ଅନ୍ୟତମ ଲୋକସଭା ପାଇ ପ୍ରାର୍ଥୀ ଘୋଷଣା କଲା ବିଜେଡି । ମନ୍ମଥ ରାଉତରାୟଙ୍କୁ ଲୋକସଭା ପ୍ରାର୍ଥୀ କରିଛି ବିଜେଡି । ରାଜ୍ୟର ହେଭିୱେଟ ସଂସଦୀୟ କ୍ଷେତ୍ର ଭୁବନେଶ୍ବର ପାଇଁ ବିଜେଡି ପ୍ରାର୍ଥୀ ଭାବେ ଦଳ ମନ୍ମଥ ରାଉତରାୟଙ୍କ ନାଁ ଘୋଷଣା କରିଛି । ବିଜେଡିରେ ସାମିଲ ହେବା ପରେ ପରେ ତାଙ୍କୁ ଦଳ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିଛି ।
ମନ୍ମଥ ରାଉତରାୟ ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ । ଏୟାର ଇଣ୍ଡିଆର ପାଇଲଟ ଭାବେ କାର୍ଯ୍ଯ କରୁଥିବା ମନ୍ମଥ ଗତ କିଛି ମାସ ଧରି ରାଜନିତୀରେ ପ୍ରବେଶ ନେଇ ସ୍ପଷ୍ଟ କରିଥିଲେ । ଏପରିକି ସେ ବାପାଙ୍କ ସହ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ମଧ୍ୟ ହେଉଥିଲେ । ରାଜନୀତିରେ ପ୍ରବେଶ କରିବା ପାଇଁ ସେ ଏୟାର ଇଣ୍ଡିଆ ପାଇଲଟ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ ।
ତାଙ୍କ ବାପା କଂଗ୍ରେସ ବିଧାୟକ ଥିଲେ ମଧ୍ୟ ବହୁ ପୂର୍ବରୁ ସେ କଂଗ୍ରେସରୁ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ତେଣୁ ସେ ବିଜେଡିରେ ସାମିଲ ହୋଇ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରୁ ବିଜେଡିରୁ ପ୍ରାର୍ଥୀ ହେବା ପରେ ଭୁବନେଶ୍ବରରେ ଏକ ବଡ ଲଢେଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ । ଓଡ଼ିଶାର ଏକ ନମ୍ବର ଦଳ ମୋତେ ଚୟନ କରିଛି । ମୋତେ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି । ନିର୍ବାଚନ ଲଢିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବେ । ମୁଁ ଶୃଙ୍ଖଳିତ କର୍ମୀ ଭଳି କାମ କରିବି ବୋଲି କହିଛନ୍ତି ମନ୍ମଥ ।

