କାଲି ରଜ ଆଜିଠୁ ସଜବାଜ । ରଜ ସଜବାଜକୁ ନେଇ ଉତ୍ସବମୁଖର ହୋଇପଡ଼ିଲାଣି ଗାଁ ଠୁ ସହର । ସଜବାଜରେ ଲାଗିପଡ଼ିଲେଣି ଝିଅବୋହୂ । ପରସ୍ପରକୁ ଅଳତା, କୁଂକୁମ, ମେହେନ୍ଦୀ ଲଗାଇ ଦେବା ସହ ଦୋଳି ଖେଳିବା ପାଇଁ ପ୍ରସ୍ତୁତ ହେଲେଣି । ରଜ ସଜବାଜରୁ ହିଁ ଗାଁରେ ତାସ୍, ଲୁଡୁ ଏବଂ ଚେସ୍ ଖେଳର ଆସର ଜମିଲାଣି ।ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସେ ରଜ ପର୍ବ ।
ଆଜି ସଜବାଜ ହୋଇଥିବାବେଳେ କାଲି ପହିଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ ଓ ଚତୁର୍ଥ ଦିନ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ । ଆଷାଢର ପ୍ରଥମ ଜଳରେ ମା’ ମାଟି ହୁଏ ରଜସ୍ବଳା । ଏଥିପାଇଁ ଏହିଦିନ କୃଷିକର୍ମ ନିଷେଧ କରାଯାଇଥାଏ । ରଜ ପର୍ବରେ କୁଆଁରୀ ଝିଅ ଓ ବୋହୂମାକୁ ସମ୍ମାନ ଦିଆଯାଇଥାଏ । ତେଣୁ ଏହି ୪ ଦିନ ସେମାନେ କୌଣସି କାମ କରିବାକୁ ବାରଣ କରାଯାଇଛି । ଏହି ସମୟରେ ପ୍ରାକ୍ ମୌସୁମୀ ବର୍ଷା ଚାଷୀକୂଳକୁ ଆନନ୍ଦିତ କରିଥାଏ।


