ଏଥର କଟକ ପିଚରେ ଚାଲିଛି ହାଇଭୋଲଟେଜ ପଲିଟିକାଲ ଲିଗ୍ । ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇଦେଇଛନ୍ତି ରାଜନୀତିରେ ନବାଗତ ଷ୍ଟାର । ବିଜେଡିର ଅଲରାଉଣ୍ଡର ସଂତୃପ୍ତ ମିଶ୍ରଙ୍କ ସାମ୍ନାରେ ଧରାଶାୟୀ ବିଜେପିର ଆମଦାନୀ ନେତା ଭର୍ତ୍ତୃହରି ମହତାବ । ଛଅ ଛଅ ଥର ସାଂସଦ ଥିବା ଭର୍ତ୍ତୃହରିଙ୍କ ନିଦ ହଜାଇଦେଇଛନ୍ତି କର୍ପୋରେଟ କିଙ୍ଗ ତଥା ବର୍ତ୍ତମାନ ଓଡିଶା ରାଜନୀତି ଜେଣ୍ଟିଲମ୍ୟାନ ଓ ବିଜେଡିର ପାଓ୍ବାରଫୁଲ ଲିଡର ସଂତୃପ୍ତ ମିଶ୍ର । ସଂତୃପ୍ତଙ୍କୁ କଟକ ଭଳି ସମ୍ମାନଜନକ ଆସନରୁ ବିଜେଡି ସାଂସଦ ପ୍ରାର୍ଥୀ କରିଥିବାବେଳେ ବିଜେଡିରୁ ଯାଇ ବିଜେପି ପ୍ରାର୍ଥୀ ହୋଇଛନ୍ତି ଭର୍ତ୍ତୃହରି ମହତାବ । କିନ୍ତୁ ସଂତୃପ୍ତଙ୍କ ଆଗରେ ଭର୍ତ୍ତୃହରି ପୂରା ଫିକା ପଡିଯାଇଥିବା ଚର୍ଚ୍ଚା ହେଉଛି ।
ବଡକଥା ହେଉଛି ଭର୍ତ୍ତୃହରି ଛଅ ଥର ସାଂସଦ ହୋଇଛନ୍ତି ସତ । ହେଲେ କେବଳ ବିଜେଡି ଟିକେଟରେ । କଟକ ଲୋକସଭା ସଂସଦୀୟ କ୍ଷେତ୍ରର ବାସିନ୍ଦା ଓ ରାଜନୈତିକ ସମୀକ୍ଷକଙ୍କ ମତରେ କଟକରେ ଭର୍ତ୍ତୃହରି ଲୋକପ୍ରିଯତା ନାହିଁ କହିଲେ ଚଳେ । କାରଣ କେବଳ ବିଜେଡି ପାଇଁ ହିଁ ସେ ନିର୍ବାଚନ ଜିତୁଥିଲେ । ନିର୍ବାଚନ ଜିତିବା ପରେ ନାଁ ଲୋକଙ୍କ ପାଖକୁ ଯାଉଥିଲେ ନା ଜନସମ୍ପର୍କ ରଖୁଥିଲେ । ଏଣୁ ଭର୍ତ୍ତୃହରିଙ୍କର ଲୋକପ୍ରିୟତା ନାହିଁ କହିଲେ ଭୁଲ୍ ହେବନି । ଏଭଳି ସ୍ଥିତିରେ ସଂତୃପ୍ତଙ୍କ ଭଳି ଜଣେ ଜାତୀଯ ଚେହେରା. ଭଦ୍ର, ନମ୍ର, ଶିକ୍ଷିତ ଓ ପରିମାର୍ଜ୍ଜିତ ଚେହେରାଙ୍କୁ କଟକ ବାସିନ୍ଦା ବେଶ୍ ପସନ୍ଦ କରୁଛନ୍ତି । ରାଜନୈତିକ ସ୍ଥିତି ଆଲୋଚନା କଲେ 2000 ମସିହାରୁ କଟକ ବାସିନ୍ଦା ସବୁବେଳେ ବିଜେଡିକୁ ହିଁ ଭୋଟ ଦେଇଆସିଛନ୍ତି । ଏଣୁ ଏଥର ବି ବିଜେଡି ହାଓ୍ବା ଓ ସଂତୃପ୍ତଙ୍କ ପରିଶ୍ରମ ତାଙ୍କୁ ନିଶ୍ଚିତ ବିଜୟୀ କରିପାରେ ।
ପୁରୀ ଜିଲ୍ଲାର ବୀରପ୍ରତାପପୁରରେ ଜନ୍ମିତ ଓ କଟକରେ ପାଳିତ ସଂତୃପ୍ତ ମିଶ୍ର କର୍ପୋରେଟ ଜଗତରେ ଦୀର୍ଘ ୨୮ ବର୍ଷ କାମ କରିଛନ୍ତି । ଆଦିତ୍ୟ ବିର୍ଲା ଏଚଆର ଗ୍ରୁପସେ ନିର୍ଦ୍ଦେଶର ଥିଲେ । ଗତ ଡିସେମ୍ବର ମାସରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ତାଙ୍କର ଦକ୍ଷତା ଓ ଅଭିଜ୍ଞତାକୁ ଆଖିରେ ରଖି ନିକଟ ଅତୀତରେ ରାଜ୍ୟ ସରକାର ତାଙ୍କୁ ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ । ସଂତୃପ୍ତ କହିଛନ୍ତି, ଓଡ଼ିଶାର ସେବା କରିବାକୁ ମୋତେ ବିଜେଡି ତରଫରୁ ସୁଯୋଗ ମିଳିଛି। ଭାରତୀୟ ରାଜନୀତିରେ ବିଜେଡି ହେଉଛି ସବୁଠୁ ପ୍ରଗତିଶୀଳ ରାଜନୈତିକ ଦଳ। ବହୁରାଷ୍ଟୀୟ କମ୍ପାନିରେ କାମ କରୁଥିବାରୁ ଓଡ଼ିଶା ବାହାରେ ରହୁଥିଲି। କିନ୍ତୁ ଜନ୍ମସ୍ଥାନକୁ ଫେରି ଓଡ଼ିଶା ପାଇଁ କାମ କରିବାକୁ ମନରେ ଇଚ୍ଛା ଥିଲା।
ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ସିଇଓ ତଥା ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ଯକ୍ଷ ଥିବା ସଂତୃପ୍ତ ମିଶ୍ର କର୍ପୋରେଟ ଜଗତର ଜଣେ ବଡ଼ ବ୍ଯକ୍ତିତ୍ବ । ସୀମିତ ସମୟରେ ସଫଳତାର ଏତେ ସୋପାନ ଆରୋହଣ କରିବାର ସ୍ବପ୍ନ ଦେଖୁଥିବା ଅଧିକାଂଶ ଯୁବ ପିଢି ପାଇଁ ସେ ହେଉଛନ୍ତି ଆଦର୍ଶ । ବିର୍ଲା ଗ୍ରୁପର ସଫଳତା ପଛରେ ତାଙ୍କର ଅବଦାନ ବେଶ ଗୁରୁତ୍ବପୂର୍ଣ୍ଣ । କମ୍ପାନୀର ପାଞ୍ଚ ପାଞ୍ଚଟି ପଦବୀରେ ରହି ସେ ସଫଳତାର ସହ ଦାୟିତ୍ବ ତୁଲାଇବାରେ ସମର୍ଥ ହୋଇଥିଲେ । ବିଚକ୍ଷଣ ବିଜିନେସ୍ ଅପରେସନ୍, ଷ୍ଟ୍ରାଟେଜି, ଭିଜନ୍, ମ୍ୟାନେଜମେଣ୍ଟ ଓ ଚେଞ୍ଜ୍ ଅପରେସନ୍ ପାଇଁ ଜଣାଶୁଣା ସଂତୃପ୍ତ ମିଶ୍ର ଦେଶ ବିଦେଶରୁ ଅନେକ କର୍ପୋରେଟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ବଡମ୍ବା, ବାଙ୍କୀ, ଆଠଗଡ, ବାରବାଟୀ-କଟକ, ଚୌଦାର-କଟକ, କଟକ ସଦର ସହ ଖଣ୍ଡପଡା ବିଧାନସଭା କ୍ଷେତ୍ରକୁ ନେଇ ଗଠନ ହେଇଥିବା କଟକ ଲୋକସଭା ଆସନ ବିଜେଡିର ଗଡ଼ ଭାବେ ସାରା ଦେଶରେ ଜଣାଶୁଣା । ୨୦୧୯ ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରେ ମୁହାଁମୁହିଁ ହେଇଥିଲେ ଭର୍ତ୍ତୃହରି ମହତାବ ଏବଂ ପ୍ରକାଶ ମିଶ୍ର । ତେବେ ସେତେବେଳେ କିନ୍ତୁ ମହତାବ ବିଜେଡି ଟିକେଟରୁ ନିର୍ବାଚନ ଲଢୁଥିବାବେଳେ, ପ୍ରକାଶ ମିଶ୍ର ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ । ହେଲେ ଏଥର କିନ୍ତୁ କଟକ ରାଜନୀତିର ଦିଗ ପରିବର୍ତ୍ତନ ହେଇଛି । ଖୁବ କମ ଦିନରେ ସଂତୃପ୍ତ କଟକର ପ୍ରତି ଗାଁକୁ ଯାଇ ଲୋକଙ୍କ ନିକଟତର ହୋଇସାରିଛନ୍ତି । କଟକ ସହର ସହିତ ସନ୍ତୃପ୍ତଙ୍କର ଭଲ ସମ୍ପର୍କ ରହିଛି। ତୃଣମୂଳ ସ୍ତରରେ ଲୋକସମ୍ପର୍କକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି ସନ୍ତୃପ୍ତ । ବର୍ତ୍ତମାନର ରାଜନୈତିକ ପାଣିପାଗ ଅନୁସାରେ ସଂତୃପ୍ତ ସବା ଆଗରେ ରହିଛନ୍ତି ।

