ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ଆପୋସ ସମାଧାନ ପାଇଁ ପ୍ରକ୍ରିୟା ଆଉ ପାଦେ ଆଗେଇଛି। ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଉପସ୍ଥିତ ରହି ମହାନଦୀ ଜଳ ବିବାଦର ସମାଧାନ ସମ୍ପର୍କରେ ଆଲୋଚନା କରିଛନ୍ତି। ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ସଚିବ ଏବଂ ଉଚ୍ଚ ପଦାଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ।
ବୈଠକରେ ଓଡ଼ିଶାର ଅଧିକାର, ଜନସାଧାରଣଙ୍କ ସ୍ୱାର୍ଥ, ଚାଷୀକୁଳର ହିତ ଏବଂ ପରିବେଶର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମାଧାନର ପନ୍ଥା ନିର୍ଦ୍ଧାରଣ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ବାରୋପ କରିଥିଲେ। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ଉଭୟ ରାଜ୍ୟ ମଧ୍ୟରେ ସହଯୋଗ, ସମନ୍ୱୟ ଓ ଗଠନମୂଳକ ଆଲୋଚନା ଜରିଆରେ ମହାନଦୀ ଜଳ ସମସ୍ୟାର ଏକ ସ୍ଥାୟୀ ଓ ସନ୍ତୋଷଜନକ ସମାଧାନ ପାଇଁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।
ବୈଠକ ପରେ ଗଣମାଧ୍ୟମକୁ ଶ୍ରୀ ମାଝୀ କହିଥିଲେ ଯେ ଓଡ଼ିଶାର ଅଧିକାର, ଚାଷୀଙ୍କ ଭବିଷ୍ୟତ ଓ ରାଜ୍ୟର ଜଳସମ୍ପଦର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆମ ପକ୍ଷକୁ ଦୃଢ଼ତାର ସହ ଉପସ୍ଥାପନ କରାଯାଇଛି। କେନ୍ଦ୍ର ଜଳ କମିସନ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ୩ ମାସ ମଧ୍ୟରେ ଏହାର ରିପୋର୍ଟ ମହାନଦୀ ଟ୍ରିବ୍ୟୁନାଲ୍କୁ ପ୍ରଦାନ କରିବ। ଏହି ପରିପ୍ରେକ୍ଷୀରେ ଆଗାମୀ ୩ ମାସ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଆଲୋଚନା ଜାରି ରହିବ। ୩ ମାସ ମଧ୍ୟରେ ମହାନଦୀ ଜଳ ବଣ୍ଟନ ଓ ପରିଚାଳନାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଯେଉଁ ସମସ୍ୟାଗୁଡ଼ିକ ରହିଛି, ତା’ର ସମାଧାନ କରାଯିବ। ଛତିଶଗଡ଼ ସରକାର ଏଥିରେ ସହମତି ପ୍ରକାଶ କରିଛନ୍ତି। ଆସନ୍ତା ଦୀପାବଳି ସୁଦ୍ଧା ନିଶ୍ଚିତ ଭାବେ ସମାଧାନର ବାଟ ବାହାରିବ। ଶ୍ରୀ ମାଝୀ କହିଛନ୍ତି, ଜଳବଣ୍ଟନର ସମାଧାନ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟ ସମାନ ଆଭିମୁଖ୍ୟ ରଖିଛନ୍ତି। ଆମେ ପ୍ରଥମରୁ ଏଥିରେ ସହମତ ଥିଲୁ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଳମ୍ବରେ ସହମତ ହେଲେ। ସେ ସହମତ ହେଲା ପରେ ହିଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଏହି ବୈଠକ ଆହ୍ୱାନ କରିଥିଲେ। ଟ୍ରିପଲ୍ ଇଞ୍ଜିନ୍ ସରକାରରେ ନିଶ୍ଚିତ ଭାବେ ଏହି ବିବାଦର ସମାଧନ ହେବ।

