ଧ୍ୱସ୍ତବିଧ୍ୱସ୍ତ ହୋଇଗଲା ବିଜେଡି ଗଡ । ରବୀନ୍ଦ୍ର କ୍ରେଜରେ ବଦଳିଗଲା ଚିତ୍ର, ଯାଜପୁର ରାଜନୀତିରେ ଲେଖାହେଲା ନୂଆ ଇତିହାସ । ବିଜେଡିର ଗଡ଼ ଯାଜପୁର ଜିଲ୍ଲାରେ ହୋଇଛି ବଡ଼ ବିପର୍ଯ୍ୟୟ। ଲୋକସଭା ଆସନ ସହ ସମସ୍ତ ୭ ବିଧାନସଭା ଆସନକୁ ଦଖଲ କରିଆସୁଥିବା ବିଜେଡିକୁ ଏଠାରେ ବଡ଼ ଝଟ୍କା ଲାଗିଛି। ଯାଜପୁର ଲୋକସଭା ଆସନରେ କେବେ ଖାତା ଖୋଲିନଥିବା ବିଜେପି ଏଥର ଉଡାଇଛି ବିଜୟ ବାନା । ବିଜେଡି ଗଡ଼ରେ ଗଡବଡ କରି ସିକନ୍ଦର ସାଜିଛନ୍ତି ଡ.ରବୀନ୍ଦ୍ର ନାରାୟଣ ବେହେରା ।
ଏଥର ସାରା ଓଡ଼ିଶାରେ ଦେଖିବାକୁ ମିଳିଛି ବିଜେପି ଲହର। ବିଜେପି ଓଡ଼ିଶାରେ ପ୍ରଥମ ଥର କରି ଏକାକୀ ସରକାର ଗଢୁଥିବାବେଳେ ଯାଜପୁର ଲୋକସଭା ଆସନକୁ ନେଇ ଚର୍ଚ୍ଚା ଲାଗିରହିଛି। କାରଣ ବିଜେଡିର ନିଶ୍ଚିତ ସିଟକୁ ନିଜ କବଜାକୁ ନେଇଯାଇଛି ବିଜେପି।
ଭୋଟ ଗଣତି କାର୍ଯ୍ୟକ୍ରମ ମଧ୍ୟରାତି ପର୍ଯ୍ୟନ୍ତ ବେଶ ରୋଚକ ପରିସ୍ଥିତିରେ ଥିଲା। ଶେଷ ପର୍ଯ୍ୟନ୍ତ ଲୋକସଭା ପ୍ରାର୍ଥୀ, ଯାଜପୁର ବିଧାନସଭା ପ୍ରାର୍ଥୀ କିଏ ଜିତୁଛି ତାକୁ ନେଇ ଟଣାଓଟରା ଚାଲିଥିଲା। ଶେଷରେ ବିଜେପି ପ୍ରାର୍ଥୀ ଡ.ରବୀନ୍ଦ୍ର ନାରାୟଣ ବେହେରା ମାତ୍ର ୧୫୮୭ ଭୋଟ ବ୍ୟବଧାନରେ ବିଜେଡିର ଶର୍ମିଷ୍ଠା ସେଠୀଙ୍କୁ ପରାସ୍ତ କରିଥିଲେ।
ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଯାଜପୁର ଲୋକସଭା ଆସନରେ ମୋଟ ୧୩ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ବିଜେପିର ରବୀନ୍ଦ୍ର ବେହେରା ୫,୩୪,୨୩୯ ଭୋଟ ପାଇଥିବା ବିଜେଡିର ଶର୍ମିଷ୍ଠା ସେଠୀ ୫,୩୨,୬୫୨ ଭୋଟ୍, କଂଗ୍ରେସର ଅଞ୍ଚଳ ଦାସ ୫୩,୧୪୫ ଭୋଟ୍,ଏସୟୁସିଆଇର ସୁବାଷ ଚନ୍ଦ୍ର ମଲ୍ଲିକ ୧୮,୦୦୭ ଭୋଟ, ଇଂ ସଂଧ୍ୟାରାଣୀ ମଲ୍ଲିକ ୩୨୧୮ଭୋଟ୍, ଭୈରବ ପ୍ରସାଦ ବେହେରା ୨୪୦୩, ସୁମନ୍ତ ମଲ୍ଲିକ ୨୩୦୧, ବିଦ୍ୟାଧର ଦଳେଇ ୨୧୭୨, ଝୁନା ମଲ୍ଲିକ ୨୦୭୭, ଆର୍ତ୍ତତ୍ରାଣ ମଲ୍ଲିକ ୧୨୫୨, ନରେନ୍ଦ୍ର ମଲ୍ଲିକ ୧୧୧୯, ମଣ୍ଟୁ ସେଠୀ ୯୫୬ ଭୋଟ ଓ ବିନୋଦ କୁମାର ଯେନା ୮୭୯ଭୋଟ ପାଇଛନ୍ତି। ଏହା ବାଦ ନୋଟାକୁ ୬୭୮୮ ଭୋଟ ଯାଇଛି। ଇଭିଏମ୍ ମତଦାନ ଅନୁଯାୟୀ ବିଜେଡି ପ୍ରାର୍ଥୀ ଶ୍ରୀମତୀ ସେଠୀ ୫,୨୯,୪୨୮ ଏବଂ ବିଜେପିର ଡକ୍ଟର ବେହେରା ୫,୨୮,୯୫୯ ଭୋଟ ପାଇଥିଲେ। ମାତ୍ର ପୋଷ୍ଟାଲ୍ ବାଲଟ୍ରେ ବିଜେପି ପ୍ରାର୍ଥୀ ୫୨୮୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୩୨୨୪ ଖଣ୍ଡ ଭୋଟ ପାଇଛନ୍ତି। ଏଥିରେ ବିଜେଡି ୨୦୫୬ଖଣ୍ଡ ଭୋଟ ପଛରେ ପଡ଼ିବାରୁ ବିଜେପି ପ୍ରାର୍ଥୀ ୧୫୮୭ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।
ପୋଷ୍ଟାଲ ବାଲଟ୍ ଅଧିକ ବିଜେପି ସପକ୍ଷରେ ଯାଇଥିଲା। ବରୀ ନିର୍ବାଚନମଣ୍ଡଳୀରେ ବିଶ୍ବରଞ୍ଜନ ମଲ୍ଲିକ ଏଥର ବିଜେଡି ଟିକେଟରେ ପ୍ରତିଦ୍ବନ୍ଦ୍ବିତା କରି ୫୧ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ବିଂଝାରପୁରରେ ପ୍ରମିଳା ମଲ୍ଲିକ ମାତ୍ର ୨୮୫୬ଖଣ୍ଡ ବ୍ୟବଧାନରେ ବିଜେପିର ବବିତାଙ୍କୁ ହରାଇଛନ୍ତି। ସେହିପରି ଯାଜପୁରରେ ବିଜେଡିର ସୁ୍ଜାତା ସାହୁ ୨୫୬୪ ଭୋଟରେ ବିଜେପିର ଗୌତମ ରାୟଙ୍କୁ ହରାଇଛନ୍ତି। ଏଠାରେ ମଧ୍ୟ ମତଦାନ ସ୍ବଚ୍ଛତା ଉପରେ ଶ୍ରୀ ରାୟ ପ୍ରଶ୍ନ ଉଠାଇଛନ୍ତି। ସେହିପରି କୋରେଇରେ ବିଜେଡି ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା ସଂଧ୍ୟାରାଣୀ ଦାସ ପରାଜିତ ହୋଇଥିବା ବେଳେ ଲଗାତର ରେକର୍ଡ ପରିମାଣ ଭୋଟରେ ବିଜୟୀ ହେଉଥିବା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ଠାରୁ ପରାଜୟ ବରଣ କରିଛନ୍ତି। ଏଭଳି କି ସୁକିନ୍ଦାରେ ପ୍ରୀତିରଞ୍ଜନ ଘଡ଼ାଇ ବିଜେପିର ପ୍ରଦୀପ ବଳସାମନ୍ତ ଠାରୁ ପରାସ୍ତ ହେଲେ। ଜିଲ୍ଲାରେ ଏଥର ବିଜେଡି ନେତାଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ତୀବ୍ର ହୋଇଥିଲା। ୩ବିଧାୟକ ବଡ଼ଚଣାର ଅମର ପ୍ରସାଦ ଶତପଥୀ, ବରୀର ସୁନନ୍ଦା ଦାସ ଓ କୋରେଇର ଅଶୋକ ବଳ ଟିକଟ କଟିବା ପରେ ପ୍ରଚାର ମଇଦାନକୁ ଓହ୍ଲାଇ ନଥିଲେ। ଏସବୁର ପ୍ରଭାବ ସାଂସଦ ପ୍ରାର୍ଥୀଙ୍କ ଉପରେ ପଡ଼ିଥିଲା।

