ରାଜ୍ୟରେ ବିଜେପି ସରକାର ଗଠନ ପୂର୍ବରୁ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କ ଆଇଏଏସ୍ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଛୁଟିରେ ପଳାଇଛନ୍ତି । ପିଲାର ଯତ୍ନ ନେବା ଆଳ ଦେଖାଇ ସେ ୬ମାସ ଛୁଟିରେ ଯାଇଛନ୍ତି ।
ଦୀର୍ଘ ୨୪ବର୍ଷର କ୍ଷମତାସୀନ ବିଜେଡିକୁ ଝଟକା ଦେଇ ବିଜେପି ଚଳିତ ନିର୍ବାଚନରେ ରାଜ୍ୟରେ ବିପୁଳ ବିଜୟ ହାସଲ କରିବା ଏବେ ପାଣ୍ଡିଆନଙ୍କୁ ମହଙ୍ଗା ପଡ଼ିଛି ।
ସାଧାରଣ ପ୍ରଶାସନ ବିଭାଗର ଅଫିସ୍ ଅର୍ଡର ଅନୁସାରେ, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତ କାର୍ତ୍ତିକେୟନ ମେ’ ୩୧ତାରିଖରୁ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ଛୁଟିରେ ପଳାଇଛନ୍ତି ।
ତାଙ୍କ ଝିଅ ଦଶମ ପରୀକ୍ଷା ଦେବାକୁ ଥିବାରୁ ତା’ର ଯତ୍ନ ନେବା ପାଇଁ ସୁଜାତା ଛୁଟି ନେଇଥିବା ଦର୍ଶାଇଛନ୍ତି । ସର୍ବଭାରତୀୟ ପ୍ରଶାସନିକ ସେବା ରୁଲସ୍-୧୯୫୫ର ରୁଲ (୧୮-ଘ)ରେ ଥିବା ପ୍ରାବଧାନ ଅନୁସାରେ ସୁଜାତାଙ୍କୁ ଏହି ଛୁଟି ମଞ୍ଜୁର ହୋଇଥିବା ସାଧାରଣ ପ୍ରଶାସନ ବିଭାଗ ଦର୍ଶାଇଛି । ସୁଜାତାଙ୍କର ପିଲାର ଯତ୍ନ ପାଇଁ ନେଇଥିବା ଅବଧିର ଛୁଟିକୁ ସାଧାରଣ ଛୁଟିରୁ ବାଦ୍ ଦିଆଯିବ ନାହିଁ ।
ପିଲାର ଯତ୍ନ ପାଇଁ ନେଇଥିବା ଛୁଟିକୁ ସବୈତନିକ ଛୁଟି ଭାବେ ବିବେଚନା କରାଯିବ ଓ ଛୁଟି ସରିବା ପରେ ଉକ୍ତ ଦରମା ପାଇବାକୁ ସେ ହକଦାର ହେବେ ବୋଲି ଅଫିସ୍ ଅର୍ଡରରେ ଉଲ୍ଲେଖ ରହିଛି ।

