ବାରାଣାସୀ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନକୁ ଆଜି ଦିଲ୍ଲୀ ବିମାନବନ୍ଦରରେ ବୋମା ଧମକ ମିଳିଛି। ଧମକ ମିଳିବା ପରେ ବିମାନକୁ ଯାଞ୍ଚ କରିବାକୁ ଅଧିକାରୀମାନେ ଲାଗି ପଡ଼ିଛନ୍ତି। ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣର କିଛି ମିନିଟ୍ ପୂର୍ବରୁ ରନୱେରେ ଅଟକି ଯାଇଥିଲା। ସେହି ସମୟରେ ଏକ ଫୋନ୍ କଲ୍ ସଭିଙ୍କୁ ଡରାଇ ଦେଲା।
ଭୋର୍ ପ୍ରାୟ ୫.୪୦ ବେଳକୁ ଏକ ଫୋନ୍ କଲ୍ ଆସିଲା ଯେ ବିମାନ ମଧ୍ୟରେ ବୋମା ଅଛି। ଏହାବ୍ୟତୀତ ବିମାନ ମଧ୍ୟରେ ୩୦ ମିନିଟ୍ ମଧ୍ୟରେ ବିସ୍ଫୋରଣ ଘଟିବ ବୋଲି ଲେଖାଥିବା ଏକ କାଗଜକୁ ପାଇଲଟ୍ ପାଇଥିଲେ।
ବିମାନରେ ୧୭୬ ଜଣ ଯାତ୍ରୀ ଥିବାବେଳେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବିଚ୍ଛିନ୍ନ ସ୍ଥାନକୁ ନିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ ବିମାନ ମଧ୍ୟରୁ ସେପରି କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନାହିଁ।
ଏଭିଏସନ୍ ସିକ୍ୟୁରିଟ. ଡଗ୍ ସ୍କ୍ୱାର୍ଡ ଓ ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । କିଛି ଯାତ୍ରୀ ଏମରଜେନ୍ସି ଗେଟ୍ ଓ କିଛି ଯାତ୍ରୀ ୱିଣ୍ଡୋ ପଟେ ବାହାରକୁ ପଳାଇ ଆସିଥିଲେ ।
ସୂଚନା ଅନୁସାରେ ଇଣ୍ଡିଗୋ ବିମାନଟି ଦିଲ୍ଲୀରୁ ବାରଣାସୀ ଯିବା ପାଇଁ ପ୍ରସ୍ତୁତ ହେଉଥିଲା ସେହି ସମୟରେ ଫୋନ୍ କଲ୍ ସହିତ ଏକ ନୋଟ୍ ମିଳିଥିଲା। ଯାହାଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

