ଆସନ୍ତା ୨୦ ତାରିଖରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ବଡ଼ଦାଣ୍ଡ ପାଲଟେ ଭକ୍ତି, ଭକ୍ତ ଓ ଭାବର ସମୁଦ୍ର । ସାକ୍ଷାତ ପୂର୍ଣ୍ଣ ବ୍ରହ୍ମ ଭକ୍ତଙ୍କୁ ଦର୍ଶନ ନିମନ୍ତେ ରଥାରୂଢ଼ ହୋଇଥାନ୍ତି। ଏ ରଥ, ପଥ, ଯାତ, ଜଗନ୍ନାଥ ସବୁ ଅଲୌକିକ, ଅଦଦ୍ଭୁତ, ରହସ୍ୟାଚ୍ଛନ୍ନ । ପବିତ୍ର ରଥ ଯାତ୍ରା ଉପଲକ୍ଷେ ଆଜି ଆମେ କହିବୁ ମହାପ୍ରଭୁଙ୍କ ରଥ ଦଉଡ଼ିର ତତ୍ତ୍ବ, ତଥ୍ୟ, ଓ ସ୍ୱରୂପ, ପ୍ରକୃତି, ସତ୍ୟ, ଜ୍ଞାନ, ବିଜ୍ଞାନ, ପାରମାର୍ଥିକ ଜ୍ଞାନ ।
ଏ ତିନି ରଥରେ ବିରାଜନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏ ରଥ ସର୍ବଧର୍ମ, ସର୍ବଜନ, ସର୍ବସଂସ୍କୃତି, ସର୍ବତତ୍ତ୍ବ, ସର୍ବଜୀବଜଗତ, ସର୍ବଦେବାଦେବୀ, ସର୍ବଶକ୍ତି, ସର୍ବମୁକ୍ତି, ସର୍ବଶାନ୍ତିକୁ ଧାରଣ କରି ରଖିଥାଏ । ଏହାର ସ୍ପର୍ଶ ଓ ଦର୍ଶନରେ ସର୍ବପାପ କ୍ଷୟ ହୋଇ ଅନନ୍ତତା ପ୍ରାପ୍ତି ହୋଇଥାଏ । ତେବେ ଏହି ଯାତ୍ରାରେ ତିନି ରଥର ରଥ ଦଉଡ଼ି ବାସ୍ତବରେ ସେ ରଜ୍ଜୁ କୌଣସି ସାଧାରଣ ରଜ୍ଜୁ ହୋଇନଥାଏ । ପୁରାଣ ଅନୁସାରେ ତିନି ରଥ ଦଉଡ଼ି ହେଉଛନ୍ତି, ଏକ ନାଗ ଓ ଦ୍ବୟ ନାଗୁଣୀ ।
ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ରଜ୍ଜୁ ଶଙ୍ଖଚୂଡ଼ ନାଗୁଣୀ, ସେହିପରି ଦେବୀ, ଶକ୍ତିସ୍ବରୁପିଣୀ, ପରମବୈଷ୍ଣବୀ ଭଉଣୀ ସୁଭଦ୍ରାଙ୍କ ରଥ ରଜ୍ଜୁ ସ୍ଵର୍ଣଚୂଡ଼ ନାଗୁଣୀ ଓ ବଡ ଠାକୁର ବଳଭଦ୍ରଙ୍କ ରଥ ରଜ୍ଜୁ ନାଗରାଜ ବାସୁକୀ ଅଟନ୍ତି ।
ଏହି ତିନି ରଥର ଦଉଡ଼ି ପ୍ରସ୍ତୁତି ସ୍ବତନ୍ତ୍ର । ନଡ଼ିଆ କତାରୁ ଏହି ଦଉଡି ତିଆରି ହୋଇଥାଏ। ତିନି ରଥର ତତ୍ତ୍ବାବଧାରକଙ୍କ ସୂଚନା ଅନୁଯାୟୀ ପ୍ରତେକ ରଥରେ ୪ ଟି ଲେଖାଏଁ ଦଉଡ଼ି ଟାଣିବା ପାଇଁ ଲାଗି ଥାଏ । ରଥର ଦଉଡିର ଲମ୍ବ ୨୨୦ ଫୁଟ ଓ ଗୋଲେଇ ୮ ଇଞ୍ଚ । ପ୍ରତି ବର୍ଷ ଓଡ଼ିଶା କତା ନିଗମ ପକ୍ଷରୁ ଏହି ଦଉଡ଼ି ଯୋଗାଇଦିଆଯାଇଥାଏ। ମୋଟ ୨୬ ଟି ଦଉଡ଼ି ଆସିଥାଏ । ଏଥିରେ 14 ଟି ରଥ ଟଣା ଦଉଡ଼ି । ୬ ଟି କର୍ଡନ ଦଉଡ଼ି ଥାଏ । ପୁରୀ ଜିଲା ଚନ୍ଦନପୁର ନିକଟରେରେ ଥିବା ଓଡ଼ିଶା କତା ନିଗମ ଫ୍ୟାକ୍ଟରିରୁ ଏହି ରଥ ଦଉଡି ଘୋଷ ଯାତ୍ରା ନିମନ୍ତେ ପ୍ରସ୍ତୁତ କରାଯାଉଛି ।

