ଲାଂଚ ନେବାବେଳେ ଭିଜିଲାନ୍ସ ପଞ୍ଜାରେ ମୁରିବାହାଲ ତହସିଲ୍‌ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ

ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ତଥା ରେକର୍ଡ କିପର୍‌ ହେମଲେଟ୍‌ ବାର୍‌ଲା । ସୂଚନା ଅନୁସାରେ ୨୦୧୯ରେ ମ୍ୟୁଟେସନ୍‌ କେସ୍‌ ପଂଜିକୃତ ହୋଇଥିବା ବେଳେ ଅଭିଯୋଗକାରୀ ଜମି ପଟ୍ଟା ପାଇଁ ଶ୍ରୀ ବାର୍ଲାଙ୍କ ପାଖକୁ ବାରମ୍ବାର ଧାଇଁ ଧାଇଁ ନୟାନ୍ତ ହେବାପରେ ଶ୍ରୀ ବାର୍ଲା ଏଥିପାଇଁ ୨୦ ହଜାର ଟଙ୍କା ଲାଂଚ ମାଗିଥିଲେ । ଏହାପରେ ଅଭିଯୋଗକାରୀ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ ।

ଶ୍ରୀ ବାର୍ଲାଙ୍କୁ ଲାଂଚ ନେବା ବେଳେ କାବୁ କରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ ବିଭାଗ । ଆଜି ପ୍ରଥମ ପର୍ଯ୍ୟାୟରେ ଏହି ବାବଦକୁ ମୁରିବାହାଲ ତହସିଲ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ବାର୍ଲା ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । ଶ୍ରୀ ବାର୍ଲାଙ୍କ ଠାରୁ ଲାଂଚ ଟଙ୍କା ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ଗିରଫ୍‌ କରାଯାଇ ବଲାଙ୍ଗିର ଜିଲ୍ଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟକୁ ଅଣାଯାଇଥିବା ସୂଚନା ମିଳିଛି । ଏଥିସହିତ ଶ୍ରୀ ବାର୍ଲାଙ୍କ ସଂଶ୍ଲିଷ୍ଟତା ଥିବା ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଶ୍ରୀ ବାର୍ଲାଙ୍କୁ ଦ୍ୱିତୀୟ ଥର ପାଇଁ ଲାଂଚ ନେବା ବେଳେ ଭିଜିଲାନ୍ସ ଟ୍ରାପ୍‌ ହୋଇଥିବା ଶୁଣିବାକୁ ମିଳୁଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!