ଅଂଶୁମାନ ବିଜେଡିର କେନ୍ଦ୍ରାପଡ଼ା ଯୋଦ୍ଧା

ଆସନ୍ତା ସାଧାରଣ ନିର୍ବାଚନରେ ପୁଣି ବିଗଫାଇଟ ଦେଖିବ କେନ୍ଦ୍ରାପଡ଼ା। ବିଜେପି ପୁଣିଥରେ ପ୍ରାର୍ଥୀ ରିପିଟ୍ କରିଥିବାବେଳେ ଏଥର ନୂଆ ଯୋଦ୍ଧାଙ୍କୁ ମଇଦାନକୁ ଓହ୍ଲାଇଛି ବିଜୁ ଜନତା ଦଳ।‌ ଏଥର ବଳଦେବଜୀଉଙ୍କ କ୍ଷେତ୍ରରେ ହେବ ପଣ୍ଡା-ମହାନ୍ତି ମୁକାବିଲା। ଅର୍ଥାତ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେବେ ପୂର୍ବତନ ରାଜନଗର ବିଧାୟକ ତଥା ଓଡ଼ିଶା ରାଜନୀତିର ହେଭିଓ୍ବେଟ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପୁଅ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି।

କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରୁ ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଅଂଶୁମାନ ଗତ କିଛି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିଲେ । କେନ୍ଦ୍ରାପଡା ଜିଲ୍ଲାର ଦିବଂଗତ ନେତା ତଥା ପୂର୍ବତନ ମନ୍ତ୍ରୀ ନଳୀନି ମହାନ୍ତିଙ୍କ ପୁଅ ହେଉଛନ୍ତି ଅଂଶୁମାନ । ନଳିନୀ ମହାନ୍ତି ୧୯୭୭ ରୁ ୨୦୦୯ ପର୍ଯ୍ୟନ୍ତ ସାତଥର ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୧୪ରେ ଅଂଶୁମାନ ମହାନ୍ତି କଂଗ୍ରେସ ଟିକେଟରୁ ରାଜନଗରରୁ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ହାରିଥିଲେ ।

ଇଲେକ୍ଟ୍ରୋନିକ ଇଂଜିନିୟରିଂରେ ପାଠ ପଢା ଶେଷ କରିବା ପରେ ସେ ଆଇଟି ସେକ୍ଟରରେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ପର୍ଯ୍ଯାୟରେ ଅଂଶୁମାନ ରାଜନୀତିରେ ସାମିଲ ହୋଇଥିଲେ । ବାପାଙ୍କ ଦେହାନ୍ତ ପରେ ୨୦୧୪ ରେ ଅଂଶୁମାନଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା । କଂଗ୍ରେସର ଜିଲ୍ଲା ସଭାପତି ଭାବେ ମଧ୍ୟ ଅଂଶୁମାନ ଦାୟିତ୍ବ ନିର୍ବାହ କରିଥିଲେ । ଏପରିକି ଏଥର କଂଗ୍ରେସରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ମଧ୍ୟରେ ଅଂଶୁମାନ ବିଜେଡିରେ ସାମିଲ ହେବା ସହ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରୁ ତାଙ୍କୁ ଦଳ ସାଂସଦ ପ୍ରାର୍ଥୀ କରିଛି । ବିଜେପିର ହେଭିୱେଟ ବୈଜୟନ୍ତଙ୍କ ବିରୋଧରେ ସେ ନିର୍ବାଚନ ଲଢିବେ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!