ରଣାଙ୍ଗନାକୁ ଆସିଲେ ଧରାକୋଟ ରାଜନନ୍ଦିନୀ ସୁଲକ୍ଷଣା ଗୀତାଞ୍ଜଳୀ। ସେ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଏଥର ସାନଖେମୁଣ୍ଡିରେ ହେବ ଜୋରଦାର ଫାଇଟ୍। ସୁଲକ୍ଷଣା ଗୀତାଞ୍ଜଳୀଙ୍କୁ କଡ଼ା ଟକ୍କର ଦେବେ କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା। ସେପଟେ ଦେଖିବାକୁ ଗଲେ ରମେଶ ଜେନା କୌଣସି ଗୁଣରେ କମ୍ ନୁହଁନ୍ତି। ସେ ପୂର୍ବରୁ ଧରାକୋଟ ରାଜା କିଶୋର ଚନ୍ଦ୍ର ସିଂହଦେଓ ଓ ରାଣୀ ନନ୍ଦିନୀ ଦେବୀଙ୍କୁ କଡ଼ା ଟକ୍କର ଦେଇ ପରାସ୍ତ କରିସାରିଛନ୍ତି। ତେଣୁ ସେ ରାଜନନ୍ଦିନୀଙ୍କୁ ହାଲ୍କା ଭାବେ ନେଉନଥିବା ଚର୍ଚ୍ଚା ହେଉଛି।
ଏଥିସହିତ, ଧରାକୋଟ ରାଜପରିବାର ଉପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁଣି ଆସ୍ଥା ପ୍ରକଟ କରିଛନ୍ତି। ସୁଲକ୍ଷଣା ବର୍ତ୍ତମାନ ସାନଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଉଛନ୍ତି। ନିର୍ବାଚନମଣ୍ଡଳୀରେ ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରେ ସକ୍ରିୟ ଅଛନ୍ତି। ଗତ ମାସେ ହେବ ଦଳ ଏଠାରୁ ସୁଲକ୍ଷଣା କିମ୍ବା ଅନ୍ୟ କାହାକୁ ପ୍ରାର୍ଥୀ କରିବ, ତାହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଥିଲା।
ଶେଷରେ, ସବୁ ଦିଗକୁ ବିଚାରକୁ ନେଇ ଦଳୀୟ ସୁପ୍ରିମୋ ସୁଲକ୍ଷଣାଙ୍କୁ ସୁଯୋଗ ଦେଇଛନ୍ତି।ଏହି ଖବର ପ୍ରଚାର ହେବାପରେ ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ ଓ ନେତାଙ୍କ ମହଲରେ ଖୁସିର ଲହରି ଖେଳିଯାଇଥିଲା। ସୁଲକ୍ଷଣା ତାଙ୍କ ମାଆ ତଥା ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ସହ କଉଡ଼ିଆସ୍ଥିତ ରାମମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିଥିଲେ।
ଏହି ଅବସରରେ ନିର୍ବାଚନମଣ୍ଡଳୀରେ ବିକାଶଧାରାକୁ ଆଗେଇ ନେବାପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭି.କେ.ପାଣ୍ଡିଆନ, ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ନିର୍ବାଚନରେ ବର୍ତ୍ତମାନର ବିଧାୟକ ରମେଶ ଚନ୍ଦ୍ର ଜେନା ପୁଣିଥରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବେଳେ ଉତ୍ତମ ପାଣିଗ୍ରାହୀ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ଫଳରେ, ଏଠାରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକ
ଆକଳନ କରିଛନ୍ତି।

