ଆଜିଠୁ ପୂଜା ପାଇବେ ପଟ୍ଟିଦିଅଁ, ଜାଣନ୍ତୁ କଣ ରହିଛି ପଟ୍ଟିଦିଅଁ ଙ୍କ ମାହାତ୍ମ୍ୟ

ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ପ୍ରାୟ ପନ୍ଦରଦିନ ଚତୁର୍ଦ୍ଧାମୂର୍ତ୍ତି ଅଣସରରେ ରହନ୍ତି । ଏ ସମୟରେ ଠାକୁରମାନଙ୍କୁ ଜଗମୋହନରେ ଅସ୍ଥାୟୀ ଭାବେ ନିର୍ମିିତ ଅଣସର ଘରେ ସ୍ୱତନ୍ତ୍ରବ୍ୟବସ୍ଥା ମଧ୍ୟରେ ସ୍ଥାପନା କରାଯାଏ ଓ ଏହି ପକ୍ଷ ମଧ୍ୟରେ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ମିଳେନାହିଁ । ଏହି ସମୟରେ ତିନି ଠାକୁରଙ୍କ ସାଙ୍କେତିକ ଚିତ୍ର, ପୃଥକ ଭାବେ ସମ୍ପୃକ୍ତ ଚିତ୍ରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ପ୍ରତୀକାତ୍ମକ ଭାବେ ପୂଜା କରାଯାଏ । ଉକ୍ତ ଚିତ୍ରଗୁଡ଼ିକ ସାଧାରଣ ଧଳାକନା ବା ଧୋତିରେ ଖଡ଼ିଗୁଣ୍ଡ ଓ ତେନ୍ତୁଳି ମଣ୍ଡ ଅଠା ମିଶ୍ରିତ ଏକ ମଣ୍ଡ ଲେପନ କରି ପ୍ରସ୍ତୁତ କରାଯାଇଥିବା ପଟି ଉପରେ ଅଙ୍କିତ ହୋଇଥାଏ । ତେବେ ଏହି ପଟିଦିଅଁ ଙ୍କ ରହିଛି କିଛି ସାଙ୍କେତିକ ନାମ ଏବଂ ରହିଥାଏ କିଛି ବିଶେଷତ୍ୱ, ଜାଣିବା କଣ ରହିଥାଏ ପଟ୍ଟିଦିଅଁ ବିଶେଷତ୍ୱ ।

ବଳଭଦ୍ର : ଅନନ୍ତ ବାସୁଦେବ ବା ଶେଷଦେବଙ୍କ ନାମରେ ପୂଜିତ । ଦେହବର୍ଣ୍ଣ-ଶୁଭ୍ର । ବସ୍ତ୍ର ନୀଳ ରଙ୍ଗ, ମୁଣ୍ଡ ଉପରେ ସପ୍ତଫେଣୀ ନାଗ ସହିତ ପଦା୍ମସନରେ ଏହି ରୂପ ଉପବିଷ୍ଟ । ଏହାଙ୍କ ପାଶ୍ୱର୍ଦେବତା: ବାମରେ ଇନ୍ଦ୍ର ତଥା ଦକ୍ଷିଣରେ ଶିବ ରହିବା ନିୟମ ରହିଛି । ଆୟୁଧ: ଉପର ବାମହସ୍ତ-ଶଙ୍ଖ, ଉପର ଦକ୍ଷୀଣ ହସ୍ତ- ଚକ୍ର ଓ ନିମ୍ନ ବାମ ହସ୍ତ -ହଳ, ନିମ୍ନ ଦକ୍ଷୀଣ ହସ୍ତରେ ମୁଷଳ ବିଦ୍ୟମାନ । ବେକରେ ଚମ୍ପା କଢ଼ି ମାଳ ଝୁଲିଥାଏ ।
ସୁଭଦ୍ରା : ଅନ୍ୟ ନାମ-ଯାଜ୍ଞସେନୀ ଏବଂ ଭୁବନେଶ୍ୱରୀ ମନ୍ତ୍ରରେ ପୂଜିତା । ପଦା୍ମସନରେ ଉପବିଷ୍ଟ । ଦେହବର୍ଣ୍ଣ ପୀତ, ବସ୍ତ୍ର- ଶୁଭ୍ର ବର୍ଣ୍ଣରେ ସାମାନ୍ୟ ଛିଟ ରହିଥାଏ । ପାଶ୍ୱର୍ଦେବୀ-ଜୟା ଓ ବିଜୟା । ଆୟୁଧ-ଉପର ଦୁଇ ହାତରେ ପଦ୍ମ ରହିଥିବା ବେଳେ ତଳ ବାମହସ୍ତରେ ବରଦ ମୁଦ୍ରା ଓ ଦକ୍ଷିଣ ତଳ ହାତରେ ଅଭୟ ମୁଦ୍ରା ଅଙ୍କିତ ହୋଇଥାଏ । ବେକରେ ପଦ୍ମ କଢ଼ି ମାଳ ରହିଥାଏ । ମୁଖମଣ୍ଡଳରେ ସ୍ମିତହାସ୍ୟ ଫୁଟି ଉଠିଥାଏ ।

ଜଗନ୍ନାଥ : ପଦା୍ମସନରେ ଉପବିଷ୍ଟ ଏହି ରୂପ ଅନନ୍ତ ନାରାୟଣ ରୂପରେ ପୂଜିତ । ଦେହ ବର୍ଣ୍ଣ କଳା, ବସ୍ତ୍ର-ହଳଦିଆ ରଙ୍ଗ, ପାଶ୍ୱର୍ରେ ସପ୍ତଋଷି ବିଦ୍ୟମାନ । ଏହି ରୂପରେ ଆୟୂଧ ଭାବରେ ଉପର ବାମ ହାତରେ-ଶଙ୍ଖ, ଦକ୍ଷିଣରେ ଚକ୍ର ରହିଥିବାବେଳେ ନିମ୍ନ ବାମ ହାତରେ ଗଦା ଏବଂ ଦକ୍ଷିଣ ହସ୍ତରେ ପଦ୍ମ ଶୋଭା ପାଇଥାଏ । ଏହାଙ୍କ ବେକରେ ପଦ୍ମମାଳ ରହିଥାଏ ।

ସ୍ନାନ ପୂର୍ଣ୍ଣମୀ ରାତ୍ରିରେ ଶ୍ରୀଜୀଉମାନେ ପହଣ୍ଡି ହୋଇ ଅଣସର ଘରକୁ ପ୍ରବେଶ କରିବା ପରେ ଜୟବିଜୟ ଦ୍ୱାର ନିକଟସ୍ଥ ତାଟିରେ ପଟିଦିଅଁମାନଙ୍କୁ ଦରଜୀ ସେବକମାନଙ୍କ ଦ୍ୱାରା ରୁନ୍ଧା ଯାଇଥାଏ । ପଟିଦିଅଁମାନଙ୍କୁ କୌଣସି ପରିସ୍ଥିତିରେ ଭୂମିରେ ରଖାଯିବାର ବିଧି ନାହିଁ । ନୀତି ଅନୁସାରେ ଉଭା ଅମାବାସ୍ୟା ପର୍ଯ୍ୟନ୍ତ ଏହି ପଟ୍ଟିଦିଅଁ ମାନଙ୍କର ଦର୍ଶନ ମିଳିଥାଏ ଓ ନିୟମିତ ପୂଜା ବିଧି ସମ୍ପନ୍ନ କରାଯାଇ ସେହି ଦିନ ଓଲାଗି ହୋଇ ତାଟି ଫିଟା ଯିବା ପରେ ନବଯୌବନ ଦର୍ଶନ ସମ୍ପନ୍ନ ହୋଇଥାଏ । ନବକଳେବର ସମୟରେ ଦୀର୍ଘ ଦେଢ ମାସ ଧରି ଏହି ପଟ୍ଟି ଦିଅଁମାନେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରତିନଧି ଭାବେ ଅନ୍ୟ ଦେବଦେବୀଙ୍କ ସହ ଜଗମୋହନରେ ପୂଜିତ ହୋଇଥାନ୍ତି ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!