() ସେ ବିଶ୍ବର ଦମଦାର ଡିଫେଣ୍ଡର । ପୋଜିସନ ଫୁଲ ବ୍ୟାକ । ଷ୍ଟିକ ଧରିଲେ ବିଶ୍ବର ବଛା ବଛା ଖେଳାଳି ବି ସୁଟିଂ ସର୍କଲ ଭେଦିବାକୁ ଭୟ କରନ୍ତି । ଭାରତ ପାଇଁ ପଡ଼ିଆରେ ପ୍ରାଚୀର ସଦୃଶ ଠିଆ ହୋଇରୁହନ୍ତି । ତାଙ୍କ ଆଗରେ ବଲକୁ ଗୋଲପୋଷ୍ଟରେ ପହଞ୍ଚାଇବାକୁ ହେଲେ ବିପକ୍ଷଙ୍କୁ ହେବାକୁ ପଡେ ଝାଳନାଳ । ସେହି ପ୍ରତିଭାଦାରୀ ଓ ଦକ୍ଷ ଖେଳାଳି ହେଲେ ଓଡ଼ିଆ ପୁଅ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ । ଭାରତୀୟ ହକିକୁ ଓଡ଼ିଶାର ଅବଦାନ ଅତୁଳନୀୟ । ବିଶେଷକରି ସୁନ୍ଦରଗଡ଼ର ଅବଦାନ ସାରା ବିଶ୍ବରେ ଚର୍ଚ୍ଚିତ । ସୁନ୍ଦରଗଡ଼କୁ ହକିର ଗଡ଼ କୁହାଯାଏ । ଏଠାକାର ବଣ ପାହାଡ଼ଘେରା ଆଦିବାସୀ କ୍ଷେତ୍ରରୁ ପ୍ରାୟ ପଚାଶରୁ ଅଧିକ ଯୁବକ ଯୁବତୀ ହକିରେ ଆମ ଦେଶର ପ୍ରତିନିଧିତ୍ବ କରୁଛନ୍ତି । ଏବଂ ଦେଶକୁ ଗର୍ବିତ ମଧ୍ୟ କରିଛନ୍ତି । ସେମାନଙ୍କ ମଧ୍ୟରେ ଯେଉଁ ତାରକା ଜଣକ ଆମ ରାଜ୍ୟ ଓ ଦେଶ ପାଇଁ ଯଶ ଓ ସମ୍ମାନ ଲାଭ କରିଛନ୍ତି ସେ ହେଉଛନ୍ତି ଦିଲ୍ଲୀପ ତିର୍କୀ । ଦିଲ୍ଲୀପ ତିର୍କୀ ଯେ ଆମ ରାଜ୍ୟର ସର୍ବଶ୍ରେଷ୍ଠ କ୍ରୀଡ଼ାବିତ ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ। ହକି ଜଗତର ଜଣେ ସୁନାମଧନ୍ୟ ରକ୍ଷଣ ଭାଗ ଖେଳାଳି ଭାବେ ତାଙ୍କର ପ୍ରସିଦ୍ଧି ସର୍ବଜନ ବିଦିତ।
ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ସଉନାମରା ନାମକ ଏକ ଅଖ୍ୟାତ ଗାଁରେ ଦିଲ୍ଲୀପଙ୍କର ଜନ୍ମ । ୨୫ ନଭେମ୍ବର ୧୯୭୭ରେ ପିତା ଭିନସେଣ୍ଟ ତିର୍କୀ ଓ ମାତା ରେଜିନାଙ୍କ କୋଳମଣ୍ଡନ କରିଥିବା ଦିଲ୍ଲୀପ । ପିଲାଟି ବେଳୁ ଦିଲ୍ଲୀପଙ୍କର ହକି ଖେଳ ପ୍ରତି ଥିବା ନିଷ୍ଠା ଓ କଠିନ ପରିଶ୍ରମ ତାଙ୍କୁ ଭବିଷ୍ୟତରେ ପ୍ରସିଦ୍ଧିର ଶିଖରରେ ପହଁଚାଇ ଦେଇଥିଲା । ତାଙ୍କ ପିତା ଥିଲେ ଜଣେ ରାଜ୍ୟସ୍ତରର ହକି ଖେଳାଳି ଏବଂ ସେ ହିଁ ପ୍ରଥମେ ଦିଲ୍ଲୀପ ହାତରେ ଧରାଇ ଦେଇଥିଲେ ହକି ଷ୍ଟିକ୍। ୱ୯୮୯ରେ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଦ୍ୱାରା କ୍ରୀଡ଼ା ଛାତ୍ରାବାସ ଯୋଜନାରେ ଖୁବ୍ କମ ବୟସରୁ ଦିଲ୍ଲୀପଙ୍କ ଚୟନ ହୋଇଗଲା। ଏହାପରେ ସଉନାମରାରୁ ସୁନ୍ଦରଗଡ଼ ସାଇ କ୍ରୀଡ଼ା ଛାତ୍ରାବାସ, ପରେ ଦିଲ୍ଲୀରେ ନେହେରୁ ହକି ପ୍ରତିଯୋଗିତା, ତା’ପରେ ଭାରତୀୟ ଜୁନିୟର ଦଳର ସଦସ୍ୟତା ଲାଭ କରିଥିଲେ । ୧୯୯୪ରେ ପ୍ରଥମକରି ଦିଲ୍ଲୀପ ଭାରତୀୟ ଜୁନିୟର ଦଳରେ ସାମିଲ ହୋଇଥିଲେ। ଜୁନିୟର ଦଳରେ ଖେଳିବାର ଗୋଟିଏ ବର୍ଷ ପରେ ୧୯୯୫ରେ ଦିଲ୍ଲୀରେ ଅନୁଷ୍ଠିତ ଇନ୍ଦିରା ଗାନ୍ଧୀ ସ୍ୱର୍ଣ୍ଣ କପ ହକି ପ୍ରତିଯୋଗିତା ଅବସରରେ ସିନିୟର ଦଳରେ ଖେଳିବାର ସୁଯୋଗ ମିଳିଥିଲା। ଡିଫେଣ୍ଡର ଭାବେ ଦଳରେ ତାଙ୍କର ଚମତ୍କାରିତା ପ୍ରଦର୍ଶନ ଯୋଗୁଁ କ୍ରୀଡ଼ା ଜୀବନର ପ୍ରାରମ୍ଭରୁ ହିଁ ସେ ଭାରତୀୟ ହକି ଦଳର ନିୟମିତ ସଦସ୍ୟ ବନିଯାଇଥିଲେ ।
୧୯୯୬ରେ ଦିଲ୍ଲୀପଙ୍କ କ୍ରୀଡ଼ା ଜୀବନ ଏକ ନୂଆ ମୋଡ଼ ନେଲା । ସେହି ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାର ଆଟଲାଣ୍ଟାଠାରେ ଅନୁଷ୍ଠିତ ଅଲିମ୍ପିକ୍ସ ପାଇଁ ସେ ଭାରତୀୟ ଦଳରେ ସାମିଲ ହେଲେ। ଅଲିମ୍ପିକ୍ସର କ୍ରୀଡ଼ାଙ୍ଗନରେ ଅବତୀର୍ଣ୍ଣ ହେବା ନିମନ୍ତେ ଦିଲ୍ଲୀପଙ୍କୁ ଯେତେବେଳେ ଭାରତୀୟ ଦଳରେ ନିଆଗଲା ସେତେବେଳେ ତାଙ୍କ ବୟସ ଥିଲା ୧୮ବର୍ଷ ୮ମାସ । ବିଶ୍ବର କ୍ରୀଡ଼ା ମହାକୁମ୍ଭ ଭାବେ ପରିଚିତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ଦିଗରେ ସେ ଥିଲେ ଓଡ଼ିଶାର ପ୍ରଥମ କ୍ରୀଡ଼ାବିତ । ୨୦୦୦ର ସିଡନୀ ଓ ୨୦୦୪ର ଏଥେନ୍ସ ଅଲିମ୍ପିକ୍ସରେ ମଧ୍ୟ ସେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ୧୯୯୮ରେ ନେଦରଲାଣ୍ଡସ୍ର ୟୁଟ୍ରେକ୍ଟ, ୨୦୦୨ରେ ମାଲେସିଆର କ୍ଵାଲାଲୁମ୍ପୁର ଏବଂ ୨୦୦୬ରେ ଜର୍ମାନୀର ମୁଞ୍ଚେନ୍ ଗ୍ଲାଡବାକ୍ରେ ଆୟୋଜିତ କ୍ରମାଗତ ତିନିଟି ବିଶ୍ୱକପ୍ ସମେତ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିଛନ୍ତି। ହକି କ୍ୟାରିୟରର ଆରମ୍ଭରୁ ଦିଲ୍ଲୀପ ମୁଖ୍ୟତଃ ଫରଓ୍ଵାର୍ଡ ପୋଜିସନ୍ରେ ଖେଳୁଥିଲେ। ପରବର୍ତ୍ତୀ ସମୟରେ କୋଚ୍ଙ୍କ ପରାମର୍ଶ କ୍ରମେ ଡିଫେଣ୍ଡିଂ ପୋଜିସନ୍କୁ ଆସିଥିଲେ । ସବୁଠାରୁ ବଡ଼କଥା ହେଉଛି ଫରଓ୍ଵାର୍ଡ ଛାଡ଼ି ଡିଫେଣ୍ଡର ବନିଥିବା ଦିଲ୍ଲୀପଙ୍କ ଡିଫେଣ୍ଡିଂ ଗେମ୍ ମଧ୍ୟ ଏତେ ଚମତ୍କାର ଥିଲା ଯେ, ତାଙ୍କୁ ଅତିକ୍ରମ କରି ଗୋଲପୋଷ୍ଟ ପର୍ଯ୍ୟନ୍ତ ବଲ୍ ପହଞ୍ଚାଇବା ବିପକ୍ଷ ଦଳର ଖେଳାଳିଙ୍କ ପାଇଁ ସମ୍ଭବ ହେଉନଥିଲା । ଭାରତୀୟ ହକିର ରକ୍ଷା ପ୍ରାଚୀର କୁହାଯାଉଥିବା ଦିଲ୍ଲୀପଙ୍କ ଡିଫେଣ୍ଡିଂରେ ତାଙ୍କୁ ସାଥ୍ ଦେବାକୁ ଆଗକୁ ଆସିଥିଲେ ଆଉଜଣେ ଓଡ଼ିଆ ହକି ତାରକା ଲାଜରୁସ୍ ବାର୍ଲା । ନବେ ଦଶକର ଶେଷ ଭାଗ ଆଡ଼କୁ ଦିଲ୍ଲୀପ-ଲାଜରୁସ୍ଙ୍କ ଯୋଡ଼ିକୁ ବିଶ୍ବର ଶ୍ରେଷ୍ଠ ଡିଫେଣ୍ଡର ଯୋଡ଼ିର ମାନ୍ୟତା ମିଳିଥିଲା।
୧୯୯୭ରେ ଇଂଲଣ୍ଡର ମିଲଟନକେନ୍ସଠାରେ ଅନୁଷ୍ଠିତ ଜୁନିୟର ବିଶ୍ବକପରେ ଦିଲ୍ଲୀପ ତିର୍କୀ ଏବଂ ଲାଜରୁସ୍ ବାର୍ଲାଙ୍କ ଚମତ୍କାର ଡିଫେଣ୍ଡି ଭାରତ ରୌପ୍ୟ ପଦକ ବିଜୟୀ କରିଥିଲା। ସେହିପରି ନେଦରଲାଣ୍ଡସ୍ର ୟୁଟ୍ରେକ୍ଟରେ ଆୟୋଜିତ ୧୯୯୮ର ସିନିୟର ହକି ବିଶ୍ୱକପ୍, ୧୯୯୮ର ବ୍ୟାଙ୍କକ ଏସିଆଡ୍ ତଥା ୨୦୦୦ ମସିହାର ସିଡନୀ ଅଲିମ୍ପିକ୍ରେ ମଧ୍ୟ ଦିଲ୍ଲୀପ ଓ ଲାଜରୁସ୍ଙ୍କ ଯୋଡ଼ି ଦଳର ରକ୍ଷଣ ଭାଗକୁ ସମ୍ଭାଳି ଥିଲେ । ସେ ସମୟରେ ଦିଲ୍ଲୀପ ଓ ଲାଜାରୁସ୍ଙ୍କ ଯୋଡ଼ି ଥିଲା ଭାରତୀୟ ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର୍ ଯୋଡ଼ି । ଦିଲ୍ଲୀପ ତିର୍କୀ କେବଳ ଯେ ଓଡ଼ିଶାର ପ୍ରଥମ ଅଲିମ୍ପିଆନ୍ ତାହା ନୁହେଁ, ଜାତୀୟ ସିନିୟର ଦଳର ଅଧିନାୟକତ୍ୱ କରିବାରେ ସେ ମଧ୍ୟ ପ୍ରଥମ ଓଡ଼ିଆ। ଏତଦ୍ବ୍ୟତୀତ ତିନିଟି ଅଲିମ୍ପିକ୍, ତିନିଟି ବିଶ୍ବକପ୍ ତଥା ତିନିଟି ଏସିଆଡ୍ରେ ପ୍ରତିନିଧିତ୍ୱ କରିବାରେ ସେ ମଧ୍ୟ ହେଉଛନ୍ତି ଭାରତର ଏକମାତ୍ର ଆଦିବାସୀ ଖେଳାଳି । ୧୯୯୮ର ଏସିଆଡ୍ରେ ସ୍ୱର୍ଣ୍ଣ, ୨୦୦୩ ଏବଂ ୨୦୦୭ର ଏସିଆ କପ ହକିରେ ସ୍ୱର୍ଣ୍ଣ ତଥା ୨୦୦୩ରେ ହାଇଦ୍ରାବାଦରେ ଅନୁଷ୍ଠିତ ଆଫ୍ରୋ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିବା ଦିଲ୍ଲୀପଙ୍କ ଖେଳାଳି ଜୀବନର ପ୍ରମୁଖ ସଫଳତା। ୨୦୦୩ର ଆଫ୍ରୋ ଏସୀୟ କ୍ରୀଡ଼ା ଓ ୨୦୦୨ର ବୁସାନ୍ ଏସିଆଡରେ ରୌପ୍ୟ ପଦକ ବିଜୟୀ ଦଳର ସେ ଥିଲେ ଅଧିନାୟକ । ୨୦୦୨ରେ ଜର୍ମାନୀର କୋଲୋନ୍ଠାରେ ଅନୁଷ୍ଠିତ ଚାମ୍ପିଆନ୍ସ ଟ୍ରଫି, ୨୦୦୪ରେ ପାକିସ୍ତାନର ଲାହୋରରେ ଅନୁଷ୍ଠିତ ଚାମ୍ପିଆନ୍ସ ଟ୍ରଫି ଏବଂ ୨୦୦୪ର ଏଥେନ୍ସ ଅଲିମ୍ପିକ୍, ୨୦୦୬ର ମୁଞ୍ଚେନ୍ ଗ୍ଲାଡବାକ୍ ବିଶ୍ୱକପ୍ ତଥା ଅନ୍ୟ କେତେକ ମ୍ୟାଚରେ ମଧ୍ୟ ଦିଲ୍ଲୀପ ତିର୍କୀ ଅଧିନାୟକ ଦାୟିତ୍ୱ ବହନ କରିଥିଲେ। ଅଲିମ୍ପିକ୍ର ହକି ପ୍ରତିଯୋଗିତା, ବିଶ୍ୱକପ, ଚାମ୍ପିଆନ୍ସ ଟ୍ରଫି ତଥା ଏସିଆଡ୍ ଭଳି ପ୍ରତିଯୋଗିତାରେ ଦେଶର ନେତୃତ୍ୱ ନେବା ନିଶ୍ଚିତ ଭାବେ ଏକ ବହୁତ ବଡ଼ ସମ୍ମାନ । ଦିଲ୍ଲୀପ ତିର୍କୀ ଥିଲେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ। ଦେଶର ଅନେକ ଯୁବ ଖେଳାଳି ତାଙ୍କର କୃତିତ୍ୱରୁ ଯଥେଷ୍ଟ ପ୍ରେରଣା ନେଇଥାନ୍ତି।
୨ ମେ ୨୦୧୦ରେ ଜଣେ ଖେଳାଳି ଭାବେ କ୍ରୀଡ଼ା ଜଗତରୁ ଅବସର ଘୋଷଣା ପୂର୍ବରୁ ଦିଲ୍ଲୀପ ତିର୍କୀ ଦେଶ ପାଇଁ ୪୧୨ଟି ମ୍ୟାଚରେ ଅଂଶଗ୍ରହଣ କରିସାରିଥିଲେ, ଯାହାକି ସେ ସମୟରେ ଥିଲା ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚର ବିଶ୍ୱ ରେକର୍ଡ । ପରବର୍ତ୍ତୀ ସମୟରେ ଏହି ରେକର୍ଡକୁ ନେଦରଲାଣ୍ଡସର ଟିଉନ୍ଡି ନୁୟର ଏବଂ ଇଂଲଣ୍ଡର ବ୍ୟାରୀ ମିଡିଲ୍ଟନ୍ ଅତିକ୍ରମ କରିଯାଇଥିଲେ ହେଁ ଏହା ଏବେ ବି ଭାରତୀୟ ହକିର ସର୍ବାଧିକ ରେକର୍ଡ ହୋଇ ରହିଛି । କ୍ରୀଡ଼ା କ୍ଷେତ୍ରରେ ନିଜର ଅସାଧାରଣ ଯୋଗଦାନ ସକାଶେ ଦିଲ୍ଲୀପ ତିର୍କୀ ଅନେକ ପୁରସ୍କାର ଓ ସମ୍ମାନର ମଧ୍ୟ ଅଧିକାରୀ ହୋଇଛନ୍ତି। ଇମ୍ଫା ପକ୍ଷରୁ ୧୯୯୬ରେ ଏକଲବ୍ୟ ପୁରସ୍କାର ତଥା ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୦୪ରେ ତାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିଲା।
ସେହିପରି ୨୦୦୨ରେ ଦେଶର ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ‘ଅର୍ଜୁନ’ ପୁରସ୍କାର ଏବଂ ୨୦୦୪ରେ ଭାରତ ସରକାରଙ୍କ ପକ୍ଷରୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ଦିଲ୍ଲୀପ ତିର୍କୀ। କ୍ରୀଡ଼ା ଜଗତକୁ ବିଶେଷ ଅବଦାନ ଲାଗି ୨୦୧୧ରେ ଦିଲ୍ଲୀପଙ୍କୁ ମିଳିଛି ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ । କ୍ରୀଡ଼ା କ୍ଷେତ୍ରରେ ସଫଳ ଇନିଙ୍ଗ୍ସ ଖେଳିବା ପରେ ରାଜନୀତିରେ ମଧ୍ୟ ବି ସଫଳତା ହାସଲ କରିଛନ୍ତି ଦିଲ୍ଲୀପ ତିର୍କୀ । ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ସେ ରାଜ୍ୟସଭାରେ ସାଂସଦ ରହିଥିଲେ। ଏହି ସମୟରେ ଓଡ଼ିଶାରେ ହକିର ବିଶେଷ ବିକାଶ ମଧ୍ୟ ହୋଇଛି । ୨୦୧୮ ଓ ୨୦୨୩ରେ ରେ ପୁରୁଷ ହକି ବିଶ୍ଵକପ୍ ଭଳି ଏକ ମେଗା ଇଭେଣ୍ଟର ସଫଳ ଆୟୋଜନ କରିପାରିଛି ଓଡ଼ିଶା । ଦିଲ୍ଲୀପ ତିର୍କୀ ଭାରତୀୟ କ୍ରୀଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ପ୍ରଥମ ହକି ଖେଳାଳି ଭାବେ ଭାରତୀୟ ହକି ଫେଡେରେସନ ‘ହକି ଇଣ୍ଡିଆ’ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଦିଲ୍ଲୀପ । ଏଥିସହ ସେ ବର୍ତ୍ତମାନ ଓଡ଼ିଶା ହକି ପ୍ରମୋସନ୍ କାଉନସିଲ୍ର ଅଧ୍ୟକ୍ଷ ଏବଂ ହକି ଆସୋସିଏସନ୍ ଅଫ୍ ଓଡ଼ିଶାର ସଭାପତି ମଧ୍ୟ ରହିଛନ୍ତି।







