ଏଥର ଢେଙ୍କାନାଳରେ ହେବ ‘ପ୍ରବୀଣ’ ବନାମ ‘ନବୀନ’ ଲଢେଇ । ଅର୍ଥାତ ଅଭିଜ୍ଞଙ୍କୁ ଟକ୍କର ଦେବେ ନବାଗତ । ରାଜନୀତିରେ ପୋଖତ ଖେଳାଳି ବନିସାରିଥିବା ବିଜେପିର ହେଭିଓ୍ବେଟ ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କୁ ସାମ୍ନା କରିବେ ବିଜେଡିର ନବାଗତ ଅବିନାଶ ସାମଲ। ରୁଦ୍ରଙ୍କ ବିପକ୍ଷରେ ଅବିନାଶଙ୍କୁ ଲୋକସଭା ଯୋଦ୍ଧା ଭାବେ ମଇଦାନକୁ ଓହ୍ଲାଇଛି ବିଜୁ ଜନତା ଦଳ। ପ୍ରାର୍ଥୀ ହେବାପରେ ଅବିନାଶ ସାମଲ କହିଛନ୍ତି, ଢେଙ୍କାନାଳ ଲୋକସବା ଆସନରୁ ଟିକେଟ ମିଳିଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ଯୁବ ନେତୃତ୍ୱ ଉପରେ ମୁଖ୍ୟମନ୍ତ୍ରୀ ଭରସା କରିଛନ୍ତି, ମୋ ପରି ଜଣେ ଡାକ୍ତର ଉପରେ ଭରସା କରିଛନ୍ତି । ଆଗାମୀ ଦିନରେ ଜଣେ ଯୁବ ସିପାହୀ ହୋଇ ଦଳ ପାଇଁ କାମ କରିବି ଓ ଲୋକଙ୍କ ସେବା କରିବି ।
ଅବିନାଶ ହେଉଛନ୍ତି ଢେଙ୍କାନାଳର ବିଜେଡି ବିଧାୟକ ସୁଧୀର ସାମଲଙ୍କର ପୁତୁରା । ଅବିନାଶ ସାମଲ ଢେଙ୍କାନାଳ ଜିଲ୍ଲା ଖଡଗପ୍ରସାଦରେ ୧୯୮୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ଅନୁଗୁଳରେ ନିଜ ସ୍କୁଲ ପାଠପଢା ଶେଷ କରିବା ପରେ ସେ ହାଇଦ୍ରାବାଦରେ ମେଡିକାଲ ପାଠ ପଢିଥିଲେ । ରେଡିଓଲୋଜିଷ୍ଟ ଭାବେ ପାଠପଢା ଶେଷ କରିବା ପରେ ଅନୁଗୁଳ ସ୍ଥିତ ସାମଲ କେୟାର ହସ୍ପିଟାଲରେ ଡାକ୍ତର ଭାବେ ସେ କାର୍ଯ୍ୟ କରୁଥିଲେ ।
ସମାଜସେବାରେ ମଧ୍ୟ ବ୍ରତୀ ଥିଲେ ଅବିନାଶ । କୋଭିଡ ସମୟରେ ଅକ୍ସିଜେନ ଯୋଗାଣଠାରୁ ଆରମ୍ଭ କରି ଗୋରୁଗାଇଙ୍କୁ ଖାଦ୍ୟ ଯୋଗାଣ ଆଦି କାମରେ ଲାଗିଥିଲେ ଅବିନାଶ । ସେହିପରି ଢେଙ୍କାନାଳ ଏବଂ ଅନୁଗୁଳ ଅଂଚଳର ଜଂଗଲରେ ପଶୁପକ୍ଷୀଙ୍କ ପାଇଁ ପାଣି ଷ୍ଟୋର କରିବା ଭଳି କାର୍ଯ୍ୟ କରି ସେ ଚର୍ଚ୍ଚାରେ ରହିଥିଲେ । ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବିଜେଡିର ପ୍ରାର୍ଥୀ ହେବା ସହ ସେ ପ୍ରତ୍ୟକ୍ଷ ରାଜନୀତିରେ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି ।

