ପାଣି ଘେରରେ ୧୫୯୧ ଗାଁ, ୯୧ ହଜାର ଲୋକଙ୍କୁ ସ୍ଥାନାନ୍ତର

ପାଣିପାଗ ବିଭାଗ ପୂର୍ବାନୁମାନ ହେଲା- ବୁଧବାର ରାତିରୁ ଗୁରୁବାର ସକାଳ ଭିତରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । କିନ୍ତୁ, ଗୁରୁବାର ଆଉ ବଡ଼ ବର୍ଷା ସମ୍ଭାବନା ନାହିଁ । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଶୁକ୍ରବାରଠାରୁ ବର୍ଷା ପରିମାଣ ଆହୁରି କମିଯିବ । ତେବେ ଗୁରୁବାର ଛତିଶଗଡ଼ର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୩୧ରେ ସେଠାରେ ବର୍ଷା କମିବ । କିନ୍ତୁ, ଅଗଷ୍ଟ ୧ରୁ ୪ ପର୍ଯ୍ୟନ୍ତ ବର୍ଷା ବଢ଼ିପାରେ ଛତିଶଗଡ଼ରେ । ମହାନଦୀ ଫୁଲୁଛି । ଜଳସ୍ତର ଲଗାତାର ବଢ଼ିଚାଲିଛି । ତଳମୁଣ୍ଡରେ ବନ୍ୟା ସ୍ଥିତି ଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି । ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରକୁ ୩ ଲକ୍ଷ ୨୧ ହଜାର ୯୧୦ କ୍ୟୁସେକ୍‌ ଜଳ ପଶୁଛି । ମାତ୍ର ୬୪ ହଜାର ୪୯୫ କ୍ୟୁସେକ୍‌ ନିଷ୍କାସନ ହେଉଛି । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ହୀରାକୁଦର ଜଳସ୍ତର ୬୨୨ ଫୁଟ୍‌ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଉଛି । 
ବୁଧବାର ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୮.୪୫ ଫୁଟ ଥିଲା । ତେଲ ନଦୀର ପଥରଳାଠାରେ ୩ଲକ୍ଷ ୧୨ହଜାର ଘନଫୁଟ (କ୍ୟୁସେକ) ଜଳ ମହାନଦୀରେ ନିଷ୍କାଷିତ ହେଉଛି । ଖଇରମାଳରେ ୮.୪୦ ଲକ୍ଷ କ୍ୟୁସେକ୍‌, ବରମୂଳରେ ୬.୮୮ ଲକ୍ଷ କ୍ୟୁସେକ୍‌ ଏବଂ ମୁଣ୍ଡଳୀରେ ୬.୧୪ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । ୨୪ରୁ ୩୦ ଘଣ୍ଟା ଭିତରେ ଖଇରମାଳ ଓ ବରମୂଳରୁ ପାଣି ଆସି ମୁଣ୍ଡଳୀରେ ପହଞ୍ଚିବ । ଜଳସ୍ତର ପାଖାପାଖି ୧୦ ଲକ୍ଷ ଘନଫୁଟ ଛୁଇଁପାରେ । ସେପଟେ ପୁର୍ଣମୀ ପାଇଁ ସମୁଦ୍ର ପାଣି ଟାଣୁ ନାହିଁ । ଏଣୁ ମହାନଦୀ ତଳମୁଣ୍ଡରେ ଶାଖା ନଦୀ ଉଛୁଳିବା ଆଶଙ୍କା ରହିଛି । ଏହା ବନ୍ୟା ସ୍ଥିତିକୁ ଆହୁରି ବିଗାଡ଼ିପାରେ । ହୀରାକୁଦରୁ ଅଧିକ ପାଣି ଆସିଲେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ଆହୁରି ସଙ୍ଗୀନ ହେବାର ଆଶଙ୍କା ରହିଛି । ଗତ ୨୪ ଘଣ୍ଟାରେ ହୀରାକୁଦ ଅବବାହିକା ଅଞ୍ଚଳରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ବ୍ରାହ୍ମଣୀ ନଦୀ ଜଳସ୍ତର ବି ବଢୁଛି । ଜେନାପୁରଠାରେ ଜଳସ୍ତର ସତର୍କ ସଙ୍କେତ ପାର୍‌ କରିଛି । ଏଠାରେ ସତର୍କ ସଙ୍କେତ ସ୍ତର ୨୨ ମିଟର
ବୁଧବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବନ୍ୟା ସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଥିଲା । ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଭିନ୍ନ ବିଭାଗ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଉପସ୍ଥିତ ଥିଲେ । ମନ୍ତ୍ରୀ କହିଥିଲେ, ଅପରାହ୍ନ ସୁଦ୍ଧା ୨୨୬ଟି ଗ୍ରାମ ଜଳବନ୍ଦୀ ଅବସ୍ଥାରେ ଥିଲା । ବାଲେଶ୍ୱର ଜିଲ୍ଲାରେ ଜଳସ୍ତର କମିବା ଆରମ୍ଭ କରିଥିବାରୁ ଅନେକ ଲୋକେ ରିଲିଫ କେନ୍ଦ୍ରରୁ ନିଜ ଘରକୁ ଫେରିଛନ୍ତି । ନଦୀ ବନ୍ଧ, ରିଲିଫ କେନ୍ଦ୍ର ଓ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ପାଟ୍ରୋଲିଂକୁ ବାଧ୍ୟତାମୂଳକ କରାଯାଇଛି । ନଦୀ ପରିସ୍ଥିତିର ସମୀକ୍ଷାବେଳେ ଜଣାପଡ଼ିଥିଲା, ଛତିଶଗଡ଼ର ଉପର ମୁଣ୍ଡ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି । ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍‌ ଖୋଲା ରହିଛି । ଜଳଭଣ୍ଡାରର ଜଳସ୍ତର ସୁରକ୍ଷିତ ସୀମା ମଧ୍ୟରେ ରହିଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ନିରନ୍ତର ଜଳପ୍ରବାହ ଓ ଜଳସ୍ତରର ତଦାରଖ କରାଯାଉଛି । ଆବଶ୍ୟକ ପଡ଼ିଲେ ବୈଷୟିକ ଆକଳନ ଆଧାରରେ ପର୍ଯ୍ୟାୟକ୍ରମେ ଜଳ ନିଷ୍କାସନ କରାଯିବ । ବର୍ତ୍ତମାନ ନଦୀ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ।  ମନ୍ତ୍ରୀ କହିଛନ୍ତି, କ୍ଷତିଗ୍ରସ୍ତ ଘରଗୁଡ଼ିକର ଆକଳନ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଭାବିତ ପରିବାରଙ୍କୁ ସରକାରୀ ନିୟମାବଳୀ ଅନୁଯାୟୀ ସହାୟତା ପ୍ରଦାନ ପ୍ରକ୍ରିୟା ଜାରି ରହିଛି ।  ଉଦ୍ଧାର କାର୍ଯ୍ୟ ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଜଣେ ଅଗ୍ନିଶମ ସେବା କର୍ମଚାରୀଙ୍କ ଦୁଃଖଦ ମୃତ୍ୟୁ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ତୁରନ୍ତ ସମସ୍ତ ସରକାରୀ ସହାୟତା ଓ ପ୍ରାପ୍ୟ ସୁବିଧା ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ସମ୍ପୃକ୍ତ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । 

Post Views57 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!