦେଇଛନ୍ତି | ସ୍କୁଲିଂ ଓ ସ୍କିଲିଂକୁ ଏକ ସାଙ୍ଗରେ ନେଇ ଦକ୍ଷତା ବିକାଶ କରାଯାଉଛି । ୧୦ଟି ବିଭାଗରେ ୬୦ ଲକ୍ଷରୁ ଅଧିକ ପିଲାଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ଦକ୍ଷତା ବିକାଶ କରାଯାଇଛି । ସେହିପରି ମହିଳାମାନଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯିବା ସହ ଏସଏଚଜି ଜରିଆରେ ମା’ଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କର ଦକ୍ଷତା ବୃଦ୍ଧି କରାଯାଇଛି । ସବୁ କ୍ଷେତ୍ରକୁ ଦୃଷ୍ଟିରେ ରଖି ବିଭାଗ ପ୍ରଶିକ୍ଷଣ ଦିଆଯାଇଥିବାରୁ ରାଜ୍ୟରେ ବେରୋଜଗାରୀ ହାର ଦ୍ରୃତ ଗତିରେ କମୁଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।
୨୦୨୧ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଶ୍ଵ ଦକ୍ଷତା କେନ୍ଦ୍ର (WSC) ର ଉଦ୍ଘାଟନ ସହିତ ଦକ୍ଷତା ବିକାଶ ଯାତ୍ରାରେ ଏକ ଗୁରୁତ୍ଵପୂର୍ଣ୍ଣ ବର୍ଷ ଥିଲା । WSC, ରାଜ୍ୟର ଆଇ.ଟି.ଆଇ ଏବଂ ପଲିଟେକ୍ନିକ୍ ଛାତ୍ରମାନଙ୍କ ପାଇଁ ଏକ ମେଗା ଫିନିସିଂ ସ୍କୁଲ୍ ଯାହା ଆନ୍ତର୍ଜାତୀୟ ସ୍ତରରେ ସ୍ଵୀକୃତିପ୍ରାପ୍ତ ITEES ସ୍କିଲ୍ ଯୋଗ୍ୟତା (ISQ), ପ୍ରମାଣପତ୍ର ପ୍ରଦାନ କରେ । WSC ମଧ୍ୟ ଆମର ପ୍ରଶିକ୍ଷକଙ୍କ ଦକ୍ଷତା ବିକାଶ, ଛାତ୍ରମାନଙ୍କୁ ଜୀବନ-କୌଶଳ ତାଲିମ ପ୍ରଦାନ ଏବଂ ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧ ଅନୁଷ୍ଠାନ ସହ ସହଭାଗୀତା ପାଇଁ ଏକ କେନ୍ଦ୍ର ପାଲଟିଛି । ଏବେ ଦେଶର ସର୍ବଶ୍ରେଷ୍ଠ ୧୦୦ ଟି ଆଇଟିଆଇ ପ୍ରତିଷ୍ଠାନ ମଧ୍ୟରେ ଓଡିଶାର ୬ ଗୋଟି ଅନୁଷ୍ଠାନ ସ୍ଥାନୀତ ହୋଇଛି । ଆଇ.ଟି.ଆଇରେ ଝିଅ ମାନଙ୍କର ନାମଲେଖାକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଥିବା “ସୁଦକ୍ଷା” ଯୋଜନା, ଅତ୍ୟନ୍ତ ସଫଳ ସାବ୍ୟସ୍ତ ହୋଇଛି । ଓଡିଶା ବଜେଟ୍ ୨୦୨୩-୨୪ ରେ “ନୂତନ ଉନ୍ନତ ଅଭିଳାଷ” (NUA) ଯୋଜନାରେ ଶହେ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କ୍ଲାଉଡ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଅଗମେଣ୍ଟେଡ୍ ରିଅଲିଟି-ଭର୍ଚୁଆଲ୍ ରିଅଲିଟି, ଡାଟା ସାଇନ୍ସ ଏବଂ 3D ପ୍ରିଣ୍ଟିଙ୍ଗ୍ ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଏକ ଲକ୍ଷ ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବାକୁ ଏହି ସ୍କିମ୍ ଲକ୍ଷ୍ୟ ରଖିଛି |


