କେନ୍ଦ୍ରାପଡା ଜିଲ୍ଲା କେରେଡାଗଡ ପ୍ରାଥମିକ ବିଦ୍ୟାଳୟ ର ଉନ୍ନତି ଏବଂ କେରେଡାଗଡ ଗ୍ରାମ ପଞ୍ଚାୟତ ପୋଖରୀର ସଂରକ୍ଷଣ ଓ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।
ଗତ ୧୮ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କେନ୍ଦ୍ରାପଡା ରାଜନଗର ଗସ୍ତରେ ଯାଇ କେରେଡାଗଡବାସୀଙ୍କ ଏହି ମୌଳିକ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନିବେଦନ କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ଏ ବିଷୟରେ ଜାଣିବାପରେ ଆଜି ‘ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠି’ରୁ ୨ଟି ଯାକ ପ୍ରକଳ୍ପ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ୨ଟିର କାର୍ଯ୍ୟ ଯଥା ଶୀଘ୍ର ସମ୍ପନ୍ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

