ଓଡିଶା ଆଇଟି ରୂପାନ୍ତରଣର ବାହକ ମନୋଜ

ସେବା ଗୋଟିଏ ମନୋଭାବ । ବିକାଶ ଏକ ଭାବନା, ପ୍ରଗତି ଏକ ଲକ୍ଷ୍ୟସ୍ଥଳ । ମାଟିମାଆର ସେବା କରିବାର ଇଚ୍ଛା, ଓଡ଼ିଆ ମାଟିକୁ ଆଗେଇ ନେବାର ଇଚ୍ଛାଶକ୍ତି ଜଣଙ୍କୁ ଆଧୁନିକ ଓଡିଶା ଗଠନରେ ବ୍ରତୀ କରାଇଦିଏ । ସେହିଭଳି ଜଣେ ବ୍ୟକ୍ତିତ୍ବ ହେଲେ ଓଡ଼ିଆ ପୁଅ ମନୋଜ କୁମାର ମିଶ୍ର । ଓଡ଼ିଶାର ଗର୍ବଗୌରବ ପୂର୍ବତନ ଆଇଆରଟିଏସ୍ ମନୋଜ ମିଶ୍ର । ଓଡ଼ିଶାକୁ ଆଗେଇ ନେବାକୁ ତାଙ୍କ ସଂକଳ୍ପ ଓ ପ୍ରତିବଦ୍ଧତା ପାଇଁ ତାଙ୍କ ଉପରେ ଭରସା କରିଛନ୍ତି ରାଜ୍ୟ ସରକାର । ଏବେ ଓଡ଼ିଶା ସରକାରଙ୍ଇକ ଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ସେ ଦାୟିତ୍ବ ତୁଲାଉଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଓଏସଡି, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ, ରେଳ କୋଅର୍ଡିନେସନ କମିଶନର, ରାଜ୍ୟ ଆଇଟି ସଚିବ ଓ ଓକାକ୍ ଚେୟାରମ୍ୟାନ୍ ଏକାଧିକ ଦାୟିତ୍ବ ତୁଲାଇ ନିଜ କର୍ତ୍ତବ୍ୟ ପରାୟଣତାକୁ ପ୍ରମାଣିତ କରିଛନ୍ତି ।

୧୯୯୯ ବ୍ୟାଚ୍ ଆଇଆରଟିଏସ୍ ମନୋଜ କୁମାର ମିଶ୍ର । ୨୦୧୭ ମସିହାରେ ସେ ଓଡ଼ିଶାକୁ ଡେପୁଟେସନରେ ଆସିଥିଲେ । ସେତେବେଳେ ଓଡ଼ିଶାର ବିକାଶ ଧାରା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନୂଆ ଓଡ଼ିଶାର ନକ୍ସା ତାଙ୍କୁ ପ୍ରଭାବିତ କରିଥିଲା । ନିଜ ଜନ୍ମମାଟିର ରୂପାନ୍ତରଣରେ ସାମିଲ ହେବାକୁ ସେ ଆଗ୍ରହ ପ୍ରକାଶ କରିଥିଲେ । ଚାକିରିରୁ ଇସ୍ତଫା ଦେଇ ଓଡ଼ିଶାର ସେବାରେ ନିଜକୁ ନିୟୋଜିତ କରିବାକୁ ଆଗେଇ ଆସିଥିଲେ । ଆଇଆରଟିଏସ୍ ଚାକିରିରୁ ଇସ୍ତଫା ନେଇ ଆବେଦନ ପତ୍ରକୁ ରାଷ୍ଟ୍ରପତି ୨୦୨୨ ଡିସେମ୍ବର ୨୮ତାରିଖରେ ଅନୁମୋଦନ କରିବା ପରେ ସେ ଆରମ୍ଭ କରିଥିଲେ ନୂଆ ଓଢ଼ିଶାର ଯାତ୍ରା । ମନୋଜଙ୍କ ଆଗ୍ରହ, ନିଷ୍ଠା ଓ ଦକ୍ଷତାକୁ ଚିହ୍ନି ତାଙ୍କୁ ଗୁରୁଦାୟିତ୍ବ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ପ୍ରଥମେ ତାଙ୍କୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦେଇଥିଲେ। ଏହା ସହ ବାଣିଜ୍ୟ ଓ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

ବର୍ଷ କେଇଟାରେ ମନୋଜ ରାଜ୍ୟ ସରକାରଙ୍କ ରୂପାନ୍ତରଣ ସ୍ବପ୍ନକୁ ବାସ୍ତବତାରେ ପରିଣତ କରୁଛନ୍ତି । ତାଙ୍କ ନେତୃତ୍ବ ଓ ରଣନୀତିରେ ଓଡ଼ିଶା ଆଜି ଆଇଟି କ୍ୟାପିଟାଲ ହେବାକୁ ଯାଉଛି । ଓଡିଶାକୁ ଖ୍ୟାତନାମା ଆଇଟି କମ୍ପାନୀମାନଙ୍କୁ ଆଣି ଏଠାରେ ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୃଷ୍ଟି କରିଛନ୍ତି । ପୂର୍ବ ଭାରତରେ ଓଡ଼ିଶାକୁ ପ୍ରମୁଖ ଆଇଟି ହବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଚଳାଇଥିବା ଉଦ୍ୟମ ଧିରେ ଧିରେ ସାକାର ହେବାରେ ଲାଗିଛି। ସୂଚନାପ୍ରଯୁକ୍ତି କ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ନୂଆ ଆଇଟି ନୀତି ଓ ମନୋଜଙ୍କ ରଣନୀତି ଏ କ୍ଷେତ୍ରରେ ସହାୟକ ହୋଇଛି। ଦକ୍ଷ ମାନବ ସମ୍ବଳ, ସରଳ ଶିଳ୍ପନୀତି ଆଇଟି ସଂସ୍ଥାଗୁଡ଼ିକୁ ଓଡ଼ିଶାମୁହାଁ କରିଛି। ଫଳରେ ଓଡ଼ିଶାର ବୈଷୟିକ ଜ୍ଞାନସମ୍ପନ୍ନ ଯୁବକଯୁବତୀ ନିଯୁକ୍ତି ପାଇଁ ଅନ୍ୟ ରାଜ୍ୟ ବା ସହର ନୁହେଁ; ଓଡ଼ିଶାରେ ନିଯୁକ୍ତି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ଦେଶ ବିଦେଶର ପ୍ରତିଷ୍ଠିତ ଆଇଟି କମ୍ପାନୀ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି।ଓ-ହବ୍‌ଠାରେ ଆୟୋଜିତ ଷ୍ଟାର୍ଟଅପ୍ ‌ମେଳା, ଡାଟା ସେଣ୍ଟର ପଲିସି-୨୦୨୨, ଡାଟା ସେଣ୍ଟର ୟୁନିଟ୍‍ ଭିତ୍ତିଭୂମି ନିର୍ମାଣ,ଆଇବିଏମ୍‍, ଡେଲଏଟ୍‍ ଭଳି ଅର୍ନ୍ତରାଷ୍ଟ୍ରୀୟ ଆଇଟି କମ୍ପାନୀ ଭୁବନେଶ୍ୱରରେ ନିଜ କାର୍ଯ୍ୟାଳୟ ଖୋଲିବା ପଛରେ ମନୋଜଙ୍କ ଅବଦାନ ଉଲ୍ଲେଖନୀୟ ।

ଗ୍ରାମପଞ୍ଚାୟତ ସ୍ତରରେ ଥିବା ସରକାରୀ ଅନୁଷ୍ଠାନ ଗୁଡ଼ିକଡ଼ିରେ ଭିଡିଓଡି କନ୍ଫରେନସିଂ ବ୍ୟବସ୍ଥା, ସରକାରୀ ସଂସ୍ଥା ଯଥା- ସ୍କୁଲ , ଡାକ୍ତରଖାନା ଗୁଡ଼ିକଡ଼ିରେ ବ୍ରଡବ୍ୟାଣ୍ଡ ସଂଯୋଗ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ପାର୍ଥକ୍ୟ ଦୂର କରିବାକୁ ମନୋଜ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଆମେରିକା ଗସ୍ତରେ ଯାଇ ସିଲିକନ ପାୱାର ଗ୍ରୁପ୍ ପ୍ରମୋଟର ଡ. ହର୍ଷଦ ମେହେଟ୍ଟାଙ୍କୁ ଭେଟି ଓଡ଼ିଶାରେ ପ୍ଲାଣ୍ଟ ସ୍ଥାପନ ପାଇଁ ଆକର୍ଷିତ କରିବାରେ ମନୋଜଙ୍କ ଭୁମିକା ଉଲ୍ଲେଖନୀୟ । ଉନ୍ନତ ଜ୍ଞାନକୌଶଳ ଏବଂ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ କ୍ଷେତ୍ରରେ ଓଡ଼ିଶା ପାଇଁ ଏହା ଆଉ ଏକ ମାଇଲଖୁଣ୍ଟ ହେବ । ଆଖିଦୃଶିଆ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମଧ୍ୟ କୁହାଯାଇଛି । ଓଡ଼ିଶାରେ ମେଟ୍ରୋ, ବିଭିନ୍ନ ବୃହତ ପ୍ରକଳ୍ପର କାର୍ଯ୍ୟକାରିତାରେ ବି ମନୋଜଙ୍କ ଅନେକ ଭୂମିକା ରହିଛି ।

ଟାର୍ଗେଟ 2036କୁ ନେଇ ଆଗକୁ ବଢୁଛି ଓଡ଼ିଶା । ଫାଇଭ-ଟି ସ୍ପର୍ଶରେ ଓଡ଼ିଶାର ସାମଗ୍ରିକ ବିକାଶକୁ ଧ୍ୟାନ ଦିଆଯାଉଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦିନରାତି ପରିଶ୍ରମ କରୁଛନ୍ତି । ନୂଆ ଓଡ଼ିଶା ଗଠନରେ ଯେଉଁ ଟିମ ଅହରହ ଉଦ୍ୟମ କରୁଛି ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟଭାଜନ ହୋଇପାରିଛି ସେଥିରେ ସ୍ଥାନ ପାଇ ମନୋଜ ମିଶ୍ର ତାଙ୍କ କର୍ତ୍ତବ୍ୟନିଷ୍ଠତାକୁ ପ୍ରମାଣିତ କରିଛନ୍ତି ।

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!