ଗୋଟିଏ ସୁଯୋଗ କୋଟିଏ କାହାଣୀର ଶୀର୍ଷକ ହୋଇପାରେ । ସଂଘର୍ଷ ଓ ଅଧ୍ୟବସାୟ ଗୋଟିଏ ନୂତନ ପରିଚୟକୁ ଜନ୍ମଦିଏ । ସାଧାରଣ ଗାଉଁଲି ପିଲାଟିଏ ଉଦ୍ୟୋଗୀ ବନିପାରେ, ଆଉ ଜଣେ କବାଡ଼ି ଖେଳାଳି ବ୍ୟବସାୟ ଆଧାରରେ ବିଶ୍ବରେ ନିଜର ଦକ୍ଷତାକୁ ପ୍ରତିପାଦିତ କରିପାରେ । ଗାଁରେ ମାଆର ଚୁଲି ମୁଣ୍ଡରୁ ଫାଇଭ-ଷ୍ଟାର ହୋଟେଲର କିଚେନ ପର୍ଯ୍ୟନ୍ତ ବିପ୍ଳବ ବି ଆଣିପାରେ । ଖାଲି ଓଡ଼ିଶାରେ ନୁହେଁ ସାରା ଦେଶରେ ସଫଳ କାହାଣୀର ଅନନ୍ୟ ଉଦାହରଣ ସାଜିଥିବା ସେହି ବ୍ୟକ୍ତିହେଲେ ଓଡ଼ିଶାର ଗର୍ବ ଗୌରବ ଏବଂ ଘରେ ଘରେ ସୁପରିଚିତ ନାଁ ସାଜିଥିବା ଶରତ କୁମାର ସାହୁ ।
ରୁଚି…ଆପଣଙ୍କର, ଆମର ଘରେ ଘରେ ପରିଚିତ ଏକ ଆପଣାର ନାଁ । ପ୍ରତି ରୋଷେଇ ଘରର ଭାବାବେଗ ସହିତ ରୁଚିର ସମ୍ପର୍କ ଅତି ନିବିଡ଼ । ଯେତେବେଳେ ବଟା ମସଲାରେ ଆପଣ ଖାଦ୍ୟକୁ ଗୋଟିଏ ସ୍ବାଦରେ ଅନୁଭବ କରୁଥିଲେ ସେତେବେଳେ ଓଡ଼ିଶାର ପ୍ରତି ଘରେ ଘରେ ଭିନ୍ନ ସ୍ବାଦ ଭରିଥିଲା ରୁଚି । ଶିଳପୁଆ ବଟା ମସଲାରୁ ଆଧୁନିକ ଯୁଗର ଅବଧାରଣା ଦେଇ ଓଡ଼ିଶାର ରୋଷେଇ ଇତିହାସରେ ଏକ ବିପ୍ଳବ ଆଣି ଘରେ ଘରେ ପରିଚିତ ନାଁ ସାଜିଥିବା ମସଲା ହେଉଛି ରୁଚି । ଆଉ ଏହାର ପୃଷ୍ଠପୋଷକ, ପ୍ରତିଷ୍ଠାତା ଏବଂ ମାଷ୍ଟରମାଇଣ୍ଡ ଥିଲେ ଶରତ କୁମାର ସାହୁ । ଗ୍ରାହକଙ୍କ ପ୍ରତି ସମର୍ପଣ ଓ କୃତଜ୍ଞତାର ମନୋଭାବ ପ୍ରଦର୍ଶନ ପାଇଁ ରୁଚି ମସଲା ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଛି । ଗୁଣାତ୍ମକ ମାନର ମସଲା ଉତ୍ପାଦନ କରି ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶରତ ।
୧୯୫୦ ମସିହା ଜୁଲାଇ ୨୩ ତାରିଖରେ କଟକର ରାଣୀହାଟଠାରେ ଜନ୍ମ ଗ୍ରହଣ କରିଥିଲେ ଶରତ । ଶରତଙ୍କର ସଫଳ ଯାତ୍ରା ପଛରେ ରହିଛି ଏକ ସଂଘର୍ଷମୟ ଜୀବନର କାହାଣୀ । ମସଲା ଉତ୍ପାଦନ ପୂର୍ବରୁ ଜଣେ କବାଡ଼ି ଖେଳାଳିଥିଲେ ଶରତ । ରାଜ୍ୟ କବାଡ଼ି ଦଳର ସେ ଅଧିନାୟକ ମଧ୍ୟ ଥିଲେ । ଶରତଙ୍କ ପରିବାର ଏକଦା କଟକର ରାଣୀହାଟଠାରେ ଏକ ଛୋଟ ହୋଟେଲ କରି ଚଳୁଥିଲେ । ସୁସ୍ୱାଦୁ ଖାଦ୍ୟ ପରିବେଷଣ ପାଇଁ ଏହି ହୋଟେଲଟି ଜଣାଶୁଣା ଥିଲା । ୧୯୭୫ ମସିହାରେ ପ୍ରଶାସନ କୌଣସି କାରଣ ବଶତଃ ଏହି ହୋଟେଲଟିକୁ ଭାଙ୍ଗି ଦେଇଥିଲେ । ପରବର୍ତ୍ତୀ ସମୟର ସ୍ଥିତି ଦେଖି ରୁଚି ମସଲା ଉଦ୍ୟୋଗ ଶରତଙ୍କୁ ବାଟ କଢାଇଥିଲା । ୧୯୭୬ ମସିହାରେ ମାତ୍ର ୫୦୦୦ ଟଙ୍କାର ମୂଳଧନ ସହିତ ସେ ଏକ ତେଲ ଓ ଅଟା କଳ ପ୍ରତିଷ୍ଠା କରିଥିଲେ । ଏହି କଳରୁ ମସଲା ଓ ସିମେଁଇ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ୧୯୭୮ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଶରତଙ୍କୁ ଏକ କର୍ମଶାଳାରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକା ପଠାଇଥିଲେ । ସେଠାରୁ ସେ ଫୁଡ଼ ପ୍ରୋସେସିଂ ବାବଦରେ କଳାକୌଶଳ ଶିକ୍ଷାଗ୍ରହଣ କରି ନିଜ ବ୍ୟାପାରରେ ଲଗେଇଲେ ଓ ବହୁ ସଫଳତା ହାସଲ କରିଥିଲେ । ୧୯୭୬ ମସିହା ବେଳକୁ ଏକ ସାଧାରଣ ମେସିନରେ ଗୁଣ୍ଡ ମସଲାକୁ ଓଡ଼ିଶା ବଜାରରେ ପ୍ରଥମେ ପ୍ରବେଶ କରାଇଥିଲେ ଶରତ । ସେତେବେଳେ ଓଡ଼ିଶାର ଗୃହିଣୀମାନେ ବଟା ମସଲାର ଉପଯୋଗ କରୁଥିଲେ । ରୁଚି ହିଁ ପ୍ରଥମ ଥର ପାଇଁ ଓଡ଼ିଶା ବଜାରରେ ଗୁଣ୍ଡ ମସଲାର ପ୍ରବେଶ କରାଇବାରେ ସଫଳ ହୋଇଥିଲା । ହଳଦୀ, ଲଙ୍କା, ଜୀରା, ଧନିଆ ଗୁଣ୍ଡ ସହିତ ବିଭିନ୍ନ ସ୍ୱାଦ ଓ ଗୁଣମାନର ବ୍ଲେଣ୍ଡେଡ୍ ମସଲା, ବିଭିନ୍ନ ପ୍ରକାରର ରନ୍ଧନ ସାମଗ୍ରୀ ପାଇଁ ପୃଥକ୍ ପୃଥକ୍ ଶ୍ରେଣୀର ମସଲା ପ୍ରସ୍ତୁତି, ବିପଣନ ଓ ତା’ର ମାର୍କେଟିଂ କ୍ଷେତ୍ରରେ ରୁଚି ହିଁ ଓଡ଼ିଶାରେ ସର୍ବପ୍ରଥମ ପ୍ରୟାସ । ସେଦିନ କେଜିଏ ଦେଢକେଜି ମସଲା ବିକ୍ରି କରୁଥିବା ଶରତଙ୍କ ରୁଚି ଏବେ ବିରାଟ ବ୍ରାଣ୍ଡ୍ ଭାବେ ଉଭା ହୋଇଛି । ‘ରୁଚି’ ଉଦ୍ୟୋଗ ୨୦୦ରୁ ଅଧିକ ମସଲା, ସିମାଇ, ପାସ୍ତାର ବିବିଧ ସାମଗ୍ରୀକୁ ଆଜି ଓଡ଼ିଶା, ଓଡ଼ିଶା ବାହାରେ ଏବଂ ଏପରିକି ବିଦେଶରେ ବି ନିଜ ବାଣିଜ୍ୟିକ ସଫଳତା ହାସଲ କରିଛି । ବିଶ୍ବ ମସଲା ମାନଚିତ୍ରରେ ରୁଚି ଆଜି ଏକ ପରିଚିତ ନାଁ ହୋଇପାରିଛି । ମସଲା ସହିତ ସିମେଇ ଓ ପାସ୍ତା ଉତ୍ପାଦନ ଓ ବିକ୍ରିବଟା କ୍ଷେତ୍ରରେ ଏହାର ସ୍ଥାନ ସ୍ୱତନ୍ତ୍ର ଓ ଅନନ୍ୟ ।
ଯୁବପୀଢ଼ି ଓ ମହିଳାବର୍ଗଙ୍କୁ କର୍ମସଂସ୍ଥାନ ଯୋଗାଇଦେଇ ରୁଚି ଉଦ୍ୟୋଗ ଏକ ଉଦାହରଣ ମଧ୍ୟ ସୃଷ୍ଟି କରିଛି । ବ୍ୟବସାୟିକ ଅଭିବୃଦ୍ଧି ସହିତ ନିଜର ସାମାଜିକ ଓ ଉରଦାୟିତ୍ୱ ଭୂମିକା ନିର୍ବାହ କରିବା ପାଇଁ ଗଠନ ହୋଇଛି ରୁଚି ପ୍ରତିଭା ଫାଉଣ୍ଡେସନ । ସାମାଜିକ ଜୀବନ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଉତ୍ସର୍ଗୀକୃତ ଅବଦାନ ରଖିଥିବା ଯୋଗ୍ୟ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିବାର ଏକ ସୁସ୍ଥ ପରମ୍ପରା ଏହି ଫାଉଣ୍ଡେସନ ଆରମ୍ଭ କରିଛି । କୃତି ଛାତ୍ର ଓ ଛାତ୍ରୀଙ୍କ ସମେତ କ୍ରୀଡ଼ା, ଚିକିତ୍ସାସେବା, ସୃଜନଶୀଳ ସାହିତ୍ୟ, ସମାଜସେବା, ପ୍ରଶାସନିକ ସେବା କ୍ଷେତ୍ରରେ ବିଶିଷ୍ଟ ପ୍ରତିଭାଧାରୀମାନଙ୍କୁ ସମ୍ମାନିତ କରି ରୁଚି ପ୍ରତିଭା ଫାଉଣ୍ଡେସନ ନିରନ୍ତର କାର୍ଯ୍ୟ କରିଆସୁଛି । ୧୯୯୭ ମସିହାରୁ ରୁଚି ନିରବଚ୍ଛିନ୍ନ ଭାବରେ ରୁଚି ପ୍ରତିଭା ସମ୍ମାନ ପ୍ରଦାନ କାର୍ଯ୍ୟ କରିଆସୁଛି । ରାଜ୍ୟର ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମାସିକ ରୁଚି ମେଧାବୃତ୍ତି ପ୍ରଦାନ କରାଯାଉଛି । ଉଭୟ ଶିଳ୍ପ ଓ ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ଅନେକ ସମୟରେ ସମ୍ବର୍ଦ୍ଧିତ ହୋଇଛନ୍ତି ଶରତ । ୨୦୦୦ ମସିହାରେ ତାଙ୍କୁ ବିଜୁ ପଟ୍ଟନାୟକ ମେମୋରିଆଲ ସମ୍ମାନ, ୨୦୦୧,୨୦୦୩,୨୦୦୪,୨୦୦୮ରେ ଶ୍ରେଷ୍ଠ ଶିଳ୍ପଦ୍ୟୋଗୀ ସମ୍ମାନ, ୨୦୦୮ରେ ଟାଇମ୍ସ ଅଫ ଇଣ୍ଡିଆ ତରଫୁ ଓଡ଼ିଶା ଲିଡରସିପ ଆଓ୍ବାର୍ଡ, ୨୦୧୩ରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆଓ୍ବାର୍ଡ଼ ଓ ୨୦୧୪ରେ ପ୍ରୟାସ ସମ୍ମାନରେ ସମ୍ମାନିତ କରାଯାଇଛି ।





