ଭିତ୍ତିଭୂମିକୁ କଳଙ୍କିବିହୀନ କରିବା ନିହାତି ଜରୁରୀ, ଦେଶ ସହୁଛି ଅନେକ କ୍ଷତି

କଳଙ୍କି ପ୍ରଭାବରେ ପ୍ରତିବର୍ଷ ଦେଶ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୪ ପ୍ରତିଶତ ହରାଉଛି। ତାହାର ମୂଲ୍ୟ ହେଉଛି ୧,୨୨,୪୮୧ କୋଟି ଟଙ୍କା। ରାସ୍ତାଘାଟ, କୋଠାବାଡ଼ିଠାରୁ ଆରମ୍ଭ କରି ସଡ଼କ ଓ ପୋଲ ଆଦି ନିର୍ମାଣରେ ବ୍ୟବହାର ହେଉଥିବା ଧାତବ ପଦାର୍ଥରେ କଳଙ୍କି ଲାଗିବା ଦେଶ ପାଇଁ ଏକ ବହୁ ବଡ଼ ସମସ୍ୟା ହୋଇରହିଛି। ଆନ୍ତର୍ଜାତିକ ଜିଙ୍କ୍‌ ସଂଘର ନିର୍ଦ୍ଦେଶକ (ଭାରତ) ଡ. ରାହୁଲ ଶର୍ମା ଏହି ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ କଳଙ୍କି ସମସ୍ୟା ଓ ତାହାର ପ୍ରତିକାର ବିଷୟରେ ଜଣାଇବା ଲାଗି ‌ସେ ଭୁବନେଶ୍ବରରେ ଆସିଛନ୍ତି। ଏକ ସେମିନାରରେ ପୂର୍ତ୍ତ ବିଭାଗ, ଇଡ୍‌କୋ, ଭାରତୀୟ ରେଳ, ଭୁବନେଶ୍ବର ମୁନିସ୍‌ପାଲ କର୍ପୋରେସନ, ସ୍ମାର୍ଟ ସିଟିର ବରିଷ୍ଠ ଅଧିକାରୀ ଓ ବଡ଼ ବଡ଼ କର୍ପୋ‌ରେଟ୍ ସଂସ୍ଥା ଓ ପ୍ରତିଷ୍ଠିତ ସ୍ଥପତିମାନଙ୍କୁ ଏବିଷୟରେ ସୂଚିତ କରାଯାଇଛି। ଶ୍ରୀ ଶର୍ମା କହିଛନ୍ତି ଯେ ସାଧାରଣ ଧାତବ ପଦାର୍ଥ ବଦଳରେ ଯଦି ଜିଙ୍କ୍‌ ପ୍ରଲେପ ଦିଆଯାଇଥିବା ଧାତବ ସାମଗ୍ରୀ ବ୍ୟବହାର କରାଯିବ ତେବେ ନିର୍ମାଣ ହୋଇଥିବା ଢାଞ୍ଚାର ଜୀବନ କାଳ ୩-୪ ଗୁଣା ବଢ଼ିଯିବ। ଯଦିଓ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିପାଇଁ ପ୍ରକଳ୍ପ ଖର୍ଚ୍ଚରେ କିଛିଟା ବୃଦ୍ଧି ହେବ, କିନ୍ତୁ ଦୀର୍ଘକାଳୀନ ଭିତ୍ତିରେ ରକ୍ଷଣାବେକ୍ଷଣ ବାବଦରେ ହେଉଥିବା ଖର୍ଚ୍ଚ ସଞ୍ଚୟ କରାଯାଇପାରିବ।

ଏହି ଅବସରରେ ଆଇଆଇଟି ଭୁବନେଶ୍ବରର ପ୍ରଫେସର ପି ଦିନାକର କହିଛନ୍ତି ଯେ କଳଙ୍କିକୁ ନିୟନ୍ତ୍ରଣ କରିବାରେ ଗାଲଭାନାଇଜଡ୍‌ ଷ୍ଟିଲ୍‌ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି। ବହୁ ଗବେଷଣାରେ ଏହା ସ୍ପଷ୍ଟ ମଧ୍ୟ କରାଯାଇଛି। ତେଣୁ ନୂତନ ନିର୍ମାଣ ବେଳେ ଗାଲଭାନାଇଜଡ୍‌ ଇସ୍ପାତ ବ୍ୟବହାର କଲେ ତାହାର ଜୀବନକାଳ ଅଧିକ ହୋଇପାରିବ ବୋଲି ସେ କହିଛନ୍ତି। ଉପକୂଳ ଅଞ୍ଚଳରେ କଳଙ୍କି ଏକ ବଡ଼ ସମସ୍ୟା। ଓଡ଼ିଶ‌ାରେ ବିସ୍ତୃତ ସମୁଦ୍ରକୂଳ ଥିବାରୁ ଏଠାରେ ନିର୍ମାଣ ‌କରାଯାଉଥିବା ଭିତ୍ତିଭୂମିକୁ କଳଙ୍କିବିହୀନ କରିବା ନିହାତି ଜରୁରୀ ବୋଲି ସେ କହିଛନ୍ତି।

ଆଇଆଇଟି ବମ୍ବେର ଅବସରପ୍ରାପ୍ତ ପ୍ରଫେସର ଆନନ୍ଦ ଏସ୍‌ ଖାନ୍ନା କହିଛନ୍ତି ଯେ ସମୁଦ୍ର ପାଖାପାଖି ଅଞ୍ଚଳରେ ହେଉଥିବା କଳଙ୍କି ସମସ୍ୟାକୁ ସି୪ ବର୍ଗରେ ସାମିଲ କରାଯାଇଛି। ଏହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେଉଥିବା ଧାତବ ସାମଗ୍ରୀରେ ଜିଙ୍କ ପ୍ରଲେପ ରହିବା ନିହାତି ଜରୁରୀ।

କେବଳ ସେହି ଉପାୟରେ ନିର୍ମାଣ କରାଯାଉଥିବା ଢାଞ୍ଚାର ଜୀବନକାଳ ବୃଦ୍ଧି କରାଯାଇପାରିବ ବୋଲି ସେ କହିଛନ୍ତି। ଦେଶରେ ବର୍ଷକୁ ୧୨୮ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରାଯାଉଥିବା ବେଳେ ସେଥିରୁ ୨୦ ନିୟୁତ ଟନ୍ ହେଉଛି ଗାଲ୍‌ଭାନାଇଜଡ୍‌ ଇସ୍ପାତ। ବର୍ତ୍ତମାନ ରେଳବାଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଲଭାନାଇଜଡ୍‌ ଇସ୍ପାତ ବ୍ୟବହାର ଆରମ୍ଭ କରାଯାଇଛି

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!