ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଭୁବନେଶ୍ବର ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଅଧ୍ୟକ୍ଷା ଡ ଶିଳ୍ପୀ ସାହୁଙ୍କୁ ମର୍ଯ୍ୟାଦାଜନକ ପ୍ରତିଭା ପଟ୍ଟନାୟକ ମହିଳା ଆଚିଭର ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀସ୍ଥିତ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ଡ ସାହୁଙ୍କୁ ଏହି ସମ୍ମାନ ଦିଆଯାଇଛି।
ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବଠାରେ ଜଷ୍ଟିସ ଭି.ଆର.କ୍ରିଷ୍ନା ଆୟାରଙ୍କ ୧୦୯ତମ ଜନ୍ମବାର୍ଷିକ ଅବସରରେ ଅୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ ହାତରୁ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି। ସମ୍ମାନ ଗ୍ରହଣ କରିବା ଅବସରରେ ଡ. ସାହୁ କ୍ୟାପିଟାଲ ଫାଉଣ୍ଡେସନକୁ ଧନ୍ୟବାନ ଜଣାଇବା ସହିତ ଏଭଳି ଏକ ସମ୍ମାନ ଓଡ଼ିଶାର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରକୁ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ପହଂଚାଇବା ପାଇଁ ପ୍ରେତ୍ସାହିତ କରିବ ବୋଲି ପ୍ରତିକ୍ରିୟାରେ କହିଥିଲେ।
ଏହି ଅବସରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କୁ ଜୁଡିସିଆଲ ଇନୋଭେସନ ଦିଗରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଜଷ୍ଟିସ କ୍ରିଷ୍ନା ଆୟାର ଆୱାର୍ଡ ପ୍ରଦାନ କରାଯାଇଥିଲା। ଜଷ୍ଟିସ ଅକିଲ କୁରେଶୀଙ୍କୁ ଏମ.ସି.ଚଗଲା, ଅନୁ ଆଗାଙ୍କୁ ସୋଲି ଜେ ସୋରବଜୀ, ରଫିକ ଦାଦାଙ୍କୁ ଅନିଲ ଦିୱାନ, ପ୍ରଫେସର ଡା ସିବିକେ ମହାନ୍ତିଙ୍କୁ ଜଷ୍ଟିସ ଏ.କେ.ପଟ୍ଟନାୟକ ଏବଂ ଡ. ସଚ୍ଚିନ ବଜାଜଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ଜଷ୍ଟିସ ଏ.କେ.ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ସୋସାଇଟିର ସଂପାଦକ ସଚିବ ବିନୋଦ ସେଠୀ ମଂଚାସୀନ ଥିଲେ।

