କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧୀନ ନବରତ୍ନ କମ୍ପାନି ନାଲ୍କୋ (ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ) ପକ୍ଷରୁ ଡିସେମ୍ବର ୨୦୨୩ରେଶେଷ ହୋଇଥିବା ତୃତୀୟ ତ୍ରୟମାସିକ ଫଳାଫଳ ଘୋଷଣା ହୋଇଛି। ଉକ୍ତ ଅବଧିରେ କମ୍ପାନିର ନିଟ୍ ଲାଭ ୪୮୮ କୋଟି ଟଙ୍କା ହୋଇଛି।
କମ୍ପାନିର ମୋଟ ଆୟ ଏହି ସମୟ ମଧ୍ୟରେ ୩୩୯୮କୋଟି ଟଙ୍କା ହୋଇଛି। ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ କମ୍ପାନିର ବୋର୍ଡ ବୈଠକରେ ଉପସ୍ଥାପିତ ଆର୍ଥିକ ଫଳାଫଳ ଅନୁସାରେ କମ୍ପାନି ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ତୁଳନାରେ ତୃତୀୟ ତ୍ରୟମାସରେ ୧୩୭ ପ୍ରତିଶତ ଅଧିକ ଲାଭ କରିଛି। ସୂଚନାଯୋଗ୍ୟ, ଦ୍ୱିତୀୟ ତ୍ରୟମାସରେ କମ୍ପାନିର ଲାଭ ୨୦୬ କୋଟି ଟଙ୍କା ଥିଲା।
ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ନାଲ୍କୋର ମୋଟ ଲାଭ ୧୦୪୪ କୋଟି ଟଙ୍କାରେ ପହଞ୍ଚିଛି। ସର୍ବକାଳୀନ ସର୍ବାଧିକ ୩,୪୫,୦୮୬ ମେଟ୍ରିକ ଟନ ଧାତୁ ଉତ୍ପାଦନ ସହ କମ୍ପାନି ଆର୍ଥିକ ବର୍ଷ ୨୦୨୪ର ତୃତୀୟ ତ୍ରୟମାସ ସୁଦ୍ଧା ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାଲ କରିଛି। ସେହିପରି ବିକ୍ରି କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ନଅ ମାସ ମଧ୍ୟରେ ସର୍ବକାଳୀନ ସର୍ବାଧିକ ୩,୪୯,୪୧୯ ମେଟ୍ରିକ ଟନ ଧାତୁ ବିକ୍ରି ହୋଇଛି। ଉଲ୍ଲେଖଯୋଗ୍ୟ, ଆର୍ଥିକ ବର୍ଷ ୨୦୨୩-୨୪ ନିମନ୍ତେ କମ୍ପାନି ପକ୍ଷରୁ ଇକ୍ୱିଟି ସେୟାର ପିଛା ୨ ଟଙ୍କା ହିସାବରେ ଦ୍ୱିତୀୟ ମଧ୍ୟବର୍ତ୍ତୀ ଲାଭାଂଶ ଘୋଷଣା କରାଯାଇଛି

