ସମଲେଇ ପ୍ରକଳ୍ପ ଲୋକାର୍ପିତ

ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ସମଲେଇ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହି ମା’ଙ୍କୁ ଦର୍ଶନ କରିଥିଲେ। ଲୋକାର୍ପଣ ପରେ ପ୍ରକଳ୍ପ ପାଇଁ ଜମି ଦେଇଥିବା ପରିବାର ତଥା ଶିଳ୍ପୀ ଓ କାରିଗରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ଏବେ ସାରା ବିଶ୍ବ ଦେଖିବ ପଶ୍ଚିମ ଓଡ଼ିଶାର ଆରାଧ୍ୟଦେବୀଙ୍କ ପୀଠର ନୂଆ ରୂପ । ଲୋକାର୍ପଣ ପୂର୍ବରୁ ହୋମଯଜ୍ଞ ଓ ଚଣ୍ଡିପାଠରେ କମ୍ପି ଉଠିଥିଲା ମନ୍ଦିରର ଚାରିଦ୍ବାର।

ପ୍ରକଳ୍ପ ଦ୍ବାରା ସମଲେଇ ମନ୍ଦିରରେ ଶ୍ରଦ୍ଧାଳୁ ପାଇଛନ୍ତି ଭିନ୍ନ ଅନୁଭୂତି । ୪ ଏକର ପରିସରରେ ଥିବା ମାଆଙ୍କ ପୀଠ ରୂପାନ୍ତରଣ ସ୍ପର୍ଶରେ ୪୦ ଏକରକୁ ପରିବ୍ୟାପ୍ତ ହୋଇଛି । ମନ୍ଦିରର ୪ ଦ୍ବାର ନିର୍ମାଣ ସହ ପ୍ରାକୃତିକ ପରିବେଶରେ ସଜ୍ଜିତ ହୋଇଛି। ପ୍ରତ୍ୟେକ ନିର୍ମାଣରେ ଖଣ୍ଡୋଲାଇଟ ପଥର ବ୍ୟବହାର ସହ ସ୍ଥାନୀୟ ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯାଇଥିଲା।

ମନ୍ଦିର ପରିକ୍ରମା ପାଇଁ ପରିକ୍ରମା ମାର୍ଗ, ପ୍ରବେଶ ଦ୍ବାର, ମନ୍ଦିର କାର୍ଯ୍ଯାଳୟ, ପୂଜକ ବିଶ୍ରାମାଳୟ, ଭେଣ୍ଡିଂ ଜୋନ୍, ଜୋତା ଷ୍ଟାଣ୍ଡ ଆଦିକୁ ଐତିହ୍ୟପୂର୍ଣ୍ଣ ଢଙ୍ଗରେ ନିର୍ମାଣ କରାଯାଇଛି । ଏବେ ମାଆଙ୍କ ମନ୍ଦିରରେ ସମସ୍ତ ପୂଜାକାର୍ଯ୍ୟ ସହ ମହାନଦୀ ଆରତିର ଦିବ୍ୟ ଅନୁଭବ ପାଇବାକୁ ସୁବିଧା ହୋଇଥିବାରୁ ଶ୍ରଦ୍ଧାଳୁମାନେ ଖୁସି ପ୍ରକାଶ କରିଛନ୍ତି । ସମଲେଇ ପ୍ରକଳ୍ପ ପାଇଁ ଦୁଇଟି ପର୍ଯ୍ୟାୟରେ ୪ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ପୁରୀ ପରିକ୍ରମା ପ୍ରକଳ୍ପ ପରେ ମା’ ସମଲେଶ୍ବରୀ ପ୍ରକଳ୍ପ କାମ ହେଉଛ ଆଉ ଏକ ବଡ଼ ରୂପାନ୍ତରଣ। ମା’ଙ୍କ ଦର୍ଶନ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶା ସହ ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଶ୍ରଦ୍ଧାଳୁ ଆସିଥାନ୍ତି।

ମାଆ ସମଲେଇଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଭକ୍ତି, ସମର୍ପଣ ଏବଂ ଲୋକଙ୍କ ଭାବାବେଗ ପ୍ରତି ଶ୍ରଦ୍ଧା ହିଁ ଏହି ପ୍ରକଳ୍ପକୁ ବାସ୍ତବତାର ରୂପ ଦେଇଛି । ୩୦ ତାରିଖ ପରେ ସାଧାରଣ ଶ୍ରଦ୍ଧାଳୁ ସମଲେଇ ପ୍ରକଳ୍ପ ବୁଲି ଭିନ୍ନ ଅନୁଭୂତି ସାଉଁଟି ପାରିବେ । ଆସନ୍ତା ୩୧ ତାରିଖରେ ଯଜ୍ଞର ପୂର୍ଣ୍ଣାହୁତି ହେବ।

 

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!