ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳ ଏବଂ ଢେଙ୍କାନାଳ ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟଠାରେ ‘ଗଣମାଧ୍ୟମ ଓ ଗଣ ଯୋଗାଯୋଗ କ୍ଷେତ୍ରରେ କ୍ୟାରିୟର ସୁଯୋଗ’ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଏହି କାର୍ଯ୍ୟକ୍ରମରେ ଆଇଆଇଏମ୍ସି ଢେଙ୍କାନାଳ ଇଂରାଜୀ ସାମ୍ବାଦିକତା ବିଭାଗର ସହକାରୀ ପ୍ରଫେସର ଡ. ବିରଞ୍ଚି ନାରାୟଣ ସେଠ୍, ଓଡ଼ିଆ ସାମ୍ବାଦିକତା ବିଭାଗର ସହକାରୀ ପ୍ରଫେସର ଡ. ଚିରସ୍ରୋତା ଜେନା ଓ ଆକାଡେମିକ ଆସୋସିଏଟ୍ ସୌମ୍ୟ ରଞ୍ଜନ ବିହାରା ଯୋଗଦେଇ ସାମ୍ବାଦିକତା ଓ ଗଣ ଯୋଗାଯୋଗ କ୍ଷେତ୍ରରେ ଥିବା କ୍ୟାରିୟର ସୁଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି ।ଆଇଆଇଏମ୍ସି ଢେଙ୍କାନାଳରେ ପ୍ରଦାନ କରାଯାଉଥିବା ‘ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ’ ଚଳିତ ବର୍ଷ ୨୫ ବର୍ଷ ପୂରଣ କରିବାକୁ ଯାଉଛି । ଏଣୁ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମର ବିଭିନ୍ନ ଦିଗ ତଥା କ୍ୟାରିୟର ସୁଯୋଗ ଏବଂ ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସଫଳତା ସମ୍ପର୍କରେ ଆଇଆଇଏମ୍ସିର ଅଧ୍ୟାପକ, ଅଧ୍ୟାପିକା ଆଲୋଚନା କରିଛନ୍ତି ।
ପ୍ରାରମ୍ଭରେ ଢେଙ୍କାନାଳ ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସମୀର କୁମାର ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟର ତୃତୀୟ ବର୍ଷର ପ୍ରାୟ ୧୨୦ ଜଣ ଛାତ୍ରଛାତ୍ରୀ ଓ ବିଭିନ୍ନ ବିଭାଗର ଅଧ୍ୟାପକ ଯୋଗ ଦେଇଥିଲେ । ୧୯୯୩ ମସିହାରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ ନୂଆଦିଲ୍ଲୀର ପ୍ରଥମ ଶାଖା ଢେଙ୍କାନାଳରେ ଖୋଲିଥିଲା । ସେହିପରି ୨୦୦୧ ମସିହାରେ ‘ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ’ ଆରମ୍ଭ ହୋଇଥିଲା । ହିନ୍ଦୀ ପରେ ଏହା ଦେଶର ପ୍ରଥମ ଭାଷାଭିତ୍ତିକ ସାମ୍ବାଦିକତା ପାଠ୍ୟକ୍ରମ । ଗତବର୍ଷ ଆଇଆଇଏମ୍ସିକୁ ଡିମ୍ଡ୍ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଛି ।

