ପୁଣି ଆକ୍ଟିଭ୍ ମୋଡ୍ରେ ସିବିଆଇ। ଏଥର ସ୍କାନରରେ ସୋର ରେଲୱେ ସେକ୍ସନର ସିଗନାଲ୍ ଜେଇ ଅମୀର ଖାନ୍ । ଗତକାଲି ଅମୀରଙ୍କ ସୋରସ୍ଥିତ ଭଡ଼ାଘର ସିଲ୍ କରିଥିଲା ସିବିଆଇ।
୧୦ଟାରେ ଅମୀରଙ୍କୁ ଭଡ଼ାଘରକୁ ନେଇ ପଚରାଉଚୁରା କରିଛି ସିବିଆଇ। ବାହାନଗା ଟ୍ରେନ୍ ଟ୍ରାଜେଡି ସମ୍ପର୍କରେ ତାଙ୍କଠାରୁ ତଥ୍ୟ ଓଗାଳିବାକୁ ଚଳାଇଛି ଚେଷ୍ଟା। ଭଡ଼ାଘରେ ପ୍ରାୟ ୬ ଘଣ୍ଟା ଜେରା ପରେ ଅମୀରଙ୍କୁ ସାଥିରେ ନେଇ ଫେରିଥିଲା ସିବିଆଇ।
ଅମୀରଙ୍କଠାରୁ ସିବିଆଇକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡ଼ିଛି। ସେପଟେ ପ୍ରଥମ ଥର ଲାଗି କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ସିଗନାଲ୍ ଜେଇ ଅମୀର ଖାନ୍।
ଏପଟେ ଏ ଘଟଣାକୁ ନେଇ ଚାଲିଥିବା କଳ୍ପନା ଜଳ୍ପନା ଉପରୁ ସାମାନ୍ୟ ପରଦା ଉଠାଇଛନ୍ତି ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟ ଜନସମ୍ପର୍କ ଅଧିକାରୀ। କହିଛନ୍ତି, ଘଟଣା ପରଠାରୁ ଷ୍ଟେସନର କୌଣସି କର୍ମଚାରୀ ଫେରାର ନାହାନ୍ତି। ଉଭୟ ସିଆରଏସ୍ ଓ ସିବିଆଇ ତଦନ୍ତ କରୁଛନ୍ତି । ଆବଶ୍ୟକ ସ୍ଥଳେ ଷ୍ଟେସନର କୌଣସି କମର୍ଚାରୀଙ୍କୁ ବି ପଚରାଉଚୁରା କରୁଛନ୍ତି ତଦନ୍ତକାରୀ ଟିମ୍।
ଏସବୁ ଭିତରେ ବାହାନଗା ଟ୍ରେନ୍ ଦୁର୍ଘଟଣାର ୧୮ ଦିନ ପରେ ଆଜି ପୁଣି ଥରେ ବାହାନଗା ଗସ୍ତ କରିଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଦୁର୍ଘଟଣା ପରେ ୫୦ ଘଣ୍ଟା ଧରି ଚାଲିଥିବା ରେସକ୍ୟୁ ଅପରେସନରେ ବାହାନଗାବାସୀଙ୍କ ଅକୁଣ୍ଠ ସହଯୋଗ ଲାଗି କୃତଜ୍ଞତା ଜଣାଇବା ସହ ସେବା କରିଥିବା କିଛି ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

