ରାମ ମନ୍ଦିର: ବିବାଦରୁ ପ୍ରାଣପ୍ରତିଷ୍ଠା

() ରାମମୟ ସାରା ଜଗତ। ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଲୋକାର୍ପିତ ହୋଇଛି  । ମନ୍ଦିରରେ ବିରାଜମାନ ପରେ ଶ୍ରୀରାମଙ୍କ ଠାରେ ପ୍ରାଣ ପ୍ରତିଷ୍ଠା ବିଧି ସମ୍ପନ୍ନ ହୋଇଛି ।ଶ୍ରୀରାମଙ୍କ ମନ୍ଦିର ଗର୍ଭଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲାଲାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରିଥିଲେ  । ମନ୍ତ୍ରୋଚ୍ଚାରଣ ସହ ଅନ୍ୟ ବିଧିବିଧାନ ମୁତାବକ ଏହି ନୀତି ସମ୍ପନ୍ନ ହୋଇଛି ।ଅଯୋଧ୍ୟାରେ ରାମ ମନ୍ଦିର ବହୁ ବାଦବିବାଦ ପରେ ପ୍ରତିଷ୍ଠା ହୋଇଛି । ମନ୍ଦିର ପାଇଁ ହିନ୍ଦୁ ଓ ମୁସଲିମ ପକ୍ଷ ମଧ୍ୟରେ ଲାଗି ରହିଥିଲା ବିବାଦ । ରାମ ମନ୍ଦିର ନିର୍ମାଣ ପଛରେ ଇତିହାସର ଏକ ବିବାଦୀୟ ପୃଷ୍ଠା ଯୋଡି ହୋଇରହିଛି । ରହିଥିବା ଘଟଣାବଳୀ ଉପରେ ନଜର ପକାନ୍ତୁ….

୧୫୨୬: ଇବ୍ରାହିମ ଲୋଦିଙ୍କୁ ପରାସ୍ତ କରିବା ପାଇଁ ଇଣ୍ଡିଆନ ଗଭର୍ଣ୍ଣରଙ୍କ ଅନୁରୋଧ କ୍ରମେ ଭାରତ ଆସିଥିଲେ ବାବର । ଉତ୍ତର-ପୂର୍ବ ଭାରତକୁ ଜୟ କରିବା ପରେ ବାବରଙ୍କ ଜଣେ ମୋଗଲ ସୈନ୍ୟ ପ୍ରତିନିଧି ଅଯୋଧ୍ୟା ପରିଦର୍ଶନରେ ଆସିଥିଲେ । ଏହାସହ ସେଠାରେ ଏକ ମସଜିଦ ନିର୍ମାଣ କରି ଏହାକୁ ବାବରଙ୍କ ସ୍ମରଣରେ ବାବର-ମସଜିଦ ନାଁରେ ନାମକରଣ କରିଥିଲେ । ଏହି ମସଜିଦ ଏକ ବିଶାଳ ପରସର ମଧ୍ୟରେ ନିର୍ମାଣ କରାଯାଇଥିଲା, ଯେଉଁଠି ଉଭୟ ହିନ୍ଦୁ ଓ ମୁସଲମାନ ଗୋଟିଏ ଛାତ ତଳେ ପୂଜା କରିପାରିବେ ଅର୍ଥାତ ମୁସଲମାନମାନେ ମସଜିଦ ଭିତରେ ଓ ହିନ୍ଦୁମାନେ ମସଜିଦ ବାହାରେ ପୂଜା କରିପାରିବେ ଯାହା ଏହି ପରିସର ଭିତରେ ରହିବ ।

୧୫୨୮: ଏହି ସ୍ଥାନରେ ମସଜିଦ ନିର୍ମାଣ କରିବା ପାଇଁ ମୋଗଲ ସମ୍ରାଟ ବାବର ତାଙ୍କ କମାଣ୍ଡର ମିର ବାକିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ହିନ୍ଦୁ ସମ୍ପ୍ରଦାୟ ଦାବି କରିଥିଲେ ଯେ, ଏହି ସ୍ଥାନଟି ପ୍ରଭୁ ରାମଙ୍କ ଜନ୍ମସ୍ଥାନ ଏବଂ ଏହି ସ୍ଥାନରେ ଏକ ପ୍ରାଚୀନ ମନ୍ଦିର ରହିଥିଲା । ହିନ୍ଦୁମାନେ ମତ ଦେଇଛନ୍ତି ଯେ, ମସଜିଦର ଗୋଟିଏ ଗମ୍ବୁଜ ତଳେ ଥିବା ସ୍ଥାନଟି ପ୍ରଭୁ ରାମଙ୍କ ଜନ୍ମସ୍ଥାନ ଥିଲା ।

୧୫୨୯: ମିର ବାକିଙ୍କ ଦ୍ବାରା ବାବ୍ରି ମସଜିଦ ନିର୍ମାଣ କରାଯାଇଥିଲା ।

ବାବ୍ରି ମସଜିଦ ନିର୍ମାଣର ଦୀର୍ଘ 300 ବର୍ଷ ପରେ ବିବାଦ

୧୮୮୫: କୋର୍ଟ ଆରମ୍ଭ ହୋଇଥିଲା ବିବାଦ: ମହନ୍ତ ରଘୁବୀର ଦାସ, ବାବ୍ରି ମସଜିଦ ସଂଲଗ୍ନ ଜମିରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ପ୍ରଥମ ମକଦ୍ଦମା ଦାୟର କରିଥିଲେ । ଫୈଜାବାଦ ଜିଲ୍ଲା ମାଜିଷ୍ଟ୍ରେଟ (ଡିଏମ) ଏହି ଆବେଦନକୁ ପ୍ରତ୍ୟାଖାନ କରିଦେଇଥିଲେ । ଏହାପରେ ମହନ୍ତ ରଘୁବୀର ଦାସ ବାବ୍ରି ମସଜିଦର ପ୍ରାଙ୍ଗଣରେ ଏକ ମନ୍ଦିର ନିର୍ମାଣ ପାଇଁ ଅନୁମତି ମାଗି ଭାରତ ରାଜ୍ୟ ସଚିବଙ୍କ ବିରୋଧରେ ଫୈଜାବାଦ କୋର୍ଟରେ ଏକ ଟାଇଟଲ୍ ମକଦ୍ଦମା ଦାୟର କରିଥିଲେ । କିନ୍ତୁ ଫୈଜାବାଦ କୋର୍ଟ ମଧ୍ୟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ।

୧୯୩୬: ମୁସଲିମର ଦୁଇ ସମ୍ପ୍ରଦାୟ ଶିଆ ଏବଂ ସୁନ୍ନିଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଉଭୟ ସମ୍ପ୍ରଦାୟ ବାବ୍ରି ମସଜିଦ ଉପରେ ନିଜର ଅଧିକାର ଦାବି କରୁଥିଲେ । ୧୦ ବର୍ଷ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଲଢେଇ ଚାଲିଥିଲା ।

୧୯୪୯: ମସଜିଦ ଭିତରେ ଦୃଶ୍ୟମାନ ହୋଇଥିଲା ରାମଲାଲାଙ୍କ ପ୍ରତିମା: ଡିସେମ୍ବର 22 ତାରିଖ ରାତିରେ ମସଜିଦ ଭିତରେ ରାମଙ୍କ ପ୍ରତିମା ଦେଖାଯାଇଥିଲା । କିନ୍ତୁ ମୁସଲିମ ପକ୍ଷ ଦାବି କରିଥିଲେ ଯେ, ରାତିରେ ରାମଙ୍କ ଏହି ପ୍ରତିମୂର୍ତ୍ତୀକୁ ଅଣାଯାଇ ଏଠାରେ ସ୍ଥାପନ କରାଯାଇଛି । ସେପଟେ ରାମଙ୍କ ପ୍ରତିମାକୁ ହିନ୍ଦୁଙ୍କ ପକ୍ଷରୁ ପୂଜାର୍ଚ୍ଚନା କରିବା ଆରମ୍ଭ କରାଯାଇଥିଲା । ଯାହାକୁ ନେଇ ବିବାଦ ଘନେଇଥିଲା । ପରେ ସରକାର ଏହି ସ୍ଥାନକୁ ଏକ ବିବାଦୀୟ ଅଞ୍ଚଳ ଘୋଷଣା କରି ଏହାର ପ୍ରବେଶ ଦ୍ବାରକୁ ବନ୍ଦ କରିଦେଇଥିଲେ ।

୧୯୫୦: ପୁଣିଥରେ ଫୈଜା କୋର୍ଟରେ ହିନ୍ଦୁ ପକ୍ଷରୁ ମାମଲା ଦାୟର କରାଯାଇଥିଲା । ଗୋପାଳ ସିମଲା ବିହାରଦ ଏବଂ ପରମାହଂସ ରାମଚନ୍ଦ୍ର ଦାସଙ୍କ ଦ୍ବାରା ଫୈଜାବାଦ କୋର୍ଟରେ ପୃଥକ ଭାବରେ ଦୁଇଟି ମାମଲା ଦାୟର କରାଯାଇଥିଲା । ଯେଉଁଥିରେ ରାମଲାଲାଙ୍କୁ ପୂଜା କରିବା ପାଇଁ ହିନ୍ଦୁପକ୍ଷରୁ ଅନୁମତି ମଗାଯାଇଥିଲା । ତେବେ ପୂଜାପାଠ କରିବା ପାଇଁ କୋର୍ଟ ହିନ୍ଦୁପକ୍ଷକୁ ଅନୁମତି ପ୍ରଦାନ କରିଥିଲେ । ହେଲେ ଭିତର ପ୍ରାଙ୍ଗଣର ଫାଟକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

୧୯୫୯: ହିନ୍ଦୁ ପକ୍ଷରୁ ତୃତୀୟ ମମଲା ଦାୟର ହୋଇଥିଲା । ନିର୍ମୋହି ଆଖରା ବାବ୍ରି ମସଜିଦ ଜମି ଅଧିକାର ପାଇଁ ଏକ ତୃତୀୟ ମାମଲା ଦାୟର କରିଥିଲେ ।

୧୯୬୧: ୟୁପି ସୁନ୍ନି ୱାକଫ ବୋର୍ଡ ବାବ୍ରି ମସଜିଦ ସ୍ଥାନ ଅଧିକାର କରିବାକୁ ମୁସଲିମଙ୍କ ପକ୍ଷରୁ ଏକ ମାମଲା ଦାୟର କରିଥିଲେ । ଏଥିରେ ବାବ୍ରି ମସଜିଦରୁ ରାମଙ୍କ ପ୍ରତିମାକୁ ହଟାଇବାକୁ ସେମାନେ ଦାବି କରିଥିଲେ ।

୧୯୮୪: ରାମ ଜନ୍ମଭୂମୀ ଆନ୍ଦୋଳନ ଆରମ୍ଭ: ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି) ରାମ ଜନ୍ମଭୂମି ଆନ୍ଦୋଳନ ଆରମ୍ଭ କରିବା ପାଇଁ ଏକ ଗୋଷ୍ଠୀ ଗଠନ କରିଥିଲେ । ସେହି ସମୟରେ ବିଜେପିର ବରିଷ୍ଠ ନେତା ଏଲ.କେ ଆଡଭାନୀ ଏହି ଅଭିଯାନର ନେତୃତ୍ବ ନେଇଥିଲେ ।

୧ ଫେବୃଆରୀ ୧୯୮୬: ଖୋଲିଥିଲା ବାବ୍ରି ମସଜିଦର ଭିତର ଫାଟକ: ଏକ ତୃତୀୟ ପକ୍ଷ, ଓକିଲ ୟୁସି ପାଣ୍ଡେ ଫୈଜାବାଦ ସେସନ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଯେଉଁଥିରେ ଫୈଜାବାଦ ନଗର ପ୍ରଶାସନ ଏହାର ଫାଟକ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ତେଣୁ ଏହାକୁ ଖୋଲିବା ଉଚିତ ବୋଲି ଆବେଦନ କରିଥିଲେ । ଏହାପରେ ବାବ୍ରି ମସଜିଦ ଭିତର ଫାଟକ ଖୋଲାଯାଇଥିଲା । ପରେ ହିନ୍ଦୁ ପକ୍ଷକୁ ଏଠାରେ ପୂଜାପାଠ ଏବଂ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା । ସେପଟେ ବାବ୍ରି ମସଜିଦ୍ ଆକ୍ସନ୍ କମିଟି ଏହାକୁ ବିରୋଧ କରିଥିଲେ ।

୯ ନଭେମ୍ବର ୧୯୮୯: ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ବିବାଦୀୟ ଅଞ୍ଚଳ ନିକଟରେ ଶିଳାନ୍ୟାସ (ଭିତ୍ତିପ୍ରସ୍ତର ସ୍ଥାପନ) କରିବାକୁ ବିଶ୍ବ ହିନ୍ଦୁ ପରିଷଦକୁ ଅନୁମତି ଦେଇଥିଲେ । ଏହାପରେ ରାମଲାଲାଙ୍କ ନାମରେ ଆହ୍ଲାବାଦ ହାଇକୋର୍ଟରେ ଏକ ମକଦ୍ଦମା ଦାୟର କରାଯାଇଥିଲା, ଯେଉଁଥିରେ ନିର୍ମୋହି ଆଖଡା (୧୯୫୯) ଏବଂ ସୁନ୍ନି ୱାକଫ ବୋର୍ଡ (୧୯୬୧) ରାମଲାଲାଙ୍କ ଜନ୍ମଭୂମି ଉପରେ ସେମାନଙ୍କର ଦାବି ଉପସ୍ଥାପନ କରିଥିଲେ ।

୧୫ ସେପ୍ଟେମ୍ବର ୧୯୯୦: ଏଲ.କେ ଆଡଭାନୀ, ରାମ ଜନ୍ମଭୂମି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ସୋମନାଥରୁ (ଗୁଜୁରାଟ) ଅଯୋଧ୍ୟା (ୟୁପି) ପର୍ଯ୍ୟନ୍ତ ଏକ ରଥଯାତ୍ରା ଆରମ୍ଭ କରିଥିଲେ । ଯାହାଦ୍ବାରା ସାମ୍ପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇଥିଲା ।

୬ ଡିସେମ୍ବର ୧୯୯୨: ଏହି ଦିନ ବାବ୍ରି ମସଜିଦ ଭାଙ୍ଗି ଦିଆଯାଇଥିଲା । ଏହାସହ କରସେବକ ଏଠାରେ ଏକ ଅସ୍ଥାୟୀ ମନ୍ଦିର ପ୍ରତିଷ୍ଠା କରିଥିଲେ ।

୧୬ ଡିସେମ୍ବର ୧୯୯୨: ମସଜିଦ ଭାଙ୍ଗିବାର ୧୦ ଦିନ ପରେ, ବାବ୍ରି ମସଜିଦ ଭାଙ୍ଗିବା ଏବଂ ସାମ୍ପ୍ରଦାୟିକ ଦଙ୍ଗା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଅବସରପ୍ରାପ୍ତ ହାଇକୋର୍ଟର ଜଷ୍ଟିସ ଏମ. ଏସ ଲିବରହାନଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଥିଲା । କମିଟି ଗଠନ ହେବାର ତିନି ମାସ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

୭ ଜାନୁଆରୀ ୧୯୯୩: ନରସିଂହ ରାଓ ସରକାର ୬୭.୭ ଏକର ଜମି ଅଧିଗ୍ରହଣ ପାଇଁ ଏକ ଆଦେଶ ଦେଇଥିଲେ । ପରେ ଏହା ଏକ ଆଇନ ଭାବରେ ପାରିତ ହୋଇଥିଲା । ଜମି ଅଧିଗ୍ରହଣକୁ ସୁଗମ କରିବା ପାଇଁ କେନ୍ଦ୍ର ସରକରାଙ୍କ ଦ୍ବାରା ଅଯୋଧ୍ୟା ଜମି ଅଧିଗ୍ରହଣ ଆକ୍ଟ ୧୯୩୦ ପାରିତ ହୋଇଥିଲା ।

୩ ଏପ୍ରିଲ ୧୯୯୩: ବିବାଦୀୟ ଅଞ୍ଚଳରେ ଜମି ଅଧିଗ୍ରହଣ ପାଇଁ ‘ଅଯୋଧ୍ୟା ଜମି ଅଧିଗ୍ରହଣ ଆକ୍ଟ’ ପାସ୍ ହୋଇଥିଲା । ଏହି ଆକ୍ଟକୁ ଚ୍ୟାଲେଞ୍ଜ କରି ଆହ୍ଲାବାଦ ହାଇକୋର୍ଟରେ ଇସମାଇଲ ଫାରୁକି ପକ୍ଷରୁ ପିଟିସନ ଦାଖଲ କରାଯାଇଥିଲା ।

୧୯୯୪: ଇସମାଇଲ ଫାରୁକି ପକ୍ଷରୁ କରାଯାଇଥିବା ପିଟିସନର ରାୟ ୧୯୯୪ ମସିହାରେ ଆସିଥିଲା । ଯେଉଁଥିରେ ସୁପ୍ରିମକୋର୍ଟ ୩: ୨ ସଂଖ୍ୟାରେ ଅଯୋଧ୍ୟାରେ କେତେକ ଅଞ୍ଚଳର ଅଧିଗ୍ରହଣ ଆଇନର ସାମ୍ବିଧାନିକତାକୁ ସମର୍ଥନ କରିଥିଲେ । ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଥିଲେ ଯେ, କେବଳ ମସଜିଦରେ ନମାଜ ପାଠ କରିବା ଇସଲାମରେ କୌଣସି ନିୟମ ନାହିଁ । ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ମୁସଲିମ ପକ୍ଷରୁ ସମାଲୋଚନା କରାଯାଇଥିଲା ।

ଏପ୍ରିଲ ୨୦୦୨: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ଅଯୋଧ୍ୟା ଟାଇଟଲ୍ ବିବାଦର ଶୁଣାଣି ଆରମ୍ଭ କରିଥିଲେ ।

ମାର୍ଚ୍ଚ-ଅଗଷ୍ଟ ୨୦୦୩: ଭାରତର ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ, ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିବାଦୀୟ ସ୍ଥାନରେ ଜମି ଖନନ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାସହ ଏଠାରୁ ଏକ ଦଶମ ଶତାବ୍ଦୀର ହିନ୍ଦୁ ମନ୍ଦିରର ଅବଶିଷ୍ଟାଂଶ ପାଇଥିବା ଦାବି କରିଥିଲେ । ସେପଟେ ମୁସଲମାନମାନେ ASI ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଥିଲେ ।

୩୦ ଜୁନ ୨୦୦୯: ୧୭ ବର୍ଷ ପରେ, ଲିବରହାନ କମିଶନ ଏହାର ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାଖଲ କରିଥିଲେ ଯେ ଏହି ରିପୋର୍ଟରେ ଯାହା ଅଛି ତାହା ସାର୍ବଜନୀନ କରାଯାଇ ନାହିଁ ।

୩୦ ସେପ୍ଟେମ୍ବର ୨୦୧୦: ଆହ୍ଲାବାଦ ହାଇକୋର୍ଟ ଏହି ଜମିକୁ ତିନି ଭାଗରେ ବିଭକ୍ତ କରିଥିଲେ । ଏହା ଅଧୀନରେ ନିର୍ମୋହି ଆଖଡାଙ୍କୁ ଏକ ତୃତୀୟାଂଶ, ସୁନ୍ନି ୱାକଫ ବୋର୍ଡକୁ ଏକ ତୃତୀୟାଂଶ ଏବଂ ରାମଲାଲା ବିରଜମାନଙ୍କୁ ଏକ ତୃତୀୟାଂଶ ପ୍ରଦାନ କରାଯାଇଥିଲା । ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ଅଯୋଧ୍ୟାର ବିବାଦୀୟ ଜମିକୁ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ୨:୧ରେ ବାଣ୍ଟିଥିଲେ । ୬ ଡିସେମ୍ବର ୧୯୯୨ରେ କରସେବକମାନଙ୍କ ଦ୍ବାରା ଭଙ୍ଗା ଯାଇଥିବା ବାବ୍ରି ମସଜିଦର ଭଙ୍ଗା ଅଂଶ ହିନ୍ଦୁଙ୍କ ଭାଗରେ ରହିଥିଲା । ଏହାସହ ରାମ ଚବୁତ୍ର ଓ ସୀତାରାସୋଇ ମଧ୍ୟ ନିର୍ମୋହି ଆଖଡାଙ୍କ ଭାଗରେ ରହିଥିଲା ।

୨୦୧୧: ମସିହାରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ । ଏହି ଶୁଣାଣି ସମ୍ପର୍କରେ ସୁପ୍ରିମକୋର୍ଟ କହିଥିଲେ ଯେ, ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଅଜବ, କାରଣ ତିନି ପକ୍ଷଙ୍କ ମଧ୍ୟରୁ କେହି ଏଥିପାଇଁ ଆବେଦନ କରିନାହାନ୍ତି ।

୨୧ ମାର୍ଚ୍ଚ ୨୦୧୭: ଭାରତର ପୂର୍ବତନ ପ୍ରଧାନ ବିଚାରପତି ଖେହର ସମସ୍ତ ପକ୍ଷଙ୍କୁ କୋର୍ଟ ବାହାରେ ସମାଧାନ ପାଇଁ ପରାମର୍ଶ ଦେଇଥିଲେ ।

୧୧ ଅଗଷ୍ଟ ୨୦୧୭: ଦିପକ ମିଶ୍ରା CJI, ଅଶୋକ ଭୂଷଣ ଏବଂ ଅବଦୁଲ ନାଜିର ଜେଜେଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ଆବେଦନ ଶୁଣାଣି ଆରମ୍ଭ କରିଥିଲେ ।

ଫେବୃଆରୀ-ଜୁଲାଇ ୨୦୧୮: ଆବେଦନକାରୀମାନେ ଯୁକ୍ତି କରିଥିଲେ ଯେ, ସୁପ୍ରିମକୋର୍ଟ ୧୯୯୪ ଇସମାଇଲ ଫାରୁକି ବିଚାରକୁ ୭ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଗଠନ କରାଯାଇ ପୁନର୍ବିଚାର ପାଇଁ ପଠାଇବା ଉଚିତ ।

୨ ସେପ୍ଟେମ୍ବର ୨୦୧୮: ସୁପ୍ରିମକୋର୍ଟ ଏକ ବୃହତ ବେଞ୍ଚ ଗଠନ କରିବାକୁ ମନା କରିଥିଲେ । ୨:୧ର ଏକ ବିଭାଜନରେ ୩ ଜଣିଆ ଖଣ୍ଡପୀଠ କହିଥିଲେ ଯେ, ୧୯୯୪ର ଇସମାଇଲ ଫାରୁକି ବିଚାର ଏକ ବଡ଼ ବେଞ୍ଚ ଗଠନ କରାଯାଇ ପୁନର୍ବିଚାର କରିବାର ଆବଶ୍ୟକତା ନାହିଁ ।

୮ ଜାନୁୟାରୀ ୨୦୧୯: ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ 5 ଜଣିଆ ବେଞ୍ଚ ଗଠନ କରିଥିଲେ । ଏହାସହ ସେପ୍ଟେମ୍ବର ୨୦୧୮ର ବିଚାରକୁ ପ୍ରତ୍ୟାଖାନ କରିଥିଲେ ।

୮ ମାର୍ଚ୍ଚ ୨୦୧୯: ଦୁଇ ଦିନିଆ ଶୁଣାଣି ପରେ ପାରସ୍ପରିକ ସହମତି ଅନୁଯାୟୀ ମଧ୍ୟସ୍ତତା ଭିତରେ ଜମି ବିବାଦର ସମାଧାନ ହେବା ଉଚିତ ବୋଲି କୁହାଯାଇଥିଲା ।

୯ ନଭେମ୍ବର ୨୦୧୯: ରାମ ଜନ୍ମଭୂମି ବିବାଦ ନେଇ ଐତିହାସିକ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ବିବାଦୀୟ ସ୍ଥାନରେ ରାମ ମନ୍ଦିର ପାଇଁ ଦେଇଥିଲେ ଅନୁମତି ଦେଇଥିଲେ କୋର୍ଟ ।

ଡିସେମ୍ବର ୧୨, ୨୦୧୯: ସୁପ୍ରିମକୋର୍ଟ ଏହାର ଅଯୋଧ୍ୟା ଜମି ବିବାଦ ମାମଲାର ପୁନଃ ସମୀକ୍ଷା ପାଇଁ ଏକ ଆବେଦନକୁ ଖାରଜ କରିଦେଇଥିଲେ ।

୫ ଫେବୃଆରୀ ୨୦୨୦: ଉକ୍ତ ସ୍ଥାନରେ ରାମ ମନ୍ଦିର ନିର୍ମାଣ ଉପରେ ନଜର ରଖିବା ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲା ।

୨୪ ଫେବୃଆରୀ ୨୦୨୦: ଅଯୋଧ୍ୟାର ସୋହୱାଲ ତହସିଲ ଧାନ୍ନିପୁର ଗାଁରେ ମସଜିଦ ନିର୍ମାଣ ପାଇଁ ରାଜ୍ୟ ସରକରାଙ୍କ ଦ୍ବାରା ଦିଆଯାଇଥିବା 5 ଏକର ଜମି ଗ୍ରହଣ କରିଥିଲା ସୁନ୍ନି ୱାକଫ ବୋର୍ଡ ।

୫ ଅଗଷ୍ଟ ୨୦୨୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

୨୨ ଜାନୁଆରୀ ୨୦୨୪ : ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା

Post Views74 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!