ଆଜି ଶ୍ରୀଜିଉଙ୍କ ରାଜରାଜେଶ୍ବେର ବେଶ ବା ସୁନାବେଶ । ମହଣ ମହଣ ସୁନାରେ ସୁସଜ୍ଜିତ ହେବେ ମହାବାହୁ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୁରତି । ଗତକାଲି ଶୃଙ୍ଖଳିତ ଭାବେ ବାହୁଡ଼ା ନୀତି ସମ୍ପର୍ଣ୍ଣ ହୋଇଥିବା ବେଳେ ଏବେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ବିରାଜମାନ । ଆଜି ରଥାରୂଢ଼ ଶ୍ରୀବିଗ୍ରହଙ୍କ ହେବ ସୁନାବେଶ । ମହାପ୍ରଭୁଙ୍କ ସୁନାବେଶ ପାଇଁ ସକାଳୁ ଚାଲିଛି ସବୁ ନୀତିକାନ୍ତି । ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି, ଅବକାଶ, ବେଶ ଶେଷ, ଗୋପାଳ ବଲ୍ଳଭ, ସକାଳ ଧୂପ, ମଇଲମ, ମହାସ୍ନାନ ଓ ସର୍ବାଙ୍ଗ, ବେଶ ଶେଷ ପରେ ଅନ୍ୟାନ୍ୟ ନୀତି ବଢ଼ି ମେକାପ ସର୍ବାଙ୍ଗ ପରେ ଶ୍ରୀଜିଉମାନଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ ।

ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ରାଜବେଶରେ ସଜାଇଥାନ୍ତି । ଏହି ବେଶରେ ଠାକୁରମାନେ ଶ୍ରୀଭୁଜ, କିରୀଟ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କୁଣ୍ଡଳ, ଚିତା, ଚନ୍ଦ୍ରିକା, ଶଙ୍ଖ, ଚକ୍ର, ହଳ, ମୂଷଳ, ତ୍ରିଶାଖା, ଅଳକା, ତଡ଼ଗି, ଶ୍ରୀମୁଖ ପଦ୍ମ, ଘାଗଡ଼ା ମାଳି, କଦମ୍ବ ମାଳି, ହରିଡ଼ା କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ବାଘନଖି ମାଳି ଓ ସେବତୀମାଳି ଆଦି ରତ୍ନ ଅଳଙ୍କାର ଧାରଣ କରିଥାନ୍ତି ।
ଏହି ବେଶରେ ଗୋପାଳ ବଲ୍ଲଭ, ସକାଳଧୁପ ଓ ଭୋଗମଣ୍ଡପ ଆଦି ନୀତି ଶେଷହେବା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସାହାଣମେଲା କରାଯାଇଥାଏ ।

