ବରିଷ୍ଠ ନାଗରିକଙ୍କୁ ଭେଟି ଦେଲେ ରାଜ୍ଯସରକାର।ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ୪ ଲକ୍ଷ ଅତିରିକ୍ତ ହିତାଧିକାରୀ । ଅତିରିକ୍ତ ହିତାଧିକାରୀ ସାମିଲ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଫଳରେ ରାଜ୍ୟର ସମୁଦାୟ ମଧୁବାବୁ ପେନସନ ହିତାଧିକାରୀଙ୍କ ସଂଖ୍ୟା ୩୨ ଲକ୍ଷ ୭୫ ହଜାରରୁ ବୃଦ୍ଧି ପାଇ ୩୬ ଲକ୍ଷ ୭୫ ହଜାରରେ ପହଞ୍ଚିବ। ଏଥିପାଇଁ ରାଜ୍ୟ ସରକାର ମାସକୁ ୧୯୦ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ।
5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଲୋକ ମାନେ ଏହି ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିବାକୁ ଅନୁରୋଧ କରିଥିଲେ । ଲୋକଙ୍କ ଆବେଦନକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।
୨୦୨୩ ଅଗଷ୍ଟରେ ଅତିରିକ୍ତ ୪ ଲକ୍ଷ ୧୩ ହଜାର ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିଥିଲେ ରାଜ୍ୟ ସରକାର । ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପ୍ରଦାନ କରିଥାନ୍ତି। ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ଓ ଏଡ଼ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, କିନ୍ନର ଓ କୋଭିଡରେ ଅନାଥ ପିଲାମାନେ ଏଥିରେ ସାମିଲ ହୋଇଥାନ୍ତି ।
ହିତାଧିକାରୀ ମାନେ ମାସକୁ ୫୦୦ ଟଙ୍କା ପାଇଥାନ୍ତି। ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି ।ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଆନ୍ତି। ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଉର୍ଦ୍ଧ୍ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ।


