ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ପୁଣି ଥରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ ବୋଲି ଆକ୍ଷେପ କରି କହିଛନ୍ତି। ଅନୁଗୋଳ ଜନସଭାରେ ରାଜ୍ୟ ସରକାରଙ୍କୁ ଏପରି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଘରର ଚାବି ହଜିଲେ ଆମେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ଘର ଚାବି ମିଳିଯାଏ । କିନ୍ତୁ ୬ ବର୍ଷ ହେଲାଣି ରତ୍ନଭଣ୍ଡାର ଚାବି ମିଳୁନାହିଁ । ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଥିବା ଲୋକ ହିଁ ଦାୟୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ଯାଞ୍ଚ ପାଇଁ କମିଟି ବସିଲା। ହେଲେ ଉକ୍ତ କମିଟି ଯେଉଁ ରିପୋର୍ଟ ଦେଲା ତାହାକୁ ସାର୍ବଜନୀନ କରାଗଲା ନାହିଁ।
ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି କ୍ଷୀର- ପାଣି ଅଲଗା ହେବ । ବିଜେପି ସରକାର ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବ । ଏହିଠାରୁ ହିଁ ଆମେ ପ୍ରଭୁ ଜଗନ୍ନାଥଙ୍କ ସେବା ଆରମ୍ଭ କରିବୁ ବୋଲି କହିଛନ୍ତି ମୋଦି।

