ସୁନ୍ଦରଗଡ଼ରେ ଜୁଏଲ-ଦିଲୀପ ଫାଇଟ୍

ପୁଣିଥରେ ସୁନ୍ଦରଗଡ଼ ଲୋକସଭା ଦେଖିବ ଦିଲୀପ ତିର୍କୀ ଓ ଜୁଏଲ୍‌ ଓରାମଙ୍କ ମହାଲଢ଼େଇ। ଟାଣୁଆ ଆଦିବାସୀ ନେତା, ୫ ପାଳିର ସାଂସଦ ଜୁଏଲ୍‌ଙ୍କୁ ବିଜେପି ବିଧାନସଭା ପ୍ରାର୍ଥୀ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଥିଲା। ହେଲେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ତାଙ୍କୁ ପୁଣିଥରେ ଲୋକସଭା ପ୍ର‌ାର୍ଥୀ କରିଛି ଦଳ ।  ତାଙ୍କୁ ଟକ୍କର ଦେବାକୁ ବିଜେଡି ଚର୍ଚ୍ଚିତ ଚେହେରା ହକିଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କୁ ମଇଦାନକୁ ଓହ୍ଲାଇଛି । ୨୦୧୪ରେ ଜୁଏଲ୍‌ଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ଏହି କିମ୍ବଦନ୍ତୀ ତାରକା । ସେହି ନିର୍ବାଚନରେ ଜୁଏଲ୍‌ ୩ ଲକ୍ଷ ୪୦ ହଜାର ୫୦୮ ଭୋଟ୍‌ ପାଇଥିବାବେଳେ ଦିଲୀପ ୩ ଲକ୍ଷ ୨୧ ହଜାର ୬୭୯ ଭୋଟ୍‌ ପାଇଥିଲେ। ମାତ୍ର ୧୪ ହଜାର ଭୋଟରେ ଜୁଏଲ ବିଜୟୀ ହୋଇଥିଲେ।

ଦିଲୀପଙ୍କ ବ୍ୟତୀତ ବିଜେଡିର ଅନ୍ୟ କୌଣସି ପ୍ରାର୍ଥୀ ଜୁଏଲ୍‌ଙ୍କୁ ସେଭଳି ଆଖିଦୃଶିଆ ଟକ୍କର ବି ଦେଇପାରିନାହାନ୍ତି। ଏସବୁକୁ ଦୃଷ୍ଟିରେ ରଖି ଏଥର ପୁଣି ଦିଲୀପଙ୍କ ଜରିଆରେ ବିଜେପିର ଏହି ଗଡ଼ ଦଖଲ କରିବାକୁ ବିଜେଡି ଲକ୍ଷ୍ୟ ରଖିଛି। ଅନ୍ୟପଟେ କଂଗ୍ରେସ ଏଯାଏ ନିଜ ପ୍ରାର୍ଥୀ ‌ଘୋଷଣା କରି ନାହିଁ। ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୭ଟି ବିଧାନସଭା ଆସନରୁ କୌଣସି ଗୋଟିଏରେ ବି ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ।  ସମ୍ଭବତଃ ଯେଉଁ ଆସନରୁ ଦଳୀୟ ପ୍ରାର୍ଥୀ ବିଜୟୀ ହେବାର ସ୍ପଷ୍ଟ ସଂକେତ ରହିଛି ବା ଯେଉଁଠି ପ୍ରାର୍ଥିତ୍ବକୁ ନେଇ କୌଣସି ଦ୍ବନ୍ଦ୍ବ ନାହିଁ କେବଳ ସେଠାରେ ହିଁ ନାଁ ଘୋଷଣା କରାଯାଇଛି। ସାମାନ୍ୟ ଦ୍ବନ୍ଦ୍ବ ଥିବା ଆସନରେ ପ୍ରାର୍ଥୀ ତାଲିକାକୁ ପ୍ରଥମ ପର୍ଯ୍ୟାୟରୁ ବାଦ୍‌ ଦିଆଯାଇଥିବା ରାଜନୈତିକ ବିଶେଷଜ୍ଞ କହୁଛନ୍ତି। ଏହାଛଡ଼ା ଅଧିକ ଆଶାୟୀ ଥିବା ଆସନ ଗୁଡ଼ିକୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ବିଚାରକୁ ନିଆଯାଇନି। ଏବେଠାରୁ ନାଁ ଘୋଷଣା କଲେ ବାଦ୍‌ ପଡ଼ିଥିବା ଆଶାୟୀଙ୍କର ବିଦ୍ରୋହ ଆଶଙ୍କା ରହିଛି।

Post Views30 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!