ହାତରେ ରଙ୍ଗ ତୂଳି ଧରିଲେ ଜୀବନ୍ତ ହୁଏ କାନଭାସ୍ । ପେନସିଲ ମୁନରେ ସେ ଆଙ୍କନ୍ତି ଅବିକଳ ଫଟୋଚିତ୍ର । ଆମେ କହୁଛୁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍, ରାଉତପୁର , କୁଣ୍ଡପାଟଣା ଗାଁର ସତ୍ୟଜିତ୍ ପୃଷ୍ଟି । ଚିତ୍ର ଆଙ୍କି ସେ ନିଜ ପାଇଁ ସୃଷ୍ଟି କରିପାରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ । ତାଙ୍କ ହାତରେ ରହିଛି ଅଦଭୁତ ଯାଦୁ। ଯାହା ଦେଖୁଛନ୍ତି ଅବିକଳ ଆଙ୍କୁଛନ୍ତି । ବିନା ପ୍ରଶିକ୍ଷଣରେ ସେ ଚିତ୍ର କରୁଛନ୍ତି । ବିଭିନ୍ନ ଦେବାଦେବୀଙ୍କ ଚିତ୍ର ଆଙ୍କିବା ସହ ନେତା, ଅଭିନେତାଙ୍କ ଅବିକଳ ଚିତ୍ର କରୁଛନ୍ତି ସତ୍ୟଜିତ । ଏହି ଚିତ୍ର ଆଙ୍କିବା କାର୍ଯ୍ୟରେ ତାଙ୍କୁ ସହଯୋଗ କରିଛନ୍ତି ତାଙ୍କ ପରିବାର । ସବୁ କିଛି ନିଖୁଣ ଭାବେ ଚିତ୍ରିତ କରୁଛନ୍ତି ସତ୍ୟଜିତ । ତାଙ୍କର ପ୍ରତିଭାକୁ ବିକଶିତ କରିଥିଲା ଲକଡାଉନ୍ । ଏବେ ସତ୍ୟଜିତ ଚଣ୍ଡିଖୋଲ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନିରେ ପଢୁଛନ୍ତି । ପାଠପଢା ସହ ସେ ଚିତ୍ର ମଧ୍ୟ ଆଙ୍କୁଛନ୍ତି , ସୋସିଆଲ ମିଡିଆରେ ସେ ନିଜେ କରିଥିବା ଚିତ୍ରକୁ ଅପଲୋଡ କରି ସବୁଆଡୁ ପ୍ରଶଂସା ପାଇଛନ୍ତି ।
ପ୍ର
ଶ୍ନ- ଚିତ୍ର କରିବା କେବେଠୁ ଆରମ୍ଭ କଲେ?
ଉତ୍ତର- ମୁଁ ଅଷ୍ଟମ ଶ୍ରେଣୀରୁ ଚିତ୍ର କରିବା ଆରମ୍ଭ କରିଥିଲି । ପ୍ରଥମେ ଲୋକଙ୍କ ଫଟୋ ଦେଖି ଅବିକଳ ଆଙ୍କିବାକୁ ଚେଷ୍ଟା କଲି ।ପରେ କରୋନା ଲକଡାଉନ ସମୟରେ ମୋତେ ଅଧିକ ସମୟ ମିଳିଥିଲା ଚିତ୍ର ଆଙ୍କିବାକୁ । ସେବେଠୁ ଚିତ୍ର କରୁଛି ।
ପ୍ରଶ୍ନ- ଆପଣ ଫୋଟୋ ଦେଖି ଅବିକଳ ଚିତ୍ର ଆଙ୍କିଦିଅନ୍ତି ,ପ୍ରୋଟ୍ରେଟ କରିବାକୁ କାହିଁକି ଭଲ ଲାଗେ?
ଉତ୍ତର- ହଁ, ମୋତେ ପ୍ରୋଟ୍ରେଟ କରିବାକୁ ମୋତେ ଭଲ ଲାଗେ, ପିଲାବେଳୁ ବଡ଼ ଭାଇ ଚିତ୍ର କରୁଥିବାରୁ ଦେଖି ମୁଁ ଆଙ୍କିବା ଆରମ୍ଭ କରିଥିଲି । ଆଉ ଆଜିକାଲି ପ୍ରୋଟ୍ରେଟର ମଧ୍ୟ ଭଲ ଡିମାଣ୍ଡ ରହୁଛି ।
ପ୍ରଶ୍ନ- ଚିତ୍ର ପାଇଁ କେଉଁଠି ତାଲିମ ନେଇଛନ୍ତି?
ଉତ୍ତର- ନାଁ , ୟୁଟ୍ୟୁବରୁ ଭିଡିଓ ଦେଖି ଅଭ୍ୟାସ କରୁଥିଲି ।
ପ୍ରଶ୍ନ- ପାଠପଢା ସହ ଚିତ୍ର ବି କରୁଛନ୍ତି, ସମୟ ପରିଚାଳନା କରିପାରୁଛନ୍ତି?
ଉତ୍ତର- ପାଠପଢା ସହ ଚିତ୍ରକୁ ମୁଁ ସମୟ ଦେଇପାରୁନି । ତଥାପି କେତେବେଳେ ସମୟ ପାଇଲେ ମୁଁ ଚିତ୍ର କରିବା ଅଭ୍ୟାସ କରେ ।
ପ୍ରଶ୍ନ- ପୋଟ୍ରେଟ ଛଡା ଆଉ କେଉଁଭଳି ଚିତ୍ର ଅଙ୍କିବାକୁ ପସନ୍ଦ କରନ୍ତି?
ଉତ୍ତର- ମୁଁ ବିଭିନ୍ନ ଦେବାଦେବୀ, ସମାଜରେ ଘଟୁଥିବା ଘଟଣାକୁ ନେଇ ଚିତ୍ର ଆଙ୍କିଥାଏ । ଏବେ ଗଣେଷ ପୂଜା ଆସୁଥିବାରୁ ଗଣେଷଙ୍କର ଏକ ଚିତ୍ର ଆଙ୍କୁଛି ।
ପ୍ରଶ୍ନ- ଆଗାମୀ ଦିନରେ ଲକ୍ଷ୍ୟ କଣ ରଖିଛନ୍ତି?
ଉତ୍ତର- ଆଗାମୀ ଦିନରେ ମୁଁ ଜଣେ ଚିତ୍ରକର ହେବାକୁ ଲକ୍ଷ୍ୟ ରଖିଛି ।
ପ୍ରଶ୍ନ- ପରିବାର ଲୋକ ସହଯୋଗ କରନ୍ତି ?
ଉତ୍ତର- ହଁ ନିଶ୍ଚିତ, ମୋ ବାପା,ମା, ଭାଇ ମୋତେ ଚିତ୍ର କରିବାକୁ ଉତ୍ସାହିତ କରନ୍ତି । ପଢା ସହ ମୁଁ କିପରି ଭଲ ଚିତ୍ର କରିପାରିବି ସେମାନେ ମୋତେ ମାର୍ଗ ଦେଖାନ୍ତି ।
ପ୍ରଶ୍ନ- ନିଜର ଆର୍ଟକୁ କେମିତି ପ୍ରମୋଟ କରନ୍ତି?
ଉତ୍ତର- ମୋର ଇନଷ୍ଟାଗ୍ରାମରେ ସତ୍ୟଜିତ ଆର୍ଟ ନାମକ ଏକ ଆକାଉଣ୍ଟ ଅଛି । ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଅଛି । ମୁଁ ଯେଉଁ ସବୁ ଚିତ୍ର କରେ ତାକୁ ସୋସିଆଲ ମିଡିଆରେ ଅପଲୋଡ କରି ପ୍ରମୋଟ କରେ । କିନ୍ତୁ ବର୍ତ୍ତମାନ ସମୟ ଅଭାବରୁ ମୁଁ ଅପଲୋଡ କରିପାରୁନି ।



