ସମ୍ବଲପୁର | ୩୦ ଜୁଲାଇ ୨୦୨୬
ଉଚ୍ଚଶିକ୍ଷା କ୍ଷେତ୍ରରେ ଡିଜିଟାଲ୍ ରୂପାନ୍ତରଣ, କୃତ୍ରିମ ବୁଦ୍ଧିମତ୍ତା (AI), ଦକ୍ଷତା ବିକାଶ ଏବଂ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ନଲେଜ କର୍ପୋରେସନ୍ ଲିମିଟେଡ୍ (OKCL) ମଧ୍ୟରେ ଆଜି ଏକ ବୁଝାମଣା ପତ୍ର (MoU) ବିନିମୟ ହୋଇଛି। ଏହି ସହଭାଗିତା ମାଧ୍ୟମରେ ଉଭୟ ସଂସ୍ଥା କୃତ୍ରିମ ବୁଦ୍ଧିମତ୍ତା, ଡିଜିଟାଲ୍ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା, ଉଦ୍ଭାବନ ଏବଂ ଶିଳ୍ପ-ଶିକ୍ଷାନୁଷ୍ଠାନ ସହଯୋଗକୁ ପ୍ରୋତ୍ସାହନ ଦେବେ।

ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ପି. କେ. ନାଏକ ଏବଂ ଓକେସିଏଲ୍ର ପରିଚାଳନା ନିର୍ଦ୍ଦେଶକ ଡ. ମନୋରଞ୍ଜନ ପୁଥାଳଙ୍କ ମଧ୍ୟରେ ସମ୍ମାନନୀୟ କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ରଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ବିନିମୟ କରାଯାଇଥିଲା। ଏହି ଅବସରରେ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଓକେସିଏଲ୍ର ବରିଷ୍ଠ ପରିଚାଳକ ଶ୍ରୀ ନୀଳାଦ୍ରି ବିହାରୀ ରାୟ ଉପସ୍ଥିତ ଥିଲେ।
ଜାତୀୟ ଶିକ୍ଷା ନୀତି (NEP)–୨୦୨୦ର ଲକ୍ଷ୍ୟକୁ ସମର୍ଥନ କରି ଏହି ସହଯୋଗ ମାଧ୍ୟମରେ ଡିଜିଟାଲ୍ ପ୍ରଯୁକ୍ତି, କୃତ୍ରିମ ବୁଦ୍ଧିମତ୍ତା ଏବଂ ଶିଳ୍ପ ଉପଯୋଗୀ ଦକ୍ଷତାକୁ ଉଚ୍ଚଶିକ୍ଷା ବ୍ୟବସ୍ଥା ସହିତ ସଂଯୋଜିତ କରାଯିବ।
ଏହି ବୁଝାମଣା ପତ୍ର ଅନୁଯାୟୀ ଉଭୟ ସଂସ୍ଥା ମିଳିତ ଭାବେ AI ସଚେତନତା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ଅଧ୍ୟାପକ ପ୍ରଶିକ୍ଷଣ, ଡିଜିଟାଲ୍ ଶିକ୍ଷା ଓ ପ୍ରମାଣପତ୍ର ପାଠ୍ୟକ୍ରମ, ଗବେଷଣା ଓ ଉଦ୍ଭାବନ, ଇଣ୍ଟର୍ନସିପ୍, ଆପ୍ରେଣ୍ଟିସିପ୍, ହ୍ୟାକାଥନ୍, ଉଦ୍ୟୋଗୀତା ବିକାଶ ଏବଂ AI-ଆଧାରିତ ଏକାଡେମିକ୍ ଓ ପ୍ରଶାସନିକ ସମାଧାନ କ୍ଷେତ୍ରରେ କାର୍ଯ୍ୟ କରିବେ।
ଏହି ଅବସରରେ କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର କହିଥିଲେ ଯେ, ଉଦୀୟମାନ ପ୍ରଯୁକ୍ତି ସହ ଉଚ୍ଚଶିକ୍ଷାର ସମନ୍ୱୟ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ବୈଶ୍ୱିକ କାର୍ଯ୍ୟକ୍ଷେତ୍ର ପାଇଁ ପ୍ରସ୍ତୁତ କରିବ ଏବଂ ଏହି ସହଭାଗିତା ଶିକ୍ଷାର ଗୁଣବତ୍ତା ଓ ନିଯୁକ୍ତିଯୋଗ୍ୟତା ବୃଦ୍ଧିରେ ସହାୟକ ହେବ।
ଓକେସିଏଲ୍ର ପରିଚାଳନା ନିର୍ଦ୍ଦେଶକ ଡ. ମନୋରଞ୍ଜନ ପୁଥାଳ କହିଥିଲେ ଯେ, ଉଚ୍ଚଶିକ୍ଷାରେ ଡିଜିଟାଲ୍ ରୂପାନ୍ତରଣ, AI ଓ ଜ୍ଞାନଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଦିଗରେ ଏହି ସହଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
କୁଳସଚିବ ପ୍ରଫେସର ପି. କେ. ନାଏକ ଏହି ସହଯୋଗକୁ ସ୍ୱାଗତ କରି କହିଥିଲେ ଯେ, ଏହା ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ବିଶ୍ୱବିଦ୍ୟାଳୟର ସାମଗ୍ରିକ କ୍ଷମତା ବିକାଶରେ ନୂତନ ସୁଯୋଗ ସୃଷ୍ଟି କରିବ।
ଏହି ସହଯୋଗ ସ୍ଥାପନରେ ଓକେସିଏଲ୍ର ବରିଷ୍ଠ ପରିଚାଳକ ଶ୍ରୀ ନୀଳାଦ୍ରି ବିହାରୀ ରାୟଙ୍କର ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ଓ ପ୍ରୟାସ ଉଲ୍ଲେଖନୀୟ ରହିଛି।
ଏହି ସହଭାଗିତା ମାଧ୍ୟମରେ ଗବେଷଣା, ଉଦ୍ଭାବନ, ଦକ୍ଷତା ବିକାଶ, ଡିଜିଟାଲ୍ ଶିକ୍ଷା ଏବଂ ପ୍ରଯୁକ୍ତିଭିତ୍ତିକ ଉଚ୍ଚଶିକ୍ଷାକୁ ନୂତନ ଗତି ମିଳିବା ସହିତ ଓଡ଼ିଶାରେ ଏକ ଜ୍ଞାନଭିତ୍ତିକ ଓ ବିଶ୍ୱସ୍ତରୀୟ ଉଚ୍ଚଶିକ୍ଷା ପରିବେଶ ଗଠନରେ ଏହା ସହାୟକ ହେବ।

