ଚଳିତମାସରେ ଓଡ଼ିଶା କ୍ୟାଡ଼ରର ୨୦୦୦ ବ୍ୟାଚ୍ ଆଇଏଏସ୍ ଭିକେ ପାଣ୍ଡିଆନ ମଧ୍ୟ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି।
ଓଡ଼ିଶା କ୍ୟାଡ଼ରର ଆଉ ଜଣେ ଆଇଏଏସ୍ ଚାକିରିରୁ ଇସ୍ତଫା ଦେଇଛନ୍ତି । ଓଡ଼ିଶା କ୍ୟାଡ଼ରର ୨୦୦୯ ବ୍ୟାଚ୍ ଆଇଏଏସ ଭି.ଜୟକୁମାର ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ।
କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ତାଙ୍କର ଇସ୍ତଫା ପତ୍ରକୁ ପିଛିଲା ଭାବେ ଗତ ସପ୍ତାହରେ ମଞ୍ଜୁର କରିଛନ୍ତି। ଜୟକୁମାର କୋରାପୁଟ ଜିଲ୍ଲାପାଳ ଥିବାବେଳେ ୧୧ଜଣ କର୍ମଚାରୀଙ୍କୁ ନିଲମ୍ବନ କରି ବିବାଦୀୟ ହୋଇପଡ଼ିଥିଲେ । କର୍ମଚାରୀଙ୍କ ଏଭଳି ନିଲମ୍ବନ ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଦାନା ବାନ୍ଧିବା ପରେ ସରକାର ତାଙ୍କୁ ସଚିବାଳୟକୁ ବଦଳି କରିଥିଲେ । ସେ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ, ଯୋଜନା ଓ ସଂଯୋଜନ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ।
କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୯ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ଭି.ଜୟକୁମାରଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ଅଲଇଣ୍ଡିଆ ସର୍ଭିସ (ଲିଭ୍) ରୁଲସ-୧୯୫୫ର ରୁଲସ ୭(୨)(କ)ର ପ୍ରାବଧାନ ଅନୁସାରେ ୨୦୨୦ ଜୁନ୍ ପହିଲାରୁ ତାଙ୍କର ଇସ୍ତଫାକୁ ମଞ୍ଜୁର କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

