ଓଡ଼ିଶାକୁ ଦୁଇଟି ବର୍ଗରେ ପୁରସ୍କାର, ପୁରସ୍କୃତ କଲେ ଉପରାଷ୍ଟ୍ରପତି

ଜଳ ସଂରକ୍ଷଣ ଓ ପରିଚାଳନାରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିବା ସହ ଜିଲ୍ଲା ସ୍ତରରେ ଜଳ ପରିଚାଳନାରେ ଗଞ୍ଜାମ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ଦୁଇଟି ବର୍ଗରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼୍ ଓଡିଶାକୁ ପୁରସ୍କୃତ କରିଛନ୍ତି। ସ୍ଥାନୀୟ ବିଜ୍ଞାନ ଭବନର ପ୍ଲେନାରି ହଲ୍ରେ ଆୟୋଜିତ ଜାତୀୟ ଜଳ ପୁରସ୍କାର – ୨୦୨୨ର ଚତୁର୍ଥ ସଂସ୍କରଣ ପୁରସ୍କାର ବିତରଣ ସମାରୋହ ଆଜି ଅନୁଷ୍ଠିତ ହୋଇଥିଲା।

ଉତ୍ସବରେ ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼୍ଙ୍କ ଠାରୁ ରାଜ୍ୟ ଉନ୍ନୟନ କମିସନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଅନୁ ଗର୍ଗ ପୁରସ୍କାର ଗ୍ରହଣ କରିଥିଲେ। ସେହିପରି ଜିଲ୍ଲା ସ୍ତରରେ ଜଳ ପରିଚାଳନାରେ ଗଂଜାମ ପ୍ରଥମ ସ୍ଥାନ ଅଧିକାର କରିଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତିଭାସନ୍ ଉପରାଷ୍ଟ୍ରପତିଙ୍କଠାରୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ଗ୍ରହଣ କରିଥିଲେ।

ପୁରସ୍କାର ବାବଦରେ ପ୍ରଶସ୍ତିପତ୍ର, ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ୧୧ଟି ବର୍ଗର ମୋଟ ୪୧ ଜଣ ବିଜେତାଙ୍କୁ ଆଜି ପୁରସ୍କୃତ କରିଥିଲେ। ଜଳଶକ୍ତି ମନ୍ତ୍ରାଳୟ ଅଧୀନସ୍ଥ କେନ୍ଦ୍ର ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ବିଭାଗ ପକ୍ଷରୁ ଜାତୀୟ ଜଳ ପୁରସ୍କାର ପ୍ରଦାନ କରାଯାଉଛି। ଦେଶର ଜଳ ସଂପଦ ପରିଚାଳନା ଦିଗରେ ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରିବାକୁ ବିଭିନ୍ନ ହିତାଧିକାରୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଜାତୀୟ ଜଳ ପୁରସ୍କାର ପ୍ରତିଷ୍ଠା କରାଯାଇଛି।

ଜାତୀୟ ଜଳ ପୁରସ୍କାର-୨୦୨୨ ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ ୮୬୮ଟି ଆବେଦନ ମିଳିଥିଲା। ଆବେଦନଗୁଡ଼ିକୁ ଯାଞ୍ଚ ଓ ମୂଲ୍ୟାଙ୍କନ କରାଯାଇ ପୁରସ୍କାର ପାଇଁ ୧୧ଟି ବର୍ଗରେ ୪୧ ବିଜେତାଙ୍କୁ ଚୟନ କରାଯାଇଥିଲା। ପୁରସ୍କାର ପ୍ରଦାନ ସମାରୋହରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ଓ ପ୍ରହଲ୍ଲାଦ ସିଂ ପଟେଲ ଏବଂ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତଥିଲେ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!