ଧରିତ୍ରୀ ଓ ଆକାଶର ମିଳନର ପର୍ବ ରଜ । ଆଦ୍ୟ ଆଷାଢର ପହିଲି ପୁଲକରେ ପୁଲ୍ଲକିତ ଧରା । ଆରମ୍ଭ ହୋଇଛି ରାଜ୍ୟର କୃଷିଭିତ୍ତିକ ପର୍ବ । ଆଜି ରଜ । ପୁରପଲ୍ଲୀରେ ଜମୁଛି ରଜ ମହୋତ୍ସବ । କୃଷିଭିତ୍ତିକ ଏହି ପର୍ବ ପାଇଁ ଉତ୍ସବମୁଖର ଗାଁ ଠୁ ସହର । ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସିଛି ରଜ ପର୍ବ । ଆଷାଢର ପ୍ରଥମ ଜଳରେ ମା’ ମାଟି ହୋଇଛି ରଜସ୍ବଳା । ଏଥିପାଇଁ ଏହିଦିନ କୃଷିକର୍ମ ନିଷେଧ କରାଯାଇଛି ।
୩ ଦିନ ଧରି ପାଳିତ ହେବାକୁ ଥିବା ଏହି ରଜ ପର୍ବର ପୂର୍ବରୁ ଗତକାଲି ଯାଇଛି ସଜବାଜ । କୁମାରୀମାନେ ଅଳତା, କୁଙ୍କୁମ ନାଇ ରଜ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ଆଜି ପହିଲି ରଜ ଥିବାବେଳେ ଆସନ୍ତାକାଲି ରଜ ସଂକ୍ରାନ୍ତି । ଭୂମି ଦହନ ପରେ ବସୁମତି ସ୍ନାନ କରାଯିବ ।
ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ରଜର ମହତ୍ତ୍ବ ଅନନ୍ୟ । ରଜ ପର୍ବରେ କୁଆଁରୀ ଝିଅ ଓ ବୋହୂମାକୁ ସମ୍ମାନ ଦିଆଯାଇଥାଏ । ତେଣୁ ଏହି ୩ ଦିନ ସେମାନ କୋଣସି କାମ କରିବାକୁ ବାରଣ କରାଯାଇଛି । ଏପରିକି ଫୁଙ୍ଗୁଳା ପାଦ ଧରିତ୍ରୀ ଉପରେ ରଖିବା ବି ମନା । ଏଥିପାଇଁ ଝିଅମାନେ ପାଦରେ ବାନ୍ଧିଥାନ୍ତି କଦଳି ପାଟୁକା । ରଜରେ ପାରମ୍ପରିକ ପିଠା ଖାଇ ଦୋଳିରେ ଝୁଲନ୍ତି କୁମାରୀ । ଗାଁ ଗାଁରେ ରଜଗୀତ ସାଙ୍ଗକୁ ରଜ ପାନରେ ମହକୁଛି ପରିବେଶ । ପହିଲି ରଜକୁ କୁମାରୀମାନେ ଧୁମଧାମରେ ସ୍ବାଗତ କରିଥିବାବଳେ ଆଗକୁ ଦୁଇ ଦିନ ଆହୁରି ଜମିବ ରଜ ମଉଜ ।

