କେନ୍ଦ୍ର ବଜେଟ: ମଧ୍ଯବିତ୍ତ ନିରାଶ

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୭ ଲକ୍ଷ ୬୫ ହଜାର ୭୬୮ କୋଟି ଟଙ୍କାର ବ୍ଯୟ ଅଟକଳ କରାଯାଇଛି । ଏଥିରେ ପୁଞ୍ଜିଗତ ବ୍ୟୟକୁ ବୃଦ୍ଧି କରାଯାଇଛି। ଆର୍ଥିକ ସଙ୍କଟ ଭିତରେ ବି ଅଭିବୃଦ୍ଧି ପାଇଁ ପ୍ରୟାସ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ନୀର୍ମଳା ସୀତାରମଣ କହିଛନ୍ତି । ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ଲୋକଙ୍କ ପାଇଁ ବିଶେଷ କୌଣସି ଘୋଷଣା ହୋଇନାହିଁ। ବ୍ଯକ୍ତିଗତ ଆୟକର ରିହାତିରେ ବି କୌଣସି ଘୋଷଣା ହୋଇନାହିଁ । ବଜେଟରେ କୃଷି, ଯୁବ, ମଧ୍ୟବିତ୍ତ, ମହିଳା, ଡିଜିଟାଲ ଇଣ୍ଡିଆ ପାଇଁ ସେମିତି କିଛି ବଡ଼ ଘୋଷଣା ହୋଇନାହିଁ। ନିର୍ବାଚନ ବର୍ଷ ଥିବାରୁ ସରକାର ଏଥର ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି। ଶିକ୍ଷା, ସ୍ବାସ୍ଥ୍ଯ, ସାମାଜିକ ବ୍ଯବସ୍ଥା କ୍ଷେତ୍ରରେ ଗତବର୍ଷ ଠାରୁ ଚଳିତ କମ ଅର୍ଥ ଖର୍ଚ୍ଚ କରାଯିବ। ସରକାର କିଛି କ୍ଷେତ୍ରରେ ଖର୍ଚ୍ଚ କାଟ ମଧ୍ଯ କରିଛନ୍ତି । ଦରଦାମ ବୃଦ୍ଧି ଭଳି ସଙ୍କଟରେ ଲୋକେ ଗତି କରୁଥିବା ବେଳେ ବଜେଟରେ କିଛି ରିହାତି ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସେଥିରେ କୌଣସି ଘୋଷଣା ହୋଇନାହିଁ। ଆସନ୍ତା ନିର୍ବାଚନକୁ ନଜରରେ ରଖି ବଡ଼ ଘୋଷଣାରୁ ନିଜକୁ ଦୁରେଇ ରଖିଛନ୍ତି ସରକାର ।

ମଧ୍ଯବିତ୍ତଙ୍କ ହାତ ଖାଲି, ଇନକମ୍ ଟ୍ଯାକ୍ସରେ ମିଳିଲାନି ଆଶ୍ବସ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟରେ ଇନକମ୍ ଟ୍ଯାକ୍ସ ସ୍ଲାବରେ ୨୦୧୯ ପରି ଆଶ୍ବସ୍ତି ଆଶା କରୁଥିଲେ ମଧ୍ଯବିତ୍ତ, ହେଲେ ନିରାଶ କରିଛନ୍ତି ନିର୍ମଳା ସୀତରମଣ। ୨୦୧୯ ଅନ୍ତରୀଣ ବଜେଟରେ ଚାକିରିଆଙ୍କ ପାଇଁ ୪୦ହଜାରକୁ ୫୦ହଜାର ଟଙ୍କା ଇନକମ୍ ଟ୍ଯାକ୍ସ ସ୍ଲାବ ବଢାଇଥିଲେ। କିନ୍ତୁ ଏଥର ଅନ୍ତରୀଣ ବଜେଟରେ ନିରାଶ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ତେବେ ପ୍ରତ୍ଯକ୍ଷ କର ବକେୟାରେ ରିହାତି ଦେବା ପାଇଁ ଘୋଷଣା କରିଛନ୍ତି। ୨୦୧୦ ଆର୍ଥିକ ବର୍ଷ ପର୍ଯ୍ଯନ୍ତ ବକେୟାରେ ୨୫ହଜାର ଟଙ୍କା ପର୍ଯ୍ଯନ୍ତ ରିହାତି ଦେବାକୁ ଘୋଷଣା କରାଯାଇଛି। ୨୦୧୧ରୁ ୨୦୧୫ ଆର୍ଥିକ ବର୍ଷ ପର୍ଯ୍ଯନ୍ତ ୧୦ହଜାର ଟଙ୍କା ଯାଏ ରିହାତି ମିଳିବାକୁ ଘୋଷଣା ହୋଇଛି। ଏହାଦ୍ବାରା କୋଟି କୋଟି କରଦାତାଙ୍କର ଲାଭ ହେବ ବୋଲି ସରକାର ଆଶା କରିଛନ୍ତି। ଗତବର୍ଷ ବଜେଟରେ ନିର୍ମଳା ନୂଆ ଟ୍ଯାକ୍ସ ସ୍ଲାବ ଉପସ୍ଥାପନ କରିଥିଲେ। ଏହାସହ ଆୟକରଦାତାଙ୍କ ପାଇଁ ବିକଳ୍ପ ଭାବେ ପୁରୁଣା ଟ୍ଯାକ୍ସ ସ୍ଲାବକୁ ମଧ୍ଯ ବଜାୟ ରଖିଥିଲେ। ୭ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କ ପାଇଁ ଆୟକର ଛାଡ୍ ରହିଥିଲା।

୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ। ଅନ୍ତରୀଣ ବଜେଟରେ ଅର୍ଥମନ୍ତ୍ରୀ ଏହି ଘୋଷଣା କରି ମହିଳା ଭୋଟବ୍ୟାଙ୍କୁ ଆକର୍ଷିତ କରିଛନ୍ତି। ସେ କହିଛନ୍ତି ଏଯାବତ୍‌ ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ତିଆରି କରାଯାଇଛି। ଏହି ଲକ୍ଷ୍ୟକୁ ୨ କୋଟିରୁ ବୃଦ୍ଧି କରି ୩ କୋଟି କରାଯିବ। ଅର୍ଥାତ ସରକାର ଆଉ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ ବୋଲି ଘୋଷଣା କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ କାର୍ଯ୍ୟକାରୀ ହେବ ଲକ୍ଷପତି ଦିଦି ଯୋଜନା।  ସ୍ବୟଂସହାୟକ ଗୋଷ୍ଠୀ ମାଙ୍କୁ ମିଳିବ ଡ୍ରୋନ। ଏମାନଙ୍କୁ ଡ୍ରୋନ ଚଳାଇବା ଏବଂ ମରାମତି ପ୍ରଶିକ୍ଷଣ ଦିଆଯିବ। ଡ୍ରୋନ ପାଇଲଟ ମହିଳାଙ୍କୁ ମିଳିବ ମାସିକ ୧୫ ହଜାର ଟଙ୍କା।  ସେହିଭଳି ମହିଳାଙ୍କ ଭିତରେ ବଢୁଥିବା ସର୍ଭାଇକାଲ କ୍ୟାନସର ପାଇଁ ଟିକାକରଣ ବୃଦ୍ଧି କରାଯିବ। ଏହି ରୋଗର ସମ୍ପୂର୍ଣ୍ଣ ନିରାକରଣ ଦିଗରେ କାମ କରାଯିବ। ଏଥିପାଇଁ ୯ରୁ ୧୪ ବର୍ଷର ଝିଅମାନଙ୍କୁ ବିନାମୂଲ୍ୟରେ ଟିକା ଦିଆଯିବ। ମାତୃଶକ୍ତି ଓ ଶିଶୁକନ୍ୟାମାନଙ୍କ ପାଇଁ ନୂଆ କାର୍ଯ୍ୟକ୍ରମ ଅଣାଯିବ। ଏବଂ ସେମାନଙ୍କୁ ତାହାର ଲାଭ ପ୍ରଦାନ କରାଯିବ ବୋଲି ବଜେଟରେ ଘୋଷଣା କରାଯାଇଛି।  ସରକାରଙ୍କ ଫୋକସରେ ମହିଳା, ଯୁବପିଢି, ଗରିବ ଓ ଚାଷୀ ରହିଥିବା ଦର୍ଶାଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ୭୦ ପ୍ରତିଶତ ମହିଳାଙ୍କ ନାଁରେ ଘର ତିଆରି ହୋଇଛି। ଆୟୁଷ୍ମାନ ଭାରତ ଯୋଜନାରେ ମଧ୍ଯ ସରକାର ବଡ଼ ପରିବର୍ତ୍ତନ କରୁଥିବା ବେଳେ  ଆଶା କର୍ମୀ ଓ ଅଙ୍ଗନଓ୍ବାଡି କର୍ମୀଙ୍କୁ   ସରକାର ଏଥିରେ ସୁବିଧା ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ରେଲୱେ କ୍ଷେତ୍ରରେ ଏଥର ବଜେଟରେ ବିଶେଷ କିଛି ନଥିବା  ବେଳେ ୨.୫୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଅଟକଳ କରାଯାଇଛି। ଯାହା ଗତବର୍ଷ ବଜେଟଠାରୁ ସାମାନ୍ଯ ଅଧିକ ରହିଛି। ବଜେଟ ଭାଷଣ ବେଳେ ତିନୋଟି ନୂଆ ରେଳ କରିଡର ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଶକ୍ତି, ଖଣିଜ ଓ ସିମେଣ୍ଟ କରିଡର, ବନ୍ଦର ଯୋଗାଯୋଗ କରିଡର, ଏବଂ ହାଇ ଟ୍ରାଫିକ ଡେନସିଟି କରିଡର। ଏହା ମାଧ୍ଯମରେ କେନ୍ଦ୍ର ସରକାର ପରିବହନ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରିଛନ୍ତି । ପିଏମ ଗତି ଶକ୍ତି ଯୋଜନା ଅଧିନରେ ଏହି କୋରିଡର କାର୍ଯ୍ଯକ୍ଷମ ହେବ। ଏଥିସହ ଟ୍ରେନର ୪୦ ହଜାର ବଗିକୁ ବନ୍ଦେ ଭାରତ ଷ୍ଟାଣ୍ଡାର୍ଡର କରାଯିବ। ରେଳ ଯୋଗାଯୋଗର ଆଧୁନିକରଣ ଓ ରୂପାନ୍ତରୀକରଣ ମଧ୍ଯ କରାଯିବ। ଆସନ୍ତା ୫ ବର୍ଷ ଅଦ୍ଭୁତପୂର୍ବ ବିକାଶ ହେବାକୁ ଯାଉଛି । ଯୋଗାଯୋଗ କ୍ଷେତ୍ରରେ ଆତ୍ମନିର୍ଭରତା ବଢାଇବା ପାଇଁ ବଡ଼ ବଡ଼ ଯୋଜନା କରାଯିବ। ଗତ ୧୦ ବର୍ଷରେ ବିମାନ ସେବା ବ୍ଯାପକ ହୋଇଛି। ସରକାର ନୂଆ ୧୪୯ଟି ବିମାନବନ୍ଦର ତିଆରି କରିଛନ୍ତି। ଦେଶର ଛୋଟ ଛୋଟ ସହର ଏବେ ଆକାଶପଥରେ ଯୋଡ଼ି ହେବାକୁ ଯାଉଛି। ଆହୁରି ନୂଆ ବିମାନ ବନ୍ଦର ଏବେ ତିଆରି ହେଉଛି। ମେଟ୍ରୋ ଟ୍ରେନ ଓ ସହରୀକରଣ ବୃଦ୍ଧି ଉପରେ ଧ୍ଯାନ କେନ୍ଦ୍ରୀତ ହୋଇଛି ଇ-ବସ, ଇ-କାର ଚାଳନା ଉପରେ ଗୁରୁତ୍ବ ଦିଆଯାଉଛି। ପରିବେଶ ଅନୁକୂଳ ଟେକନୋଲୋଜିକୁ ବୃଦ୍ଧି କରାଯାଉଛି। ଇଯାନର ଚାର୍ଜିଂ ଷ୍ଟେସନ ପାଇଁ ଲୋକାଲ ଭେଣ୍ଡରଙ୍କୁ ଗୁରୁତ୍ବ ଦିଆଯାଉଛି ।

ମହାମାରୀ ଦ୍ବାରା ସୃଷ୍ଟ ଅନେକ ଚ୍ୟାଲେଞ୍ଜ ସତ୍ତ୍ବେ ସରକାର ପିଏମ ଗ୍ରାମୀଣ ଆବାସ ଯୋଜନା ଅଧିନରେ ୩ କୋଟି ଘର ନିର୍ମାଣ କରାଯାଇଛି। ପରିବାରଗୁଡିକ ସଂଖ୍ୟା ବଢୁଥିବା ବେଳେ ଘରର ଆବଶ୍ୟକତା ପୂରଣ କରିବାକୁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆଉ 2 କୋଟି ଅଧିକ ଗୃହ ନିର୍ମାଣ କରାଯିବ ବୋଲି ଅର୍ଥମନ୍ତ୍ରୀ ବଜେଟ ଅଭିଭାଷଣରେ କହିଛନ୍ତି। ଦେଶରେ ଆର୍ଥିକ, ସାମାଜିକ ସମାନତା ପାଇଁ ପ୍ରୟାସ କରାଯାଉଛି। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢିଥିବା ବେଳେ ୭୦% ମହିଳାଙ୍କ ନାମରେ ଘର ତିଆରି ହୋଇଥିବା ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି।

ଅନ୍ତରୀଣ ବଜେଟକୁ ନେଇ କୃଷକ ନିରାଶ। ବଜେଟ ଅଭିଭାଷଣରେ ଜୟ ଯବାନ, ଜୟ କିଶାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନର ସ୍ଲୋଗାନ। ଆସନ୍ତା ୫ ବର୍ଷ ଅଦ୍ଭୁତପୂର୍ବ ବିକାଶର କେବଳ ପ୍ରତିଶ୍ରୁତି। କୃଷିକ୍ଷେତ୍ର ମୂଲ୍ୟବୃଦ୍ଧି ଏବଂ କୃଷକଙ୍କ ଆମଦାନୀ ବୃଦ୍ଧିର ପ୍ରୟାସକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ବ । କୃଷି କ୍ଷେତ୍ରରେ ଆତ୍ମନିର୍ଭରତାକୁ ପ୍ରୋତ୍ସାହିତ କରିବା ଲାଗି ନୂତନ କାର୍ଯ୍ୟନୀତି ପ୍ରସ୍ତୁତି ନେଇ ଘୋଷଣା। ଯାହା ଅଧୀନରେ ଅଧିକ ଅମଳ ଦେଉଥିବା କିସମ ଓ କୃଷି ଟେକ୍ନୋଲେଜିର ବ୍ୟବହାର ସହିତ ଉତ୍ପାଦନ ଓ ଅନୁସନ୍ଧାନକୁ ଗୁରୁତ୍ବ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନାରେ ୩୮ ଲକ୍ଷ କୃଷକ ଲାଭବାନ ହୋଇ ଥିବା ବେଳେ ୧୦ ଲକ୍ଷ ରୋଜଗାର ସୃଷ୍ଟି ହୋଇପାରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।

ସେହିଭଳି ଦୁଗ୍ଧ ଚାଷୀଙ୍କ ସହାୟତା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଯାହାକି ରାଷ୍ଟ୍ରୀୟ ଗୋ-ମିଶନ, ରାଷ୍ଟ୍ରୀୟ ପଶୁଧନ ମିଶନ ଏବଂ ଡାଏରୀ ସଂସ୍କରଣ ତଥା ପଶୁପାଳନ ସମ୍ବନ୍ଧୀୟ ବର୍ତ୍ତମାନର ନୀତି ଉପରେ ଆଧାରିତ ହେବ। ପଶୁ ସୁରକ୍ଷା ଉପରେ ମଧ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ମତ୍ସ୍ୟଚାଷକୁ ପ୍ରୋତ୍ସାହନ ପାଇଁ ବଜେଟ ୨୩୫୨ କୋଟି ଟଙ୍କାକୁ ବୃଦ୍ଧି କରିଦିଆଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତିି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାକୁ ପ୍ରୋତ୍ସାହନ ସ୍ବରୂପ ଜଳକୃଷି ଉତ୍ପାଦନତାକୁ ହେକ୍ଟର ପିଛା ୩ଟନରୁ ବୃଦ୍ଧି କରି ୫ଟନ କରିବାକୁ ଲକ୍ଷ୍ୟ ରହିଛି। ରପ୍ତାନୀରେ ଦୁଇ ଗୁଣା ବୃଦ୍ଧି କରି ୧ ଲକ୍ଷ କୋଟିରେ ପହଞ୍ଚାଇବା ସହ ମତ୍ସ୍ୟଚାଷ କ୍ଷେତ୍ରରେ ୫୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ସରକାରଙ୍କ ଧ୍ୟାନ ରହିବ। ୫ଟି ଏକୀକୃତ ଆକ୍ବାପାର୍କର ସ୍ଥାପନ ମଧ୍ୟ କରାଯିବାକୁ ମଧ୍ୟ କୃଷି ବଜେଟରେ ଘୋଷଣା ହୋଇଛି। ସେପଟେ ନାନୋ ୟୁରିଆ ସଫଳତା ପୂର୍ବକ ଆପଣାଇବା ପରେ ସମସ୍ତ କୃଷି-ଜଳବାୟୁ କ୍ଷେତ୍ରରେ ବିଭିନ୍ନ ଫସଲରେ ନାନୋ ଡିଏପି ପ୍ରୟୋଗ ଉପରେ ଗୁରୁତ୍ବ ରହିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

()୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ୬.୨ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ବଜେଟ ଘୋଷଣା କରିଛନ୍ତି। ଯାହାକି ପୂର୍ବ ବର୍ଷଠାରୁ ୩.୪% ବୃଦ୍ଧି କରାଯାଇଛି। ଗତ ଆର୍ଥିକ ବର୍ଷରେ ପ୍ରତିରକ୍ଷା ବଜେଟ ଥିଲା ୬.୦୨ ଲକ୍ଷ କୋଟି ଟଙ୍କା। ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୩% ଅଧିକ ଥିଲା। ଏଥିସହ ଡିପ୍-ଟେକ୍ ଟେକ୍ନୋଲୋଜି ଯେମିତିକି ବାୟୋଟେକ, କ୍ବାଣ୍ଟମ କମ୍ପ୍ୟୁଟିଂ, AI, ରୋବୋଟିକ୍ସ, ଆଡଭାନ୍ସଡ ମାଟେରିଆଲ, ଗ୍ରୀନ ଏନର୍ଜି, ଆଡଭାନ୍ସଡ କମ୍ପ୍ୟୁଟିଂ ପ୍ରଭୃତିକୁ ପ୍ରୋତ୍ସାହିତ କରିବା ଉପରେ ସରକାରଙ୍କର ରହିଛି ପୂରା ଫୋକସ।  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଭାଷଣରେ ଆତ୍ମନିର୍ଭର ଭାରତ ପ୍ରସଙ୍ଗ ଉଠାଇଛନ୍ତି। ସମସ୍ତ ସାମରିକ ସାମଗ୍ରୀ ଯେମିତିକି ଅସ୍ତ୍ରଶସ୍ତ୍ର, ଟେକ୍ନୋଲୋଜି, ଯନ୍ତ୍ର ପ୍ରଭୃତି ଦେଶରେ ନିର୍ମାଣ କରିବା ଉପରେ ସରକାରଙ୍କ ଫୋକସ ରହିଛି। ଏହିକ୍ରମରେ ଗତ ବର୍ଷ ପ୍ରତିରକ୍ଷା ଉତ୍ପାଦ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ଏମିତିରେ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ କରାଯାଇଥିବା ଘୋଷଣା ଗୁରୁତ୍ବ ବହନ କରୁଛି।

ଭାରତ ନିକଟରେ ବର୍ତ୍ତମାନ ଅଛି ମୋଟ ୨୨୧୦ ଏୟାରକ୍ରାଫ୍ଟ, ୪୬୧୪ ଟ୍ୟାଙ୍କ ଏବଂ ନୌସେନା ନିକଟରେ ୨୯୫ଟି ଜାହାଜ। ସବୁଠୁ ଶକ୍ତିଶାଳୀ ସାମରିକ ଶକ୍ତି ଦୃଷ୍ଟିରୁ ଗ୍ଲୋବାଲ ଫାୟାର ପାଓ୍ବାର ମିଲିଟାରୀ ରାଙ୍କିଙ୍ଗ- ୨୦୨୪ରେ ଭାରତ ବିଶ୍ବରେ ଚତୁର୍ଥ ସ୍ଥାନ ଲାଭ କରିଛି। ମାତ୍ର ତୃତୀୟ ସ୍ଥାନରେ ଥିବା ଚୀନଠୁ ପଛରେ ଥିବାରୁ ଏହି ବ୍ୟବଧାନ ପୂରଣ କରିବାକୁ ଭାରତର ଉଦ୍ୟମ କ୍ରମେ ଏଥର ପ୍ରତିରକ୍ଷା ବଜେଟରେ ଏହି ବୃଦ୍ଧି କରାଯାଇଛି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!