ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୈତ୍ରା ଝାରସୁଗୁଡ଼ାରେ ୪୨୧ ଜଣ ବେଙ୍ଗଲି ଶ୍ରମିକଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ କରି ଓଡ଼ିଶା ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି ଯେ, ଏହି ଶ୍ରମିକମାନଙ୍କ ମଧ୍ୟରୁ ୨୩ ଜଣ ତାଙ୍କ ନିର୍ବାଚନ ମଣ୍ଡଳୀ କୃଷ୍ଣନଗରର ମିର୍ଜାପୁର ଗାଁର, ଯେଉଁମାନେ ଆଧାର କାର୍ଡ ଭଳି ବୈଧ ପ୍ରମାଣପତ୍ର ରଖିଥିଲେ ମଧ୍ୟ ଓରିଏଣ୍ଟ ପୋଲିସ ଷ୍ଟେସନରେ ବେଆଇନ ଭାବେ ଅଟକ ରଖାଯାଇଛି।
ମହୁଆ ତାଙ୍କ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ସଚିବ ଏବଂ ଡିଜିପିଙ୍କୁ ଅପିଲ କରି ଏହି ଶ୍ରମିକମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, “ଭାବିବା ଉଚିତ ନୁହେଁ ଯେ ଏହି ଶ୍ରମିକମାନଙ୍କ ପାଇଁ ଲଢ଼ିବାକୁ କେହି ନାହାନ୍ତି।” ସେ ଅଭିଯୋଗ କରିଛନ୍ତି ଯେ, ଭାଜପା ସରକାର ଓଡ଼ିଶାରେ କ୍ଷମତାକୁ ଆସିବା ପରେ ଏଭଳି ଘଟଣା ନିତିଦିନିଆ ହେଉଛି, ଯାହା ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନକାଳରେ କେବେ ଘଟିନଥିଲା।

